କୋମନା : ନୂଆପଡ଼ା ଜିଲ୍ଲା କୋମନା ବ୍ଲକ୍ ସଦର ମହକୁମାର ଜଣେ ଯୁବକ ସାଇବର ଠକେଇର ଶିକାର ହୋଇଛନ୍ତି। ତାଙ୍କ ଜମାଖାତାକୁ ୧ ଟଙ୍କା ପଠାଇ ଠିକମାନେ ଲକ୍ଷାଧିକ ଚଙ୍କା ଲୁଟି ନେଇଛନ୍ତି।
ଅଭିଯୋଗ ଅନୁସାରେ, କୋମନା ବ୍ଲକ୍ ସଦର ମହକୁମାର ଯୁବ କଂଗ୍ରେସ ନେତା ଶାହାରୁଖ ଖାନ ତାଙ୍କ ବୁଲେଟ ଗାଡ଼ି (ଏମଏଚ ୪୯ ୱାଇ ୭୦୦୭)କୁ ୯୦ ହଜାର ଟଙ୍କାରେ ବିକିବା ପାଇଁ ଓଏଲଏକ୍ସ ଓ ଫେସବୁକ ମାଧ୍ୟମରେ ପୋଷ୍ଟ କରିଥିଲେ। ରାମସ୍ବରୂପ ନାମକ ଜଣେ ଯୁବକ ନିଜକୁ ଇଣ୍ତିଆନ ଆର୍ମିରେ ଯବାନ ପରିଚୟ ଦେଇ ଶାହାରୁଖଙ୍କୁ ଫୋନ କରିଥିଲା। ବୁଲେଟ ପସନ୍ଦ ଅଛି ଓ ୯୦ ହଜାର ଟଙ୍କାରେ କିଣିବାକୁ ଇଚ୍ଛୁକ ବୋଲି କହି ଶାହାରୁଖଙ୍କ ଆକାଉଣ୍ଟ ନମ୍ବର ମାଗି ବାରକୋଡ଼ ମାଧ୍ୟମରେ ଟଙ୍କାଟିଏ ପ୍ରଥମେ ପଠାଇଥିଲା। ପୁଣି ଫୋନ କରି ଶାହାରୁଖଙ୍କୁ ବାରକୋଡ଼ ସ୍କାନ କରି ପଠାଇବା ପାଇଁ କହିଥିଲା।
ଶାହାରୁଖ ତା’ କଥାକୁ ବିଶ୍ବାସ କରି ବାରକୋଡ ସ୍କାନ କରି ପଠାଇଥିଲେ। ଏହା ପରେ ତାଙ୍କ ଜମାଖାତାରୁ ୧ ଲକ୍ଷ ୨୧ ହଜାର ଟଙ୍କା ଗାଏବ ହୋଇଯାଇଥିଲା। ଏନେଇ ସେ କୋମନ ଥାନାରେ ଅଭିଯୋଗ କରିଛନ୍ତି। ସେ ନିଜ ପାଖରେ ଥିବା ଟଙ୍କା ସହ ବୁଲେଟ ବିକ୍ରିକରି ଏକ କାର୍ କିଣିବା ପାଇଁ ଯୋଜନା କରିଥିଲେ। ତା’ ପୂର୍ବରୁ ସେ ସାଇବର ଠକେଇର ଶିକାର ହୋଇଛନ୍ତି। ଏହି ଘଟଣା ଜଣାପଡ଼ିବା ପରେ ଅଞ୍ଚଳର ବ୍ୟାଙ୍କ ଉପଭୋକ୍ତାଙ୍କ ମଧ୍ୟରେ କୋକୁଆ ଭୟ ଖେଳିଯାଇଛି।