କଟକ: ଅନ୍ଲାଇନ୍ ନିବେଶ ନାଁରେ ସାଧାରଣ ଲୋକଙ୍କ ଠାରୁ ଟଙ୍କା ଠକୁଥିବା ଦୁଇଟି ବଡ଼ ସାଇବର୍ ଠକ ଗ୍ୟାଙ୍ଗକୁ କାବୁ କରିଛି କ୍ରାଇମ୍ବ୍ରାଞ୍ଚ ପୁଲିସ। ଏହି ଠକ ଗ୍ୟାଙ୍ଗର ତିନି ଜଣଙ୍କୁ ଗିରଫ କରାଯାଇଥିବା ବେଳେ ସେମାନେ ୮ କୋଟି ୪୦ ଲକ୍ଷ ୫୩ ହଜାର ଟଙ୍କାର ଠକେଇ କରିଥିବାର ପ୍ରମାଣ ମିଳିଛି। ଜଣେ ଡାକ୍ତରଙ୍କ ଠାରୁ ବି ଏହି ସାଇବର୍ ଅପରାଧୀମାନେ ୬ କୋଟି ଟଙ୍କା ଠକି ନେଇଥିବା ଜଣାପଡ଼ିଛି।
ସୂଚନା ଅନୁଯାୟୀ, ୨୦୨୩ ଅକ୍ଟୋବର ୪ରେ କଟକ ଜିଲ୍ଲା ପୁରୀଘାଟ ଥାନା ଅଞ୍ଚଳରେ ରହୁଥିବା ଜଣେ ୫୦ ବର୍ଷୀୟ ବ୍ୟକ୍ତି ସେୟାର ବଜାରରେ ଟଙ୍କା ନିବେଶ କରିଥିଲେ। ସାଇବର୍ ଠକମାନେ ତାଙ୍କୁ ପ୍ରଥମେ ସି-୫୧ ଆଇସିଆଇସିଆଇ ସିକ୍ୟୁରିଟି ଅଫିସିଆଲ୍ ଷ୍ଟକ ନାଁରେ ଏକ ହ୍ୱାଟ୍ସଆପ୍ ଗ୍ରୁପରେ ଯୋଡ଼ିଥିଲେ। ଏହାସହିତ ନକଲି ଆପ୍ ମାଧ୍ୟମରେ ସେୟାର ବଜାରରେ ଟଙ୍କା ନିବେଶ କରିବାକୁ ପ୍ରୋତ୍ସାହିତ କରିଥିଲେ। ଯେତେବେଳେ ପୁରୀଘାଟ ଅଞ୍ଚଳର ବ୍ୟକ୍ତି ଟଙ୍କା ନିବେଶ କଲେ ପ୍ରାଥମିକ ଭାବେ ତାଙ୍କୁ ଭଲ ଲାଭ ଟଙ୍କା ଫେରସ୍ତ ମିଳିଥିଲା। ପରବର୍ତ୍ତୀ ସମୟରେ ଆଇପିଓ ମାଧ୍ୟମରେ ତାଙ୍କୁ ନକଲି ଋଣ ଅଫର୍ ଦେଇ ଦେଢ଼ କୋଟି ଟଙ୍କା ଫେରସ୍ତ କରିବାକୁ ଅପରାଧୀମାନେ ଚାପ ପକାଇଥିଲେ। ସାଇବର ଅପରାଧୀମାନେ ତାଙ୍କଠାରୁ ୨ କୋଟି ୩୬ ଲକ୍ଷ ଟଙ୍କା ଠକି ନେଇଥିଲେ।
ଡାକ୍ତର ବାବୁଙ୍କଠାରୁ ପୋଛି ନେଇଥିଲେ ୬ କୋଟି ଟଙ୍କା
ରାଜ୍ୟ ବାହାରୁ ତିନି ସାଇବର୍ ଠକ ଗିରଫ
