ଭୁବନେଶ୍ବର,୧: ଆସନ୍ତାକାଲି ‘ସୁଭଦ୍ରା’ ଯୋଜନାର ଆରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ରାଜ୍ୟରେ ଏହି ଯୋଜନାକୁ ନେଇ ଲୋକଙ୍କ ଭିତରେ ଉତ୍ସାହ ଦେଖିବାକୁ ମିଳିଛି। ଏହାର ସୁଯୋଗ ନେବାକୁ ବସିଛନ୍ତି ସାଇବର ଲୁଟେରା।  ସୁଭଦ୍ରା ଯୋଜନାରେ ଟଙ୍କା ମିଳିବାର ଲୋଭ ଦେଖାଇ ଲୋକଙ୍କୁ ଫେକ୍ ଲିଙ୍କ୍‌ ପଠାଉଛନ୍ତି। ଲିଙ୍କ୍‌ରେ କ୍ଲିକ୍‌ କରିବା ମାତ୍ରେ ଆକାଉଣ୍ଟରୁ ଟଙ୍କା ଖାଲି ହୋଇଯାଉଛି। ପୁରୀ ଜିଲ୍ଲା ନିମାପଡ଼ା ଅଞ୍ଚଳର ଲୁସି ସ୍ୱାଇଁ ନାମକ ଜଣେ ମହିଳା ଏଭଳି ଠକେଇର ଶିକାର ହୋଇଛନ୍ତି। ଏନେଇ ସାଇବର ଥାନା ଅଭିଯୋଗ ହେବା ପରେ ଘଟଣା ପଦାକୁ ଆସିଛି। ଏଭଳି ଲିଙ୍କ୍‌ କିମ୍ବା ଫୋନ୍ କଲ୍‌କୁ ବିଶ୍ବାସ ନ କରିବାକୁ ପରାମର୍ଶ ଦେଇଛନ୍ତି ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗ ଦାୟିତ୍ବରେ ଥିବା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ସେ କହିଛନ୍ତି, ବ୍ୟାଙ୍କ କିମ୍ବା ବିଭାଗ ପକ୍ଷରୁ ହିତାଧିକାରୀମାନଙ୍କୁ ଏପରି କୌଣସି ଫୋନ୍‌ କଲ ଯାଏ ନାହିଁ। କେବଳ ଏସ୍‌ଏମ୍‌ଏସ୍‌ ଦିଆଯାଏ। ଏପରି କୌଣସି ଲିଙ୍କ୍‌ ସରକାର କିମ୍ବା କୌଣସି ବ୍ୟାଙ୍କ ତରଫରୁ ଜାରି କରାଯାଇ ନାହିଁ। ସମସ୍ତ ଯୋଗ୍ୟ ହିତାଧିକାରୀଙ୍କ ଆକାଉଣ୍ଟକୁ ପର୍ଯ୍ୟାୟକ୍ରମେ ପ୍ରଥମ କିସ୍ତିର ଟଙ୍କା ଦିଆଯିବ। ଏଣୁ ଏପରି ଫୋନ କଲ୍‌ ଓ କୌଣସି ଲିଙ୍କ୍‌ରେ କ୍ଲିକ୍‌ ନ କରିବାକୁ ସେ ଜନସାଧାରଣଙ୍କୁ ସତର୍କ କରିଛନ୍ତି। 

Advertisment

ମହିଳାଙ୍କ ଆକାଉଣ୍ଟ୍‌ରୁ ନେଇଗଲେ ୧୫ ହଜାର
ଲିଙ୍କ୍‌ରେ କ୍ଲିକ୍‌ ନକରିବାକୁ ସଚେତନ କରାଇଲେ ଉପମୁଖ୍ୟମନ୍ତ୍ରୀ

