ଭୁବନେଶ୍ବର: ସାରା ରାଜ୍ୟରେ ସାଇବର ଅପରାଧ ବଢ଼ି ବଢ଼ି ଚାଲିଥିବା ବେଳେ ଗାଁଠୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ଲୋକମାନଙ୍କୁ ସଚେତନତା କରିବା ପାଇଁ ଆରମ୍ଭ ହୋଇଛି ସାଇବର ସୁରକ୍ଷା ଅଭିଯାନ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସ୍ଥାନୀୟ କଳିଙ୍ଗ ଷ୍ଟାଡିଅମରେ ସାଇବର ସୁରକ୍ଷା ଅଭିଯାନର ଶୁଭାରମ୍ଭ କରିଛନ୍ତି। ୩୪ଟି ସାଇବର ସୁରକ୍ଷା ରଥ ଆଜିଠାରୁ ସାରା ରାଜ୍ୟର ବିଭିନ୍ନ ସ୍କୁଲ, କଲେଜ ଓ ପଞ୍ଚାୟତ ଆଦି ଭ୍ରମଣ କରି ସାଇବର ସୁରକ୍ଷା ସମ୍ପର୍କରେ ସଚେତନାର ବାର୍ତ୍ତା ପ୍ରଦାନ କରିବ। ଏହି ଅଭିଯାନରେ ଜିଲ୍ଲା ପ୍ରଶାସନ ତରଫରୁ ସାଇବର ସୁରକ୍ଷା ସଚେତନତା ରଥକୁ ସ୍ବାଗତ କରାଯିବ। ପ୍ରତିଦିନ ଅତି କମରେ ଦୁଇଟି ଶିକ୍ଷାନୁଷ୍ଠାନରେ ସଚେତନତା କାର୍ଯ୍ୟକ୍ରମ କରାଯିବ। ଏଥିସହ ବ୍ଲକ୍ ଓ ଥାନା ଅଞ୍ଚଳରେ ଥିବା ବିଭିନ୍ନ ଜନଗହଳି ସ୍ଥାନଗୁଡିକରେ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯିବ। ସ୍କୁଲ ଓ କଲେଜ ଗୁଡିକରେ ଛାତ୍ର ଛାତ୍ରୀମାନଙ୍କ ମଧ୍ୟରେ କୁଇଜ ପ୍ରତିଯୋଗିତା କରାଯିବ।
ଅକ୍ଟୋବର ୮ ତାରିଖ ସକାଳେ ବିଭିନ୍ନ ସହରାଞ୍ଚଳରେ ମିନି ମାରାଥନ୍ ଆୟୋଜନ କରାଯିବ। ୧୪ ତାରିଖ ଦିନ ବରିଷ୍ଠ ନାଗରିକ ମାନଙ୍କୁ ସଚେତନ କରିବାକୁ ସାନ୍ଧ୍ୟ ଭ୍ରମଣ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ୧୫ ତାରିଖରେ ଉଦ୍ଯାପନୀ ଉତ୍ସବ ଅନୁଷ୍ଠିତ ହେବ। ଏଥିରେ ଜିଲ୍ଲା ପ୍ରଶାସନର ଅଧିକାରୀ ମାନଙ୍କ ସହିତ ପଦ୍ମ ପୁରସ୍କାରପ୍ରାପ୍ତ ବିଶିଷ୍ଟ ବ୍ୟକ୍ତିଗଣ, ସ୍ବାଧୀନତା ସଂଗ୍ରାମୀମାନେ ଉପସ୍ଥିତ ରହିବେ। ଏହି ଅଭିଯାନରେ ପଞ୍ଚାୟତ ପ୍ରତିନିଧି, ମିସନ ଶକ୍ତି ସଦସ୍ୟ, ସ୍କୁଲ ଓ ଗଣଶିକ୍ଷା ବିଭାଗ, ଉଚ୍ଚଶିକ୍ଷା ବିଭାଗ, ପଞ୍ଚାୟିତରାଜ ଏବଂ ସୂଚନା ଓ ଲୋକସଂପର୍କ ବିଭାଗର ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମରି ସହଯୋଗ କରିବେ ବୋଲି କୁହାଯାଇଛି। ଏହି ଅବସରରେ ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା, ମନ୍ତ୍ରୀ ଅଶୋକ ପଣ୍ଡା, ଭୁବନେଶ୍ବରର ଦୁଇ ବିଧାୟକ ଅନନ୍ତ ନାରାୟଣ ଜେନା ଓ ସୁଶାନ୍ତ ରାଉତ, ମେୟର ସୁଲୋଚନା ଦାସ, ମୁଖ୍ୟ ଶାସନ ସଚିବ ପି.କେ. ଜେନା, ଡିଜିପି ସୁନିଲ କୁମାର ବଂଶଲ ପ୍ରମୁଖ ଉପସ୍ଥିତ ଥିଲେ।