ବିଦ୍ୟୁତ୍‌ ବିଲ୍‌ ନାଁରେ ସାଇବର ଠକେଇ, ସଂଯୋଗ ବିଚ୍ଛିନ୍ନ ହେବ କହି ଗ୍ରାହକଙ୍କଠୁ ଲୁଟୁଛନ୍ତି ଅର୍ଥ

ଲୁଟି ସାରିଲେଣି ୧୦ ଲକ୍ଷରୁ ଅଧିକ, କଟକରେ ୫, ଭୁବନେଶ୍ବର ଓ କୋରାପୁଟରେ ୨ ମାମଲା

କଟକ : ‘ଆପଣଙ୍କ ବକେୟା ବିଦ୍ୟୁତ୍‌ ବିଲ୍ ତୁରନ୍ତ ଅନ୍‌ଲାଇନ୍‌ରେ ପୈଠ କରନ୍ତୁ। ନଚେତ୍, ଆଜି ରାତି ୯ଟା ୩୦ରୁ ୧୦ଟା୩୦ ଭିତରେ ବିଦ୍ୟୁତ୍‌ ସଂଯୋଗ ବିଚ୍ଛିନ୍ନ ହୋଇଯିବ।’ ମୋବାଇଲ୍‌କୁ ଆସୁଥିବା ଏପ୍ରକାର ମେସେଜ୍ ଜରିଆରେ ବିଦ୍ୟୁତ୍‌ ଗ୍ରାହକ ଏବେ ସାଇବର୍ ଅପରାଧୀଙ୍କ ଜାଲରେ ଫସି ଚାଲିଛନ୍ତି। ବିଲ୍ ପୈଠ ନାଁରେ ସାଇବର୍ ଅପରାଧୀ ଗ୍ରାହକଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ଲୁଟିନେବା ଭଳି ନୂଆଧରଣର ସାଇବର୍ ଠକେଇ ରାଜ୍ୟରେ ଚର୍ଚ୍ଚା ସୃଷ୍ଟି କରିଛି। କଟକ ଓ ଭୁବନେଶ୍ବର କମିସନରେଟ୍ ପୁଲିସ ସମେତ କୋରାପୁଟର ୭ଜଣ ଗ୍ରାହକ ପାଖାପାଖି ୧୦ ଲକ୍ଷରୁ ଅଧିକ ଟଙ୍କା ଠକାମିର ଶିକାର ହୋଇଥିବା ଜଣାପଡ଼ିଛି।

ହସ୍ତଗତ ସୂଚନା ଅନୁଯାୟୀ, ଏକମାସର ବିଦ୍ୟୁତ୍‌ ଏବଂ ଫୋନ୍ ବିଲ୍ ପୈଠ ହୋଇ ନ ଥିବା ସମାନଧରଣର ମେସେଜ୍ ସମସ୍ତ ଗ୍ରାହକଙ୍କ ନିକଟକୁ ଯାଉଛି। ସନ୍ଧ୍ୟା ସମୟରେ ଏହି ମେସେଜ୍‌ ଆସୁଥିବାବେଳେ ରାତିରେ ବିଦ୍ୟୁତ୍‌ ସଂଯୋଗ ବିଚ୍ଛିନ୍ନ କରାଯିବ‌େ ନେଇ ଚେତାବନୀ ଦିଆଯାଉଛି। ଫଳରେ, ଗ୍ରାହକ ବିଚଳିତ ହୋଇଯାଉଛନ୍ତି ଏବଂ ଅତିସହଜ‌ରେ ସାଇବର୍‌ ଅପରାଧୀଙ୍କ ଜାଲରେ ଫସିଯାଉଛନ୍ତି। ଏହି ମେସେଜ୍‌ରେ ବି ଜଣେ ଅଫିସର୍‌ଙ୍କ ନମ୍ବର ରହୁଛି। ବିଲ୍ ସଂକ୍ରାନ୍ତରେ ସମ୍ପୃକ୍ତ ଅଧିକାରୀଙ୍କ ସହିତ ଯୋଗାଯୋଗ କରିବାକୁ କୁହାଯାଉଛି। ତେବେ, ଏହି ନମ୍ବରରେ କଲ୍ କଲେ ସମ୍ପୃକ୍ତ ବ୍ୟକ୍ତି ନିଜକୁ ବିଦ୍ୟୁତ୍‌ ବିଭାଗ ଅଧିକାରୀ ଏବଂ ଟେଲିଫୋନ୍ ବିଭାଗର ଅଧିକାରୀ ପରିଚୟ ଦେଉଛନ୍ତି। ବିଲ୍ ପୈଠ କରିବା ପାଇଁ ପ୍ଲେ’ ଷ୍ଟୋର୍‌ରୁ ଟିମ୍ ଭିଉଅର୍ କୁଇକ୍ ସପୋର୍ଟ କିମ୍ବା ଟିମ୍ ଭିଉଅର୍ ରିମୋଟ୍‌ କଣ୍ଟ୍ରୋଲ ଆପ୍ଲିକେସନ୍ ଡାଉନ୍‌ଲୋଡ୍ କରିବାକୁ କହୁଛନ୍ତି। ଡାଉନ୍‌ଲୋଡ୍ ହୋଇସାରିଲା ପରେ ଏହି ଆପ୍ଲିକେସନ୍‌ ମାଧ୍ୟମରେ ସାଇବର୍ ଅପରାଧୀ ଗ୍ରାହକଙ୍କ ଫୋନ୍‌କୁ ନିଜ ନିୟନ୍ତ୍ରଣକୁ ନେଇଯାଉଛନ୍ତି । ଗ୍ରାହକଙ୍କୁ ଏକ ନିର୍ଦ୍ଦିଷ୍ଟ ବ୍ୟାଙ୍କ୍ ଆକାଉଣ୍ଟରେ ବିଲ୍ ପୈଠ କରିବାକୁ ଏବଂ ବିଲ୍ ମେଲ୍ ଆଇଡିରେ ପଠାଇବାକୁ କହୁଛନ୍ତି। ଗ୍ରାହକ ଯେତେବେଳେ ଇଣ୍ଟରନେଟ୍ ବ୍ୟାଙ୍କିଂ ମାଧ୍ୟମରେ ୟୁଜର ନେମ୍ ଓ ପାସଵାର୍ଡ ବ୍ୟବହାର କରି ବିଲ୍ ପୈଠ କରୁଛନ୍ତି, ସେହିସମୟରେ ମୋବାଇଲରେ ଡାଉନଲୋଡ୍ ହୋଇଥିବା ଆପ୍ଲିକେସନ୍ ମାଧ୍ୟମରେ ସାଇବର୍ ଅପରାଧୀ ଗ୍ରାହକଙ୍କ ୟୁଜର ନେମ୍ ଓ ପାସଵାର୍ଡ ଚୋରି କରିନେଉଛନ୍ତି। ପରେ ବ୍ୟାଙ୍କ୍ ଆକାଉଣ୍ଟରୁ ଟଙ୍କା ଉଠାଇ ନେଉଛନ୍ତି।

