ଖଣି ସହରରେ ମାତିଛନ୍ତି ସାଇବର ଲୁଟେରା: ପୌରପାଳିକା ଆକାଉଣ୍ଟରୁ ୨.୪୫ କୋଟି ପୋଛିନେଲେ!

କେନ୍ଦୁଝର/ବଡ଼ବିଲ: କେନ୍ଦୁଝର ଜିଲ୍ଲାର ଖଣି ସହର ଯୋଡ଼ା ଓ ବଡ଼ବିଲରେ ମାତିଛନ୍ତି ସାଇବର ଲୁଟେରା। କିଛିଦିନ ତଳେ ସାଇବର ଲୁଟେରାମାନେ ଯୋଡ଼ାର ଠିକାଦାର ପ୍ରମୋଦ କୁମାର ରାଉତଙ୍କ ଆକାଉଣ୍ଟରୁ ୨ କୋଟି ୩୪ ଲକ୍ଷ ଟଙ୍କା ଲୁଟିଥିବା ବେଳେ ଏଥର ଲୁଟ୍‌ର ଶିକାର ହୋଇଛି ବଡ଼ବିଲ ପୌରପାଳିକା। ପୌରପାଳିକାର ଆକାଉଣ୍ଟରୁ ସାଇବର ଲୁ‌ଟେରାମାନେ ପ୍ରାୟ ୨ କୋଟି ୪୫ ଲକ୍ଷ ଟଙ୍କା ଉଠାଇ ନେଇଥିବା ସୂଚନା‌ ମିଳିଛି।

ବଡ଼ବିଲ ପୌରପାଳିକାର ଆକାଉଣ୍ଟ ସହରର ଏକ ଜାତୀୟକରଣ ବ୍ୟାଙ୍କରେ ରହିଛି। ଏହି ଆକାଉଣ୍ଟରୁ କେହି ଚଞ୍ଚକତା କରି ୨ କୋଟି ୪୫ ଲକ୍ଷ ଟଙ୍କା ଟ୍ରାନ୍‌ସଫର କରି ନେଇଥିବା ଜଣାଯାଇଛି। ଏ ସଂପର୍କରେ ବଡ଼ବିଲ ପୌରପାଳିକା ପକ୍ଷରୁ କୌଣସି ତଥ୍ୟ ଦିଆଯାଉ ନଥିଲେ ବି ଏଭଳି ଠକେଇକୁ ସ୍ବୀକାର କରିଛନ୍ତି ଖୋଦ୍ ବଡ଼ବିଲ ପୌରନିର୍ବାହୀ ଅଧିକାରୀ ଅଭିଷେକ ପଣ୍ଡା। ସେ କହିଛନ୍ତି ଯେ ବଡ଼ବିଲ ଥାନାରେ ଅଭିଯୋଗ କରିଛନ୍ତି। ବର୍ତ୍ତମାନ ତଦନ୍ତ ଚାଲିଥିବାରୁ ଅଧିକ କିଛି କହିବା ଠିକ୍‌ ହେବ ନାହିଁ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ ଯେ କିଛିଦିନ ତଳେ ସାଇବର ଲୁଟେରାମାନେ ନିଜକୁ କେନ୍ଦ୍ର ସରକାରଙ୍କ ଅଧିକାରୀ ବୋଲି ପରିଚୟ ଦେଇ ଠିକାଦାର ପ୍ରମୋଦ କୁମାର ରାଉତଙ୍କୁ ବୀମା କରିବାକୁ କହିଥିଲେ। ବୀମା କଲେ ତାଙ୍କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ପୁରସ୍କୃତ କରାଯିବ ବୋଲି ପ୍ରଲୋଭନ ଦେଖାଇ ତାଙ୍କ ଆକାଉଣ୍ଟରୁ ୨ କୋଟି ୩୪ ଲକ୍ଷ ଟଙ୍କା ପୋଛି ନେଇଥିଲେ। ଯୋଡ଼ା‌ ଓ ବଡ଼ବିଲ ପରି ଖଣି ସହରରେ ଗୋଟିଏ ପରେ ଗୋଟିଏ ବଡ଼ଧରଣର ସାଇବର ଅପରାଧ ସାମ୍ନାକୁ ଆସିବା କେନ୍ଦୁଝର ପୁଲିସ ପାଇଁ ଚିନ୍ତାର ବିଷୟ ପାଲଟିଛି।

ସମ୍ବନ୍ଧିତ ଖବର