କଟକ : ଦ୍ରୁତ ଇଣ୍ଟରନେଟ୍ ସେବା ପାଇଁ ଆଗୁଆ ଆପଣ ନିଜ ୪ଜି ସିମ୍ କାର୍ଡକୁ ୫ଜିରେ ପରିବର୍ତ୍ତନ କରିବାକୁ କୌଣସି ମେସେଜ୍ ପାଉଛନ୍ତି? ଯଦି ପାଉଥିବେ, ‌ତାହାକୁ ସାଇବର ଅପରାଧୀ ହିଁ ପଠାଉଛନ୍ତି। ୫ଜିକୁ ପରିବର୍ତ୍ତନ ନାଁରେ ସାଇବର୍ ଅପରାଧୀ ଗୋଷ୍ଠୀ ଗ୍ରାହକଙ୍କ ମୋବାଇଲ୍ ନମ୍ବରକୁ କ୍ଲୋନ୍ କରି ବ୍ୟାଙ୍କ୍ ଆକାଉଣ୍ଟରୁ ସବୁ ଟଙ୍କା ପୋଛି ନେଉଛନ୍ତି। ଏହି ମୋବାଇଲ୍ ନମ୍ବର ସହିତ ସଂଯୋଗ ହୋଇଥିବା ହ୍ବାଟ୍ସଆପ୍, ଇ-ମେଲ୍ ଏବଂ ସମସ୍ତ ସୋସିଆଲ୍ ମିଡିଆ ଆକାଉଣ୍ଟ ହ୍ୟାକ୍ କରି ସମ୍ପର୍କୀୟଙ୍କୁ ଟଙ୍କା ମାଗୁଛନ୍ତି।

Advertisment

ସମ୍ପର୍କୀୟ ବ୍ୟାଙ୍କ୍ ଆକାଉଣ୍ଟରେ ଟଙ୍କା ପଠାଇଲେ ସେହି ଟଙ୍କା ବି ସାଇବର୍ ଅପରାଧୀ ଉଠାଇ ନେଉଛନ୍ତି। ଯେହେତୁ ଗ୍ରାହକଙ୍କ ସିମ୍ କାର୍ଡ କ୍ଲୋନ ହୋଇଯାଉଛି, ତେଣୁ ଗ୍ରାହକ ଏ ସମ୍ପର୍କରେ କିଛି ଜାଣିପାରୁ ନାହାନ୍ତି। ୫ଜି ସେବା ଆରମ୍ଭ ପରେ ଗଲା ସପ୍ତାହେ ହେବ ଏପ୍ରକାର ସମ୍ପୂର୍ଣ୍ଣ ନୂଆଧରଣର ସାଇବର୍ ଅପରାଧ ଏବେ ଓଡ଼ିଶା ପୁଲିସ ପାଇଁ ସବୁଠାରୁ ବଡ଼ ଚାଲେଞ୍ଜ ହୋଇଥିବା କୁହାଯାଉଛି।

