ରାଇରଙ୍ଗପୁର : ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରରେ ଏକ ବଡ଼ଧରଣର ସାଇବର ଠକେଇ ପଦାକୁ ଆସିଥିବାବେଳେ ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ହ୍ୟାକ୍ କରି ସାଇବର ଲୁଟେରାମାନେ ୧୭ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ଏହି ଘଟଣାରେ ୨ ଜଣ ଅଟକ ଥିବା ବେଳେ ପୁଲିସ ଅଧିକ ତଦନ୍ତ ଜାରି ରଖିଛି।
ସୂଚନା ଅନୁଯାୟୀ, ତିରିଂ ଥାନା ସାନଡ଼ାଳିମା ଗ୍ରାମର ମନୋଜ କୁମାର ମଣ୍ତଳ ଆଜିକୁ ୧୦ ବର୍ଷ ହେଲା ରାଇରଙ୍ଗପୁରର ଏକ ଲଜ୍ରେ ରହିବା ସହ ନିଜକୁ ପଞ୍ଚାୟତ ନିର୍ବାହୀ ଅଧିକାରୀ ଭାବେ ପରିଚୟ ଦେଉଥିଲେ। ୪ ମାସ ତଳେ ବାଦାମପାହାଡ଼ ଥାନା ଉକାମ ଗ୍ରାମର ରତିକାନ୍ତ ମହାନ୍ତଙ୍କ ସହ ତାଙ୍କର ପରିଚୟ ହୋଇଥିଲା। ପରେ ସେମାନଙ୍କ ମଧ୍ୟରେ ଘନିଷ୍ଠତା ବଢ଼ିଥିଲା। କିଛିଦିନ ପରେ ମନୋଜ ଅଫିସ୍ କାମ ଥିବା କହି ରତିକାନ୍ତଙ୍କ ବ୍ୟାଙ୍କ ଆକାଉଣ୍ଟ ନମ୍ବର ଓ ମୋବାଇଲ୍ ସିମ୍ ମାଗିଥିଲେ। ରତିକାନ୍ତ ମଧ୍ୟ କିଛି ନ ଭାବି ତାଙ୍କୁ ଆକାଉଣ୍ଟ ନମ୍ବର ଓ ମୋବାଇଲ୍ ସିମ୍ ଦେଇଥିଲେ। କିଛି ମାସ ତଳେ ରାଇରଙ୍ଗପୁର ଆଇସିଆଇସିଆଇ ବ୍ୟାଙ୍କରେ ଥିବା ରତିକାନ୍ତଙ୍କ ଆକାଉଣ୍ଟରେ ୧୭ ଲକ୍ଷ ଟଙ୍କା ଜମା ହୋଇଥିଲା। ପରେ ଉକ୍ତ ଟଙ୍କା ପଶ୍ଚିମବଙ୍ଗର ୪ ଜଣ ଭିନ୍ନ ଭିନ୍ନ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର ହୋଇଥିଲା। ସେହି ଟଙ୍କା ଗୁଜରାଟ ଭଡ଼ୋଦରା ଥାନା ଅଞ୍ଚଳର ଜଣେ ବ୍ୟକ୍ତିଙ୍କର ବୋଲି ଜଣାପଡ଼ିଛି। ସେ ତାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୧୭ ଲକ୍ଷ ହଡ଼ପ ହୋଇଥିବା ଅଭିଯୋଗ କରିଥିଲେ। ତାଙ୍କ ଅଭିଯୋଗକୁ ଆଧାର କରି ଗୁଜରାଟ ସାଇବର ପୁଲିସର ଏକ ଟିମ୍ ରାଇରଙ୍ଗପୁର ଆସି ସ୍ଥାନୀୟ ପୁଲିସ ସହାୟତାରେ ମନୋଜ ଓ ରତିକାନ୍ତଙ୍କୁ ଧରିଛି। ସେମାନଙ୍କୁ ରାଇରଙ୍ଗପୁର ଟାଉନ୍ ଥାନାରେ ଅଟକ ରଖାଯିବା ସହ ପଚରାଉଚରା ଚାଲିଛି।