କଟକ: ଏଣିକି ଏମସିଏ ଅଥବା ବିସିଏ ଡିଗ୍ରିଧାରୀ ଯୁବକ ଯୁବତୀଙ୍କୁ ମିଳିବ ପୁଲିସ ବିଭାଗରେ ନିଯୁକ୍ତି। ସେମାନଙ୍କୁ ସାଇବର୍ ଅପରାଧର ତଦନ୍ତ ପାଇଁ ତାଲିମ ପ୍ରଦାନ କରାଯାଇ ରାଜ୍ୟରେ ଖୋଲିବାକୁ ଥିବା ୩୨ଟି ସାଇବର୍ ଥାନାରେ ନିଯୁକ୍ତି ଦିଆଯିବ। ଓଡ଼ିଶା ପୁଲିସ କ୍ରାଇମ୍ବ୍ରାଞ୍ଚ ଏଭଳି ନିଷ୍ପତ୍ତି ନେଇଛି। ଏବେ ପ୍ରାଥମିକ ପର୍ଯ୍ୟାୟରେ ତିନୋଟି ରେଞ୍ଜରେ ମୋଟ ୩୪୦ ଜଣ ଏସ୍ଆଇ ଓ କନ୍ଷ୍ଟେବଳଙ୍କୁ ୨ ଦିନିଆ ସାଇବର୍ ଇନ୍ଭେଷ୍ଟିଗେସନ୍ ଟୁଲ୍ସ ଏବ˚ ମେକାନିଜିମ୍ ତାଲିମ ପ୍ରଦାନ କରାଯାଇଛି। ୨୦୨୦ ପୂର୍ବରୁ ରାଜ୍ୟରେ ୧ ହଜାର ଏସ୍ଆଇ ଓ କନ୍ଷ୍ଟେବଳଙ୍କୁ ତାଲିମ ଯୋଗାଇବାକୁ ଲକ୍ଷ୍ୟ ରଖାଯାଇଥିବା ସୂଚନା ମିଳିଛି।
ସୂଚନା ଓ ପ୍ରଯୁକ୍ତି ବିଦ୍ୟା ଆଇନରେ ସାଇବର ଅପରାଧ ମାମଲାର ତଦନ୍ତ କେବଳ ଇନ୍ସ୍ପେକ୍ଟର ପାହ୍ୟାର ଅଧିକାରୀ କରିପାରିବେ। ତଳ ପାହ୍ୟାର ଅଧିକାରୀମାନେ ସେମାନଙ୍କୁ କେବଳ ତଦନ୍ତ ପ୍ରକ୍ରିୟାରେ ସହଯୋଗ କରିବେ। ଏଥିପାଇଁ ପ୍ରଥମ ପର୍ଯ୍ୟାୟରେ ସମ୍ବଲପୁର, ରାଉରକେଲା, ଅନୁଗୁଳରେ ୩୪୦ କନ୍ଷ୍ଟେବଳ ଏବ˚ ଏସ୍ଆଇଙ୍କୁ ତାଲିମ ଦିଆଯାଇଛି। ପରେ ଅବଶିଷ୍ଟ ରେଞ୍ଜରେ ୨ ଦିନିଆ ତାଲିମ ଯୋଗାଇ ଦିଆଯିବ। ଅନ୍ୟପଟେ ଭୁବନେଶ୍ବରରେ କେନ୍ଦ୍ର ସରକାରଙ୍କ ସିସିପିଡବ୍ଲୁ ସ୍କିମ୍ରେ ସାଇବର୍ ଫରେନ୍ସିକ ତାଲିମ ଲ୍ୟାବ୍ ଆରମ୍ଭ ହେବାକୁ ଯାଉଛି। ଏକ କାଳୀନ ୨୦୦ ଅଫିସରଙ୍କୁ ସେଠାରେ ତାଲିମ ଦିଆଯାଇ ପାରିବ। ଏଠି ସାଇବର ଅପରାଧର ତଦନ୍ତ ପାଇଁ ଅତ୍ୟାଧୁନିକ ଯନ୍ତ୍ରା˚ଶ ରଖାଯିବ। ଡାଟା ରିକଭରି ଟୁଲ୍ସ ଫ୍ରମ ଡ୍ୟାମେଜ ହାର୍ଡ ଡ୍ରାଇଭ୍, ଭିଡିଓ ଆନାଲିସିସ୍ ଆଣ୍ତ ଏନ୍ହାନ୍ସମେଣ୍ଟ ଟୁଲ୍ସ, ଅଡିଓ ଭିଡିଓ ଫରେନ୍ସିକ ଆଣ୍ତ ସିସିଟିଭି