ଏ ସଂକ୍ରାନ୍ତରେ ସେ କ୍ରାଇମବ୍ରାଞ୍ଚର ସାଇବର୍ ଥାନାରେ ଅଭିଯୋଗ କରିଥିଲେ। ଘଟଣାର ତଦନ୍ତ ପାଇଁ ଅତିରିକ୍ତ ଏସ୍ପି ସତ୍ୟ ବିକାଶ ଭୂୟାଁଙ୍କୁ ଦାୟିତ୍ବ ଦିଆଯାଇଥିଲା। ମାମଲାରେ ତଦନ୍ତ କରି କ୍ରାଇମ୍ବ୍ରାଞ୍ଚ କୋଲକାତାର ନିଖିଲ ଜୟସ୍ୱାଲକୁ ଗିରଫ କରିଛି। ପୂର୍ବରୁ ଏହି ଘଟଣାରେ ହାଇଦ୍ରାବାଦରୁ ମହମ୍ମଦ ଜାକିକୁ ଗିରଫ କରାଯାଇଥିଲା। ଅଭିଯୁକ୍ତ ନିଖିଲ ନିକଟରୁ ମୋବାଇଲ୍ ଫୋନ୍, ସିମ୍ କାର୍ଡ, ଆଧାର ଏବଂ ପାନ୍ କାର୍ଡ, ବ୍ୟାଙ୍କ କାଗଜପତ୍ର ଇତ୍ୟାଦି ଜବତ ହୋଇଛି। ତାର ଏକାଧିକ ବ୍ୟାଙ୍କ ଆକାଉଣ୍ଟକୁ ଫ୍ରିଜ୍ କରାଯାଇଛି। ଏହି କାରବାରରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ପୁଲିସ ଟିମ୍ ରାଜ୍ୟ ବାହାରେ ତଦନ୍ତ ଚଳାଇଛି।
ସେହିଭଳି ଜଣେ ଡାକ୍ତରଙ୍କର ୬ କୋଟି ୪ ଲକ୍ଷ ୫୩ ହଜାର ଟଙ୍କା ଠକେଇ ଘଟଣାରେ କ୍ରାଇମବ୍ରାଞ୍ଚ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ସେ ହେଉଛି ପଶ୍ଚିମବଙ୍ଗ କୋଲକାତାର ତାପସ ହାଲଦାର (୨୮)। ପୂର୍ବରୁ ଏହି ଠକେଇ କାରବାରରେ ପଶ୍ଚିମବଙ୍ଗ ଦାର୍ଜିଲିଂ ଜିଲ୍ଲା ସିଲିଗୁଡ଼ିର ପ୍ରଧାନନଗର ଅଞ୍ଚଳର ଅଶୋକ ନନ୍ଦ ଓ ଉତ୍ତର ୨୪ ପ୍ରଗଣାର ଜୟରାଣୀ ବସାକଙ୍କୁ ଗିରଫ କରାଯାଇଛି। ଏହି ସାଇବର୍ ଠକ ଗ୍ୟାଙ୍ଗ ଡାକ୍ତରଙ୍କୁ ଆଇପିଓ ଓ ଓଟିସି ଟ୍ରେଡିଂରେ ନିବେଶ କରିବାକୁ କହି ଟଙ୍କା ଠକି ନେଇଥିଲା। ସେ ଜାନୁଆରି ୧୩ରେ ଏତଲା ଦେଇଥିଲେ। କ୍ରାଇମବ୍ରାଞ୍ଚ ତଦନ୍ତ ସମୟରେ ନିବେଶ ନାଁରେ ଯାଇଥିବା ଏହି ଟଙ୍କା ୨୨ଟି ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟରେ ଜମା ହୋଇଥିଲା। ଜମାକାରୀଙ୍କ ୮ଟି ବ୍ୟାଙ୍କ ଆକାଉଣ୍ଟରୁ ଏହି ଟଙ୍କା ଯାଇଥିଲା।