୨୬ଦିନରେ ୧୮ ସାଇବର ଠକ ଗିରଫ

ଭୁବନେଶ୍ବର : ୨୬ଦିନରେ ରାଜ୍ୟରୁ ଗିରଫ ହେଲେଣି ୧୮ ସାଇବର ଠକ। ଅନ୍ତଃରାଜ୍ୟଠୁ ଆରମ୍ଭ କରି ଆନ୍ତଃରାଜ୍ୟ ଏପରିକି ସାଇବର ଠକେଇର ଏନ୍ତୁଡ଼ିଶାଳ କୁହାଯାଉଥିବା ଜାମ୍‌ତରା ଗ୍ୟାଙ୍ଗ୍‌ର ଏକାଧିକ ସଦସ୍ୟ ଏହି ୨୬ଦିନରେ ରାଜ୍ୟରୁ ଗିରଫ ହୋଇଛନ୍ତି। କେତେବେଳ କ୍ରାଇମବ୍ରାଞ୍ଚ୍ ଟ୍ରାକ୍ କରି ଏମାନଙ୍କୁ ବାନ୍ଧୁଛି ତ କେତେବେଳେ ଜିଲ୍ଲା ପୁଲିସ ଏମାନଙ୍କୁ ଭଡ଼ା ଘରୁ ଉଠାଇଆଣୁଛି। ପୂର୍ବାପେକ୍ଷା ଯଦିଓ ରାଜ୍ୟ ପୁଲିସ ଏବେ ସାଇବର ଠକଙ୍କୁ ଧରିବାରେ ସଫଳ ହେଉଛି; ଠକେଇ ମାତ୍ରାକୁ ଅନୁଶୀଳନ କଲେ ଗିରଫଦାରୀ ଖୁବ୍ କମ୍ ବୋଲି ସ୍ପଷ୍ଟ ହେଉଛି। ଗୋଟେ ପଟେ ରାଜ୍ୟ ପୁଲିସ ୧୪ଟି ସ୍ବତନ୍ତ୍ର ସାଇବର ଥାନା ଏବଂ ତାଲିମପ୍ରାପ୍ତ କର୍ମଚାରୀଙ୍କୁ ନେଇ ଠକେଇର ତଦନ୍ତ କରୁଥିବାରୁ ସଫଳତାର ଏକ କାରଣ ବୋଲି କହୁଥିବା ବେଳେ ରାଜ୍ୟରେ ଏବେ ବି କୋଟି କୋଟି ଟଙ୍କାର ସାଇବର ଠକେଇର ପର୍ଦ୍ଦାଫାସ ହୋଇପାରିନାହିଁ। ଅପରପକ୍ଷରେ ଅନ୍ୟ ରାଜ୍ୟ ପୁଲିସ ଏବେ ସାଇବର ଠକଙ୍କ ହଟସ୍ପଟ୍ ଜାଗାଗୁଡ଼ିକୁ ଯାଇ ବାନ୍ଧୁଥିବାରୁ ସେମାନେ ଆତ୍ମଗୋପନ ପାଇଁ ଓଡ଼ିଶାକୁ ବାଛିଛନ୍ତି। ଏହା ସହିତ ଓଡ଼ିଶାରେ ରହି ରାଜ୍ୟ ତଥା ରାଜ୍ୟ ବାହାରେ ଠକେଇ କରୁଛନ୍ତି। ତେଣୁ ଓଡ଼ିଶାକୁ ସାଇବର ଠକ ଆଶ୍ରୟ ପାଇଁ ଆସିଥିବା ବେଳେ ପୁଲିସ ଟ୍ରାକ୍ କରି ସେମାନଙ୍କୁ ଧରୁଛି ବୋଲି ସାଇବର ବିଶେଷଜ୍ଞ ମତ ଦେଇଛନ୍ତି।

New York Post

କିଛି ପ୍ରମୁଖ ଘଟଣା

୨୦।୧: ବହୁ ଚର୍ଚ୍ଚିତ ବୁଲିବାଇ ଆପ୍‌ରେ ନିର୍ଦ୍ଦିଷ୍ଟ ଧର୍ମର ମହିଳାଙ୍କ ଅଶ୍ଳୀଳ ଚିତ୍ର ଛାଡ଼ି ସାମାଜିକ ଗଣମାଧ୍ୟମରେ ନିଲାମି କରୁଥିବା ୫ଯୁବକଙ୍କୁ ଗିରଫ କରାଯାଇଥିଲା। ପରେ ମୁମ୍ବାଇ କ୍ରାଇମବ୍ରାଞ୍ଚ୍ ସାଇବର ସେଲ୍ ଏହି ଆପ୍‌ର ନିର୍ମାତା ତଥା ମୁଖ୍ୟ ଅଭିଯୁକ୍ତ ନୀରଜ ସିଂହକୁ ଝାରସୁଗୁଡ଼ା ବ୍ରଜରାଜନଗରରୁ ଗିରଫ କରିଥିଲା।

