ଯୁବତୀ ସାଇବର୍‌ ଠେକଇର ଶିକାର: ଆକାଉଣ୍ଟରୁ ସାଢ଼େ ୪ ଲକ୍ଷ ନେଇଗଲା ସାଇବର୍‌ ଠକ

ବିମାନ ଟିକେଟ୍‌ କ୍ୟାନ୍‌ସେଲ୍‌କରିବାକୁ ଯାଇ ଫସିଲେ, ଟ୍ବିଟ୍‌ର ରିପ୍ଲାଏରୁ ପାଇଥିଲେ ଠକର ନମ୍ବର

ସମ୍ବଲପୁର: ସମ୍ବଲପୁରର ଜଣେ ଯୁବତୀ ବଡ଼ ଧରଣର ସାଇବର୍‌ ଠକେଇର ଶିକାର ହୋଇଛନ୍ତି। ହୀରାକୁଦ ହିଣ୍ଡାଲ୍‌କୋରେ ଚାକିରି କରୁଥିବା ସ୍ବର୍ଣ୍ଣିମା ରଞ୍ଜନ ସାଢ଼େ ୪ ଲକ୍ଷ ଟଙ୍କାର ଠକେଇର ଶିକାର ହୋଇଥିବା ଅଭିଯୋଗ କରିଛନ୍ତି। ଏ ନେଇ ସେ ଶୁକ୍ରବାର ସମ୍ବଲପୁର ସାଇବର୍‌ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

କେମିତି ହୋଇଥିଲେ ଠକେଇର ଶିକାର

ସ୍ବର୍ଣ୍ଣିମା କିଛି ଦିନ ପୂର୍ବେ ଏକ ବିମାନ ଯାତ୍ରା କରିବାକୁ ଟିକେଟ୍‌ ବୁକ୍‌ କରିଥିଲେ। କୌଣସି କାରଣ ବଶତଃ ତାଙ୍କୁ ଉକ୍ତ ଟିକେଟ୍‌କୁ କ୍ୟାନ୍‌ସେଲ୍‌ କରିବାକୁ ପଡ଼ିଥିଲା। ସେହି କ୍ୟାନ୍‌ସେଲେସନ୍‌ ପରେ ତାଙ୍କୁ ‘ହାପି ଇଜି ଗୋ’  ପକ୍ଷରୁ ୩୦ ହଜାର ଟଙ୍କା ରିଫଣ୍ଡ ଦିଆଯିବାର ଥିଲା। ଏ ନେଇ ସେ ଏପ୍ରିଲ୍‌ ୧୪ ତାରିଖ ଦିନ ଏକ ଟ୍ବିଟ୍‌ କରି ‘ହାପି ଇଜି ଗୋ’ ୩ରୁ ୪ ଦିନ ଭିତରେ କ୍ୟାନ୍‌ସେଲେସନ୍‌ ଟଙ୍କା ଫେରାଇବା ପ୍ରତିଶ୍ରୁତି ଦେଇ ୬ ମାସ ହେଲା ଟଙ୍କା ଫେରାଇ ନାହିଁ। ଏହା ସହିତ ୩ଟି ଟିକେଟ୍‌ର ନମ୍ବର ସହ ବର୍ତ୍ତମାନ ଟଙ୍କା ଫେରାନ୍ତୁ ବୋଲି ଲେଖିଥିଲେ। ଏହି ଟ୍ବିଟ୍‌ରେ ସେ ‘ହାପି ଇଜି ଗୋ’, ଜାଗୋ ଗ୍ରାହକ ଜାଗୋ, ଜେଏମ୍‌ ସିନ୍ଧିଆ, ଏୟାର୍‌ ଇଣ୍ଡିଆ, ଇଣ୍ଡିଗୋ ସିକ୍ସ ଇ ଓ ଡିଜିସିଏ ଇଣ୍ଡିଆକୁ ଟ୍ୟାଗ୍‌ କରିଥିଲେ।

ତେବେ ୨୬ ତାରିଖ ଦିନ ତାଙ୍କ ଟ୍ବିଟ୍‌କୁ ଏକ ରିପ୍ଲାଏ ଆସିଥିଲା ଏବଂ ସେଥିରେ ଯୋଗାଯୋଗ ପାଇଁ ଏକ ନମ୍ବର ଦିଆଯାଇଥିଲା। ଉକ୍ତ ନମ୍ବରକୁ ଯୋଗାଯୋଗ କରିବାକୁ ସାଇବର୍‌ ଠକ ଜଣକ ତାଙ୍କୁ କିଛି ଆପ୍‌ ଇନ୍‌ଷ୍ଟଲ କରିବାକୁ କହିଥିଲା। ସେହି ଆପ୍‌ଗୁଡ଼ିକ ମଧ୍ୟରେ ଆଲ୍‌ପେମିକ୍ସ ରିମୋଟ ଡେକ୍ସଟପ୍‌ କଣ୍ଟ୍ରୋଲ୍‌ ଆପ୍‌ ମଧ୍ୟ ରହିଥିଲା। ଉକ୍ତ ଆପ୍‌ ଇନ୍‌ଷ୍ଟଲ୍‌କରିବା ପରେ ଯୁବତୀ ଜଣକ ଉକ୍ତ ଏୟାର୍‌ଲାଇନ୍‌ରେ କଷ୍ଟମମର କେୟାର ଭାବି ଆପ୍‌ରେ ୟୁଜର୍‌ ଆଇଡି, ପାସ୍‌ଵାର୍ଡ ସେୟାର କରିଦେଇଥିଲେ। ଏହାପରେ ଠକ ଜଣକ ଗୋଟିଏ ପରେ ଗୋଟିଏ ଷ୍ଟେପ୍‌ କହିଚାଲିଲା ଆଉଯୁବତୀ ଜଣକ ମଧ୍ୟ କରିଚାଲିଲେ। ସନ୍ଧ୍ୟା ୭ଟା ୫୫ ସମୟରେ ସେ କଥା ହେଉଥିବା ବେଳେ ରାତି ୧୦ଟା ୦୫ ସମୟରେ ତାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା କଟିବା ଆରମ୍ଭ ହୋଇଗଲା। ପ୍ରଥମେ ୨ ଲକ୍ଷ ଲେଖାଏ ୨ ଥର କଟିବା ପରେ ତୃତୀୟ ଥର ୫୦ ହଜାର ଟଙ୍କା କାଟି ନେଇଥିଲା ସାଇବର୍‌ ଠକ। ଠକେଇର ଶିକାର ହୋଇଥିବା ଜାଣିବା ପରେ ସ୍ବର୍ଣ୍ଣିମା ସମ୍ବଲପୁର ସାଇବର୍‌ ଥାନାରେ ଲିଖିତ ଅଭିଯୋଗ କରିଥିଲେ।

ସମ୍ବନ୍ଧିତ ଖବର