ସୂଚନା ମୁତାବକ, ରବିବାର ସକାଳ ସମୟରେ ଏକ ଅଜଣା ନମ୍ବରରୁ ଲୁସିଙ୍କୁ କଲ୍‌ ଆସିଥିଲା। ଆଉ ତାଙ୍କ ଆକାଉଣ୍ଟକୁ ସୁଭଦ୍ରା ଯୋଜନାରେ ଟଙ୍କା ଯାଇଥିବା ସେ କହିଥିଲେ। ଆଉ ଏହାର ଯାଞ୍ଚ କରି ତଥ୍ୟ ଦେବାକୁ କହିଥିଲେ। ଯଦି ନଆସିଥାଏ ତେବେ ସେଥିରେ ସମସ୍ତ ତଥ୍ୟ ଦେବାକୁ ସମ୍ପୃକ୍ତ ବ୍ୟକ୍ତି କହିଥିଲେ। ଏଥିପାଇଁ ସେ ତାଙ୍କୁ ଏକ ଲିଙ୍କ୍‌ ପଠାଇଥିଲେ। ଲୁସିଙ୍କ ମୋବାଇଲ୍‌କୁ ଏକ ଲିଙ୍କ୍‌ ଆସିଥିଲା। ଲୁସି ଲିଙ୍କ୍‌ ଯାଞ୍ଚ ବେଳେ କୌଣସି ଟଙ୍କା ଆସି ନଥିବା ଦେଖିଥିଲେ। ଆବେଦନ କରିବାକୁ ହେବ ବୋଲି ଲେଖାଯାଇଥିଲା। ଲୁସି ଲିଙ୍କ୍‌କୁ କ୍ଲିକ୍‌ କରି ସେଠାରେ ମଗାଯାଇଥିବା ନିଜର ପରିଚୟ ଠାରୁ ଆରମ୍ଭ କରି ବ୍ୟାଙ୍କ ତଥ୍ୟ ପର୍ଯ୍ୟନ୍ତ ସବୁ ଦେଇଥିଲେ। ଲିଙ୍କ୍‌ରେ ସମସ୍ତ ତଥ୍ୟ ଦେବାର କିଛି କ୍ଷଣ ପରେ ଟଙ୍କା ଆସିବ କ’ଣ? ପାଲଟା ତାଙ୍କ ଆକାଉଣ୍ଟରୁ ୧୫ ହଜାରରୁ ଊର୍ଧ୍ବ ଟଙ୍କା କଟିଥିଲା। ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା କଟିବା ନେଇ ମେସେଜ୍‌ ଆସିବା ପରେ ଚିନ୍ତାରେ ପଡ଼ିଥିଲେ। ଠକେଇର ଶିକାର ହୋଇଥିବା ଜାଣିବା ପରେ ସ୍ବାମୀ ଜିତେନ୍ଦ୍ର ସ୍ବାଇଁ ପ୍ରଥମେ ନିମାପଡ଼ା ଓ ପରେ ସାଇବର ଥାନାରେ ଅଭିଯୋଗ କରିଥିଲେ। ତେବେ କେବଳ ଲୁସି ନୁହନ୍ତି, ସାଇବର ଲୁଟେରା ଅନ୍ୟମାନଙ୍କୁ ମଧ୍ୟ ସମାନ ଢଙ୍ଗରେ ଲୁଟିବାକୁ ଯୋଜନା କରିଛନ୍ତି। 

ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ଯେ ‘ସୁଭଦ୍ରା’ ଯୋଜନାର ଯୋଗ୍ୟ ହିତାଧିକାରୀଙ୍କୁ ଆସନ୍ତାକାଲି ପ୍ରାରମ୍ଭିକ ପର୍ଯ୍ୟାୟରେ ଯୋଜନାର ପ୍ରଥମ କିସ୍ତି ପ୍ରଦାନ କରାଯିବ। ହିତାଧିକାରୀମାନଙ୍କ ବ୍ୟାଙ୍କ ଖାତା ସଚଳ ଅଛି କି ନାହିଁ ଏବଂ ସ୍ୱଚ୍ଛତା ଅନୁଧ୍ୟାନ କରିବା ନିମନ୍ତେ ଯୋଗ୍ୟ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପରୀକ୍ଷାମୂଳକ ଭାବେ ୧ଟଙ୍କା ଲେଖାଏ ପଠାଯାଇଛି। ଏକ ଟଙ୍କା ପଠାଯିବା ପରେ ତାହା ଏସ୍‌ଏମ୍‌ଏସ୍‌ ଜରିଆରେ ହିତାଧିକାରୀଙ୍କୁ ମଧ୍ୟ ଅବଗତ କରାଯାଉଛି। ଆକାଉଣ୍ଟକୁ ‘ଏକ ଟଙ୍କା ପ୍ରଦାନ’ ଏକ ନିରନ୍ତର ପ୍ରକ୍ରିୟା। ଯେଉଁମାନଙ୍କ ଆକାଉଣ୍ଟକୁ ଏକ ଟଙ୍କା ଯାଇନାହିଁ, ସେମାନଙ୍କ ଆବେଦନ ଫର୍ମ ବିଚାରାଧୀନ ଅଛି। ଆବେଦନ ଫର୍ମଗୁଡ଼ିକର ଯାଞ୍ଚ ପରେ ଅନ୍ୟ ଯୋଗ୍ୟ ହିତାଧିକାରୀମାନଙ୍କ ବ୍ୟାଙ୍କ ଖାତାକୁ ମଧ୍ୟ ପରୀକ୍ଷାମୂଳକ ଭାବେ ଏକ ଟଙ୍କା ପ୍ରଦାନ କରାଯିବ। ଫଳରେ ପ୍ରକ୍ରିୟାର ସ୍ୱଚ୍ଛତା ସୁନିଶ୍ଚିତ ହୋଇପାରିବ।