ସମ୍ବଲପୁର: ନିର୍ବାଚନ ଋତୁକୁ ସାଇବର୍ ଠକମାନେ ଫୁଲ୍ଦମ୍ରେ ବ୍ୟବହାର କରିଛନ୍ତି। ଭୋଟର ତାଲିକାରେ ନାମ ଯୋଡ଼ିବା ନାଁରେ ସେମାନେ ଠକେଇ ଆରମ୍ଭ କରି ଦେଇଛନ୍ତି। ଭୋପାଳର ସାଇବର କ୍ରାଇମ୍ ସେଲ୍ର ଅଧିକାରୀଙ୍କ ସୂଚନା ଅନୁଯାୟୀ, ମାସେ ମଧ୍ୟରେ ସାଇବର ଅପରାଧୀମାନେ ଏହି କଥା କହି ୩ ଜଣଙ୍କ ଠାରୁ ସାଢ଼େ ୩ ଲକ୍ଷ ଟଙ୍କା ଠକି ସାରିଲେଣି। ଓଡ଼ିଶାରେ ମଧ୍ୟ ସାଇବର୍ ଠକମାନେ ଏହି ଉପାୟରେ ଠକେଇ କରିବା ପାଇଁ ଜାଲ ବିଛାଇବା ଆରମ୍ଭ କରି ଦେଲେଣି। ଭୋଟର ତାଲିକାରେ ନାଁ ଯୋଡ଼ିବା ପାଇଁ ନୂଆ ଭୋଟରଙ୍କୁ ଠକମାନେ ଟାର୍ଗେଟ୍ କରୁଛନ୍ତି।
ନୂଆ ଭୋଟରଙ୍କ ମୋବାଇଲ୍ ନମ୍ବରକୁ କଲ୍ ଓ ମେସେଜ୍ କରି ନାଁ ଯୋଡ଼ିବା ପାଇଁ ବିଭିନ୍ନ ଲିଙ୍କ୍ ଦେଉଛନ୍ତି। ହ୍ବାଟ୍ସଆପ୍, ଫେସ୍ବୁକ୍, ଇନ୍ଷ୍ଟାଗ୍ରାମ, ଟେଲିଗ୍ରାମ୍ ଭଳି ସାମାଜିକ ଗଣମାଧ୍ୟମରେ ମଧ୍ୟ କଲ୍ ଓ ମେସେଜ୍ କରି ତାଲିକାରେ ନାଁ ଯୋଡ଼ିବା ନାଁରେ ଜାଲ ବିଛାଉଛନ୍ତି। କେହି ଆଗ୍ରହ ପ୍ରକାଶ କଲେ ସେମାନଙ୍କୁ ନାଁ ଯୋଡ଼ିବା ପରେ ଅପଡେଟ୍ ହୋଇଥିବା ଭୋଟର ତାଲିକାର ସ୍କ୍ରିନ୍ସଟ୍ ପ୍ରମାଣ ଆକାରରେ ଦେବାକୁ ପ୍ରତିଶ୍ରୁତି ମଧ୍ୟ ଦେଉଛନ୍ତି। ସେମାନଙ୍କ କଥାକୁ ବିଶ୍ବାସ କରି ଯଦି କେହି ଟଙ୍କା ଦେଉଛି, ତାପରେ ସେମାନେ ଆଉ ଯୋଗାଯୋଗ ରଖୁ ନାହାନ୍ତି। ସୂଚନା ଅନୁଯାୟୀ, ମୁଖ୍ୟତଃ ଝାଡ଼ଖଣ୍ଡ ଅଞ୍ଚଳରୁ ଏଭଳି କଲ୍ କରାଯାଉଛି। ତାଲିକାରେ ଝାଡ଼ଖଣ୍ଡର ପାଲାମୁ ଏବଂ ଡୁମକା ଭଳି ନାଁ ରହିଛି। ଏହାକୁ ଦୃଷ୍ଟିର ରଖି ସମ୍ବଲପୁର ପୁଲିସ ପକ୍ଷରୁ ଏକ ସଚେତନତା ବାର୍ତ୍ତା ଦିଆଯାଇଛି। ଏସ୍ପି ସମ୍ବଲପୁରଙ୍କ ଆକାଉଣ୍ଟରୁ ସାମାଜିକ ଗଣମାଧ୍ୟମରେ କରାଯାଇଥିବା ପୋଷ୍ଟ୍ରେ ‘ଭୋଟର ତାଲିକାରେ ନିଜର ନାଁ ଯୋଡ଼ିବାକୁ କୌଣସି ଅଜଣା ଲଙ୍କ୍ କିମ୍ବା ଫୋନ୍ କଲ୍କୁ ଭରସା କରନ୍ତୁ ନାହିଁ। ଭୋଟର ତାଲିକାରେ ନାଁ ଅପଡେଟ୍ କରିବା ପାଇଁ ନିର୍ବାଚନ କମିସନ କେବେ ବି କୌଣସି ଦେୟ ମାଗନ୍ତି ନାହିଁ’ ବୋଲି ଉଲ୍ଲେଖ କରାଯାଇଛି। କୌଣସି ପ୍ରକାର ସନ୍ଦେହ ହେଲେ ସମ୍ବଲପୁର ସାଇବର୍ ସେଲ୍ (cyberhelpdesk.sbp@odisha) କିମ୍ବା ଓଡ଼ିଶା ପୁଲିସ(http://police.gov.in)ରେ ରିପୋର୍ଟ କରିବା ପାଇଁ କୁହାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/11/voter-card-f.jpg)