୨୯।୧: ମଞ୍ଚେଶ୍ବର ପ୍ରାଚୀବିହାର ଅଞ୍ଚଳରେ ରହୁଥିବା ଜାମ୍‌ତରା ଗ୍ୟାଙ୍ଗ୍‌ ୩ ସାଇବର ଠକଙ୍କୁ କ୍ରାଇମ୍‌ବ୍ରାଞ୍ଚ୍ ଗିରଫ କରିଥିଲା। ଝାଡ଼ଖଣ୍ଡର ପ୍ରଧୁମ ମଣ୍ଡଳ, ଚେତଲାଲ ମଣ୍ଡଳ ଓ କ୍ରିଷ୍ଣା କୁମାର ମଣ୍ଡଳଙ୍କ ବାନ୍ଧିବା ପରେ ପୁଲିସ ଜାଣିବାକୁ ପାଇଥିଲା ଯେ ଏହି ଗ୍ୟାଙ୍ଗ୍ କେଵାଇସି, ଗିଫ୍ଟକାର୍ଡ ଓ ଏସ୍‌ଏମ୍‌ଏସ୍ ଆଦି ମାଧ୍ୟମରେ ଲୋକଙ୍କୁ ଠକେଇ କରୁଥିଲେ।

୬।୨: ବାଲେଶ୍ବର ନୀଳଗିରିରୁ ଜଣେ ମହିଳାଙ୍କ ଆକାଉଣ୍ଟରୁ ପ୍ରାୟ ସାଢ଼େ ୧୨ଲକ୍ଷ ଟଙ୍କା ଲୁଟିନେବା ଘଟଣାରେ ବାଲେଶ୍ବର ସାଇବର ଥାନା ପୁଲିସ ୫ ସାଇବର ଠକଙ୍କୁ ଗିରଫ କରିଥିଲା। ସମିନ ଅହମ୍ମଦ, ସାଜିଦ୍ ଇକବାଲ୍, ନିଆଜ ହୁସେନ, ମହମ୍ମଦ ଆଜାଦ ଅନସାରି ଓ ମହମ୍ମଦ ରାହିଲକୁ ପୁଲିସ ଗିରଫ କରିଥିବା ବେଳେ ଏମାନେ ରାଜ୍ୟ ରାଜ୍ୟ ବୁଲି ସାଇବର ଠକେଇ କରୁଥିବା ଜଣାପଡ଼ିଥିଲା।

୧୧।୨: ଜଣେ ଯୁବକଙ୍କୁ ଋଣ କରାଇଦେବା ଆଳରେ ତାଙ୍କ ଆକାଉଣ୍ଟରୁ ପ୍ରାୟ ୨ଲକ୍ଷ ଟଙ୍କା ଠକିନେବା ଘଟଣାରେ ସମ୍ବଲପୁର ଅଇଁଠାପାଲି ପୁଲିସ ୫ଜଣଙ୍କୁ ଗିରଫ କରିଥିଲା। ମୁଖ୍ୟ ଅଭିଯୁକ୍ତ ରେହମତ ଅନ୍‌ସାରି, ଶେଖର ଗୌତମ ଓ ଭିଶାଲ ପାଣ୍ଡେକୁ ଗିରଫ କରାଯାଇଥିବା ବେଳେ ପୁଲିସ ଅନ୍ୟ ୨ ଇଂଜିନିୟରିଂ ଛାତ୍ରଙ୍କୁ ନୋଟିସ୍ ଦେଇ ଛାଡ଼ିଥିଲା।

୧୪।୨: କେଵାଇସି ଅପଡେଟ୍ କରାଇବା ନାଁରେ ଜଣେ ମହିଳାଙ୍କୁ ୩୦ହଜାର ଠକିବା ଘଟଣାରେ ଭୁବନେଶ୍ବର ସାଇବର ଥାନା ପୁଲିସ କମଲ ଜୟସ୍ବାଲ ଓ ଆନନ୍ଦ କୁମାର ଭଗତଙ୍କୁ ଗିରଫ କରିଥିଲା।