ସୂଚନା ଅନୁଯାୟୀ, ଗଲା ଅକ୍ଟୋବର ୧ ତାରିଖରୁ ଜିଓ ଓ ଏୟାରଟେଲ୍ ପକ୍ଷରୁ ୫ଜି ଇଣ୍ଟରନେଟ୍ ସେବା ଆରମ୍ଭ ହୋଇଥିବାରୁ ସାଇବର୍ ଅପରାଧୀମାନେ ଏବେ ଏହି ଦୁଇ କମ୍ପାନିର ମୋବାଇଲ୍ ଗ୍ରାହକଙ୍କୁ ଟାର୍ଗେଟ୍ କରିବା ଆରମ୍ଭ କରିଦେଇଛନ୍ତି। ସମ୍ପୂର୍ଣ୍ଣ ନୂଆ ଶୈଳୀରେ ଅପରାଧ ଘଟାଉଛନ୍ତି। ସାଇବର୍ ଅପରାଧୀ ପ୍ରଥମେ ଏହି ଦୁଇଟି ମୋବାଇଲ୍ ସେବା ପ୍ରଦାନକାରୀ ସଂସ୍ଥାର ଗ୍ରାହକଙ୍କ ୪ଜି ସିମ୍‌କୁ ମାଗଣାରେ ୫ଜିକୁ ପରିବର୍ତ୍ତନ କରିବା ପାଇଁ ହ୍ବାଟସ୍‌ଆପ୍ ଏବଂ ମୋବାଇଲ୍ ମେସେଜ୍ ପଠାଉଛନ୍ତି। ଅଧିକ ସୂଚନା ପାଇଁ ମେସେଜ୍ ତଳେ ଏକ ମୋବାଇଲ୍ ନମ୍ବର ରହୁଛି। ମାଗଣାରେ ତୁରନ୍ତ ସିମ୍ ୫ଜିକୁ ପରିବର୍ତ୍ତନ ଲୋଭରେ ଗ୍ରାହକ ସାଇବର୍ ଅପରାଧୀଙ୍କୁ ଫୋନ୍ କରିବା ପରେ ସେମାନେ ଏକ ଖାଲି ସିମ୍ କାର୍ଡର ପଛପଟେ ଲେଖା ଯାଇଥିବା ୨୦ ଅଙ୍କ ବିଶିଷ୍ଟ ନମ୍ବର ପଠାଉଛନ୍ତି। ଏହି ନମ୍ବରକୁ ମେସେଜ୍ ପଠାଇବାକୁ ପରାମର୍ଶ ଦେଉଛନ୍ତି। କିଛି ଘଣ୍ଟା ପରେ ଗ୍ରାହକଙ୍କ ମୋବାଇଲ ନମ୍ବର ୫ଜିକୁ ପରିବର୍ତ୍ତନ ହେଉନାହିଁ। ବରଂ, ସାଇବର ଅପରାଧୀଙ୍କ ନିକଟରେ ଥିବା ବ୍ଲାଙ୍କ୍ ସିମ୍‌କାର୍ଡରେ ଗ୍ରାହକଙ୍କ ମୋବାଇଲ୍ ନମ୍ବର ରିପ୍ଲେସ୍ ହୋଇଯାଉଛି। ଗ୍ରାହକଙ୍କ ନିକଟରେ ଥିବା ସିମ୍ କାର୍ଡ ଅଚଳ ହୋଇଯାଉଛି।