ଆନାଲିସିସ୍ ଟୁଲ୍ସ, ସୋସିଆଲ୍ ମିଡିଆ ଆନାଲିସିସ୍ ଟୁଲ୍ସ, ପାସଵାର୍ଡ ଡିକ୍ରିପସନ୍ ଟୁଲ୍ସ ଇତ୍ୟାଦି ଆସିଛି। ଡିସେମ୍ବରରେ ଏହି ଲ୍ୟାବ୍ ଖୋଲିବାକୁ ଯାଉଥିବା କ୍ରାଇମ୍ବ୍ରାଞ୍ଚ ଏଡିଜି ସନ୍ତୋଷ ଉପାଧ୍ୟାୟ ସୂଚନା ଦେଇଛନ୍ତି। ଚଳିଚ ବର୍ଷ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଅଗଷ୍ଟ ୩୦ ତାରିଖରେ ଖୋଲିଥିବା ନ୍ୟାସନାଲ ସାଇବର କ୍ରାଇମ୍ ରିପୋର୍ଟି˚ ପୋର୍ଟାଲ୍ରେ ଓଡ଼ିଶାରୁ ପ୍ରାୟ ୨୧୬ଟି ମାମଲା ଅନ୍ଲାଇନ୍ରେ ପଂଜୀକରଣ କରାଯାଇଛି। କ୍ରାଇମ୍ବ୍ରାଞ୍ଚ ମାମଲାଗୁଡ଼ିକ ଅନୁଧ୍ୟାନ କରିବା ପରେ ଜିଲ୍ଲା ଏସ୍ପିଙ୍କ ନିକଟକୁ ପଠାଇ ଦିଆଯାଇଛି। କ୍ରାଇମ୍ବ୍ରାଞ୍ଚରେ ଦୁଇ ଜଣ ଅଫିସରଙ୍କୁ ସ୍ବତନ୍ତ୍ର ଭାବେ ନିୟୋଜିତ କରାଯାଇଛି। ଫେସ୍ବୁକରେ ବିଭିନ୍ନ ସମୟରେ ଭାଇରାଲ୍ ହେଉଥିବା ହି˚ସା ସୃଷ୍ଟିକାରୀ ପୋଷ୍ଟ ଉପରେ ନଜର ରଖିବାକୁ ସ୍ବତନ୍ତ୍ର ସେଲ୍ କ୍ରାଇମ୍ବ୍ରାଞ୍ଚ ପକ୍ଷରୁ ଖୋଲାଯାଇଛି। ଫେସ୍ବୁକରେ କ୍ରାଇମ୍ବ୍ରାଞ୍ଚ ପକ୍ଷରୁ ଏକ ପେଜ୍ ଖୋଲାଯାଇ ସାଇବର ଏକ୍ସପର୍ଟ ଏବ˚ ସାଧାରଣ ଜନତାଙ୍କ ନିକଟରୁ ଘଟୁଥିବା ସାଇବର ଅପରାଧ ସମ୍ପର୍କିତ ବିଭିନ୍ନ ତଥ୍ୟ ଓ ପରାମର୍ଶ ଆହ୍ବାନ କରାଯିବା ସମ୍ପର୍କରେ ଶ୍ରୀ ଉପାଧ୍ୟାୟ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ ଯେ, ଗଲା ଜୁନ ୧୮ ତାରିଖରେ ୧୭ ତାରିଖରେ ଭୁବନେଶ୍ବରରେ ରାଜ୍ୟର ୨୦୦ ଇନ୍ସ୍ପେକ୍ଟର ଓ ଏସ୍ଆଇଙ୍କୁ ୩ ଦିନିଆ ସାଇବର୍ ତାଲିମ ପ୍ରଦାନ କାରଯାଇଥିଲା। କ୍ରାଇମ୍ବ୍ରାଞ୍ଚ ଓ ୟୁନିସେଫ୍ର ମିଳିତ ଉଦ୍ୟମରେ ପ୍ରାଥମିକ ତାଲିମ ଦିଆଯାଇଥିଲା। ପୁଣି ସେମାନଙ୍କୁ ଦ୍ବିତୀୟ ପର୍ଯ୍ୟାୟରେ ତାଲିମ ପ୍ରଦାନ କରାଯିବ ବୋଲି ସୂଚନା ମିଳିଛି।