୧୪।୨: ଟେଲିଗ୍ରାମ୍ ଆକାଉଣ୍ଟ୍‌ରେ ଓଟିପି ବିକ୍ରି କରିବା ଅଭିଯୋଗରେ କୋଲ୍‌କାତା ସାଇବର ପୁଲିସ ଓଡ଼ିଶାରୁ ମହମ୍ମଦ ସଲାଉଦ୍ଦିନ ଓ ସମସାଦ ଅଲ୍ଲୀକୁ ଗିରଫ କରିଛି। କେଵାଇସି ଅପଡେଟ୍ ନାଁରେ ପ୍ରାୟ ୩୦ଲକ୍ଷ ଟଙ୍କା ଠକେଇ ଅଭିଯୋଗର ତଦନ୍ତ କରିବା ସମୟରେ ଏହି ଓଟିପି ବିକ୍ରେତା ଗ୍ୟାଙ୍ଗ୍‌ର ପର୍ଦ୍ଦାଫାସ୍ ହୋଇଛି। ଏହି ଗ୍ୟାଙ୍ଗ୍‌ରେ ପ୍ରାୟ ୧୨୦୦ ସଦସ୍ୟ ଥିବା ପୁଲିସ ଜାଣିବାକୁ ପାଇଛି।

Times of India

ସ୍ବତନ୍ତ୍ର ଥାନା ଓ ଆଧୁନିକ ବୈଷୟିକ କୌଶଳ ପାଇ ସମ୍ଭବ ହୋଇଛି: ଏଡିଜି

ଏନେଇ କ୍ରାଇମବ୍ରାଞ୍ଚ୍ ଏଡିଜି ସଂଜୀବ ପଣ୍ଡା କହିଛନ୍ତି ଯେ ସ୍ବତନ୍ତ୍ର ଥାନା, ଆଧୁନିକ ବୈଷୟିକ ଜ୍ଞାନକୌଶଳ ଏବଂ ତାଲିମ୍‌ପ୍ରାପ୍ତ କର୍ମଚାରୀଙ୍କୁ ନେଇ ତଦନ୍ତ କରିବା ଯୋଗୁଁ ରାଜ୍ୟକୁ ସଫଳତା ମିଳୁଛି। ଅପରପକ୍ଷରେ ଅନ୍ୟ ରାଜ୍ୟରୁ ଠକମାନେ ଏଠାରେ ଆତ୍ମଗୋପନ କରିବାକୁ ଆସି ଗିରଫ ହୋଇଛନ୍ତି; ଏହି ଦିଗରେ ପୁଲିସ କୌଣସି ଅନୁସନ୍ଧାନ କରିନାହିଁ। ପୂର୍ବରୁ ହୋଇଥିବା ହାଇପ୍ରୋଫାଇଲ୍ ସାଇବର ଠକେଇଗୁଡ଼ିକ ମଧ୍ୟ ତଦନ୍ତ କରାଯାଉଛି। ସେମାନଙ୍କ ମଧ୍ୟ ଧରିବା ପାଇଁ ଉଦ୍ୟମ ହେଉଛି।

ଅପରପକ୍ଷରେ ସାଇବର ବିଶେଷଜ୍ଞ ଆକାଶ ମିଶ୍ର କହିଛନ୍ତି, ଦିନକୁ ଦିନ ସାଇବର ଅପରାଧ ବଢ଼ୁଛି ଏବଂ ସାଇବର ଅପରାଧୀମାନେ ନୂତନ ଜ୍ଞାନକୌଶଳ ବ୍ୟବହାର କରି ଠକେଇ କରୁଛନ୍ତି। ତେଣୁ ପୁଲିସକୁ ଆହୁରି ତାଲିମପ୍ରାପ୍ତ କର୍ମଚାରୀ ନିଯୁକ୍ତି ଦେବା ସହ ଭିତ୍ତିଭୂମି ସୁଦୃଢ଼ କରିବା ପାଇଁ ନୂତନ ଜ୍ଞାନକୌଶଳ ଅବଲମ୍ବନ କରିବାକୁ ପଡ଼ିବ। ଗିରଫ ହୋଇଥିବା ଅଭିଯୁକ୍ତଙ୍କୁ ଜେରା କରିବା ସହ ତଥ୍ୟ ସଂଗ୍ରହ କରି ଅନ୍ୟ ରାଜ୍ୟ ଓ ଜିଲ୍ଲା ପୁଲିସ ସହ ସମନ୍ୱୟ ରକ୍ଷା କରି ତଦନ୍ତ କରାଗଲେ ଏହି ଗ୍ୟାଙ୍ଗ୍ ସହିତ ସଂଶ୍ଳିଷ୍ଟ ଆହୁରି ଅଧିକ ସାଇବର ଅପରାଧୀଙ୍କୁ ଗିରଫ କରାଯାଇପାରିବ। ଅନ୍ୟପକ୍ଷରେ ପ୍ରାଥମିକସ୍ତରରୁ ବ୍ୟାପକ ମାତ୍ରାରେ ସାଇବର ସଚେତନତା ଆବଶ୍ୟକ।

ସମ୍ବନ୍ଧିତ ଖବର