publive-image Complete Controller

ଗ୍ରାହକଙ୍କ ମୋବାଇଲ୍ ନମ୍ବର ସାଇବର୍ ଅପରାଧୀଙ୍କ ନୂଆ ସିମ୍ କାର୍ଡରେ ଆକ୍ଟିଭ୍ ହୋଇଯିବାପରେ ସେହି ନମ୍ବର ସାଇବର୍ ଅପରାଧୀ ବ୍ୟବହାର କରି ଗ୍ରାହକଙ୍କ ଇଣ୍ଟରନେଟ୍ ବ୍ୟାଙ୍କିଂ ପାସ୍‌ଵାର୍ଡ, ଜିମେଲ୍ ଇତ୍ୟାଦିର ପାସ୍‌ଵାର୍ଡ ପରିବର୍ତ୍ତନ କରି ଦେଉଛନ୍ତି। ପାସ୍‌ଵାର୍ଡ ପରିବର୍ତ୍ତନ ପରେ ଗ୍ରାହକଙ୍କ ବ୍ୟାଙ୍କ ଆକାଉଣ୍ଟରେ ଥିବା ସମସ୍ତ ଟଙ୍କା ଉଠାଇ କାଙ୍ଗାଳ କରିଦେଉଛନ୍ତି ସାଇବର୍ ଅପରାଧୀ। କେବଳ ଏତିକିରେ ସାଇବର୍ ଅପରାଧୀଙ୍କ ଠକେଇ ଅଟକି ଯାଉନାହିଁ। ଗ୍ରାହକଙ୍କ ହ୍ବାଟ୍ସଆପ୍‌ ସମ୍ପୂର୍ଣ୍ଣ ଭାବେ ନିଜ ନିୟନ୍ତ୍ରଣକୁ ନେଇ ଯାଉଛନ୍ତି। ସେହି ହ୍ବାଟ୍ସଆପ୍ ନମ୍ବରରୁ ଗ୍ରାହକଙ୍କ ସମ୍ପର୍କୀୟଙ୍କୁ ଟଙ୍କା ମାଗୁଛନ୍ତି। ଟଙ୍କା ବ୍ୟାଙ୍କ ଆକାଉଣ୍ଟରେ ପଠାଇବା ପରେ ସାଇବର୍ ଅପରାଧୀ ତାହାକୁ ଉଠାଇ ନେଉଛନ୍ତି। ଯେହେତୁ ଗ୍ରାହକଙ୍କ ନିକଟରେ ଥିବା ପୁରୁଣା ସିମ୍ କାର୍ଡ ନିଷ୍କ୍ରିୟ ହୋଇଯାଉଛି, ତେଣୁ ତାଙ୍କ ନିକଟକୁ ଆସୁଥିବା ଫୋନ୍ କଲ୍ କିମ୍ବା ମେସେଜ୍ ସିଧାସଳଖ ସାଇବର୍ ଅପରାଧୀଙ୍କ ମୋବାଇଲକୁ ଚାଲିଯାଉଛି। ସାଇବର୍ ଅପରାଧୀ ଏହାର ଉତ୍ତର ଦେଇ ଟଙ୍କା ଲୁଟି ନେଉଥିବା ଭଳି ନୂଆଧରଣର ସାଇବର୍ ଠକେଇ ଅଭିଯୋଗ ଏବେ କ୍ରାଇମବ୍ରାଞ୍ଚକୁ ଚିନ୍ତାରେ ପକାଇଛି।

ସବୁଠାରୁ ସମ୍ବେଦନଶୀଳ ଘଟଣା ହେଉଛି, ଏତେସବୁ ଠକେଇ ସମ୍ପର୍କରେ ଗ୍ରାହକ କିଛି ବି ଜାଣିପାରୁ ନାହାନ୍ତି। ରାଜ୍ୟର ସମସ୍ତ ସାଇବର୍ ଥାନା ଏଥିପ୍ରତି ସତର୍କ ରହିବାକୁ କୁହାଯାଇଥିବା ବେଳେ ସାଧାରଣରେ ଏ ପ୍ରକାର ଠକେଇରୁ ବର୍ତ୍ତିବା ପାଇଁ ସଚେତନା କରିବାକୁ ପରାମର୍ଶ ଦିଆଯାଇଥିବା ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି। ସାଇବର୍ ବିଶେଷଜ୍ଞ ପ୍ରଶାନ୍ତ ସାହୁଙ୍କ କହିବା ଅନୁଯାୟୀ, ୪ଜି ସିମ୍ କାର୍ଡ ୫ଜିକୁ ପରିବର୍ତ୍ତନ ପାଇଁ ଯଦି କୌଣସି ଅଜଣା ବ୍ୟକ୍ତିଙ୍କ ପକ୍ଷରୁ ଫୋନ୍ କିମ୍ବା ମେସେଜ୍ ଆସୁଛି ଏହାକୁ ଅଣଦେଖା କରନ୍ତୁ ନାହିଁ। କୌଣସି ଲିଙ୍କ୍ ପଠାଇଲେ ଖୋଲନ୍ତୁ ନାହିଁ। ସିମ୍ ଅପଗ୍ରେଡ ପାଇଁ କେହି ଅଜଣା ବ୍ୟକ୍ତି ପରାମର୍ଶ ଦେଉଛନ୍ତି ତେବେ ତାଙ୍କ କହିବା ଅନୁଯାୟୀ, କୌଣସି ମେସେଜ୍ ମୋବାଇଲ ସେବା ପ୍ରଦାନକାରୀ ସଂସ୍ଥାକୁ ନପଠାଇବାକୁ ଶ୍ରୀ ସାହୁ ପରାମର୍ଶ ଦେଇଛନ୍ତି।