ପୁଲିସର ତଥ୍ୟ ଅନୁଯାୟୀ, କଟକ କମିସନରେଟ୍ ପୁଲିସର ସାଇବର୍ ଥାନାରେ ଜୁଲାଇରୁ ଅଗଷ୍ଟ ପ୍ରଥମ ସପ୍ତାହ ଭିତରେ ୫ଟି ବିଦ୍ୟୁତ୍‌ ବିଲ୍ ନାଁରେ ସାଇବର୍ ଠକେଇ ଅଭିଯୋଗ ହୋଇଛି। ସିଡିଏରୁ ଦୁଇଟି ଏବଂ ମଙ୍ଗଳାବାଗ, ମାଲଗୋଦାମ, ଲାଲବାଗ ଥାନା ଅଞ୍ଚଳରୁ ଗୋଟିଏ ଲେଖାଏଁ ଅଭିଯୋଗ ଆସିଛି। ବକେୟା ଇଲେକ୍ଟ୍ରି ବିଲ୍ ଜମା କରିବାକୁ ଜଣେ ଲେଖାଏଁ ଗ୍ରାହକଙ୍କ ନିକଟରୁ ୫୦ ହଜାରରୁ ୯୦ ହଜାର ଟଙ୍କା ଯାଏ ପାଖାପାଖି ୫ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ସାଇବର୍ ଅପରାଧୀ ଠକି ନେଇଛନ୍ତି। ଜୁଲାଇ ୧୪ ତାରିଖରେ କୋରାପୁଟ ବୈପାରିଗୁଡ଼ାର ଜଣେ ବ୍ୟକ୍ତି ୧ ଲକ୍ଷ ୩୦ ହଜାର ଟଙ୍କା ଠକେଇର ଶିକାର ହୋଇଥିବା ସ୍ଥାନୀୟ ସାଇବର୍ ଥାନାରେ ଅଭିଯୋଗ ହୋଇଛି। ଜୁଲାଇ ୧୭ ତାରିଖରେ ଭୁବନେଶ୍ବରରେ ରହୁଥିବା ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ୍‌ର ଅବସରପ୍ରାପ୍ତ କର୍ମଚାରୀଙ୍କ ନିକଟରୁ ୨ ଲକ୍ଷ ୭୫ ହଜାର ଟଙ୍କା ଠକେଇ ହୋଇଥିବା ଭୁବନେଶ୍ବର ସାଇବର୍ ଥାନାରେ ଅଭିଯୋଗ ହୋଇଛି। ଓଡ଼ିଶା ସମେତ ଗୁଜୁରାଟ, ପଞ୍ଜାବ, ମହାରାଷ୍ଟ୍ରରେ ଏ ପ୍ରକାର ନୂଆ ସାଇବର ଅପରାଧ ଜୁଲାଇ ପରଠାରୁ ଅଧିକ ଦେଖିବାକୁ ମିଳିଛି।

ଫଳରେ, ମୋବାଇଲକୁ ଇଲେକ୍ଟ୍ରି ବିଲ୍ କିମ୍ବା ବିଦ୍ୟୁତ ବିଲ୍ ପୈଠ ପାଇଁ ଆସୁଥିବା କୌଣସି ମେସେଜକୁ ଅଣଦେଖା କରିବାକୁ ଓଡ଼ିଶା ପୁଲିସ ସତର୍କ କରାଇଛି। ଏଥିରେ ଥିବା ଅଧିକାରୀଙ୍କ ନମ୍ବରରେ ଫୋନ୍ ନକରିବା ସହିତ ସମ୍ପୃକ୍ତ ଅଧିକାରୀଙ୍କ ସହିତ ମୋବାଇଲ୍ ସ୍କ୍ରିନ୍‌ ସେୟାର କରିବାପାଇଁ କୌଣସି ଆପ୍ଲିକେସନ୍ ଡାଉନ୍‌ଲୋଡ୍ ନକରିବାକୁ ପରାମର୍ଶ ଦିଆଯାଇଛି। ନଚେତ୍ ଏଭଳି ନୂଆଧରଣର ଠକେଇରେ ଗ୍ରାହକଙ୍କ ବ୍ୟାଙ୍କ୍ ଆକାଉଣ୍ଟ ସାଇବର୍ ଅପରାଧୀ ପୋଛିନେବାର ଆଶଙ୍କା କରାଯାଉଛି।

ସମ୍ବନ୍ଧିତ ଖବର