ହୀରାକୁଦ : ସମ୍ବଲପୁର ମହାନଗର ନିଗମ(ଏସ୍‌ଏମ୍‌ସି) ଅଧୀନ ଅଞ୍ଚଳରେ ସାଇବର ଠକେଇ କମିବାର ନାଁ ନେଉନାହିଁ। ନିକଟରେ ଜଣେ କ୍ରେଡିଟ୍‌ କାର୍ଡ ବାହାନାରେ ଠକେଇର ଶିକାର ହୋଇଥିବା ବେଳେ ଏବେ କାର୍‌ କିଣିବା ପାଇଁ ହୀରାକୁଦର ଜଣେ ବ୍ୟକ୍ତି ସାଇବର୍‌ ଠକେଇର ଶିକାର ହୋଇଛନ୍ତି।

Advertisment

ହୀରାକୁଦ ପଥର ଲାଇନ୍‌ ଅଞ୍ଚଳର ପ୍ରଦୀପ କୁମାର ପ୍ରଧାନ ଫେସ୍‌ବୁକ୍‌ରେ କାର୍‌ ବିକ୍ରି ନେଇ ଏକ ବିଜ୍ଞାପନ ଦେଖିଥିଲେ। କାର୍‌ର ମୂଲ୍ୟ କମ୍‌ ଥିବାରୁ ଲୋଭରେ ପଡ଼ି ସେ କିଣିବା ପାଇଁ ସାଇବର୍‌ ଲୁଟେରା ସହ କଥା ହୋଇଥିଲେ। କଥା ହେବା ପରେ ସାଇବର୍‌ ଲୁଟେରା ଜଣକ ୩୦,୫୦୦ ଟଙ୍କା ଅଗ୍ରୀମ ପଠାଇବାକୁ କହିଥିଲା। ପ୍ରଦୀପ ଟଙ୍କା ପଠାଇବା ପରେ ଲୁଟେରା ଜଣକ ଆଉ କଲ୍‌ ଉଠାଇ ନଥିଲା। ମୋବାଇଲ୍‌ ସ୍ବିଚ୍‌ ଅଫ୍‌ କରିଦେଇଥିଲେ। ଠକେଇର ଶିକାର ହୋଇଥିବା ଜାଣିବା ପରେ ରବିବାର ହୀରାକୁଦ ଥାନାରେ ପ୍ରଦୀପ ଲିଖିତ ଭାବେ ଅଭିଯୋଗ କରିଛନ୍ତି। ତାଙ୍କ ଅଭିଯୋଗ ଆଧାରରେ ହୀରାକୁଦ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।