ଓଏଲ୍‌ଏକ୍ସରେ ସାଇବର‌୍‌ ଅପରାଧୀ, ସ୍କୁଟି ବଦଳରେ ଲୁଟିଲେ ୬ ହଜାର

କଟକ : ଓଏଲ୍‌ଏକ୍ସରେ ସାଇବର‌୍‌ ଅପରାଧୀ ନିଜକୁ ସେନା ଅଧିକାରୀ ପରିଚୟ ଦେଇ ବାଲେଶ୍ବରର ଜଣେ ବ୍ୟକ୍ତିଙ୍କ ୬, ୧୦୦ ଟଙ୍କା ଲୁଟି ନେଇଛି। ଏ ସ˚କ୍ରାନ୍ତରେ ଠକେଇର ଶିକାର ହୋଇଥିବା ବ୍ୟକ୍ତି କ୍ରାଇମବ୍ରାଞ୍ଚରେ ଅଭିଯୋଗ କରିଛନ୍ତି। କିନ୍ତୁ ବର୍ତ୍ତମାନ ସୁଦ୍ଧା ସାଇବର‌୍‌ ଅପରାଧୀଙ୍କୁ ଚିହ୍ନଟ କରିବା ସମ୍ଭବପର ହୋଇପାରି ନାହିଁ।

ସୂଚନା ଅନୁଯାୟୀ, ବାଲେଶ୍ବର ଜିଲ୍ଲା ଭୋଗରାଇର ବସନ୍ତ କୁମାର ପ୍ରଧାନ ଏକ ଦୁଇଚକିଆ ଗାଡ଼ି କିଣିବା ପାଇଁ ଓଏଲ୍‌ଏକ୍ସ୍‌ରେ ଯୋଗାଯୋଗ କରିଥିଲେ। ଏକ ପୁରୁଣା ଆକ୍ଟିଭା ଗାଡ଼ି ଓଏଲ୍‌ଏକ୍ସରେ ଦେଖିବାରୁ ସେଠାରେ ଦିଆଯାଇଥିବା ଗାଡ଼ି ମାଲିକଙ୍କ ଫୋନ୍‌ ନମ୍ବରକୁ ଯୋଗାଯୋଗ କରିଥିଲେ। ଫୋନ୍‌ କରିବାରୁ ଗାଡ଼ି ମାଲିକ ନିଜକୁ ସେନାବାହିନୀର ଅଧିକାରୀ ପରିଚୟ ଦେଇଥିଲେ। ଗାଡ଼ି ମାଲିକ ବୋଲି ନିଜକୁ ଦାବି କରୁଥିବା ବ୍ୟକ୍ତି ଗାଡ଼ିର ସମସ୍ତ କାଗଜପତ୍ର ବସନ୍ତଙ୍କ ନିକଟକୁ ପଠାଇଥିଲେ। ଗାଡ଼ି ବାବଦ ୨୬ ହଜାର ଟଙ୍କା ଦେବାକୁ ସ୍ଥିର ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ ୧୬ ହଜାର ଟଙ୍କା ପୈଠ କରିବାକୁ ବସନ୍ତଙ୍କୁ କହିବାରୁ ବସନ୍ତ ମାତ୍ର ୬ ହଜାର ଶହେ ଟଙ୍କା ପଠାଇଥିଲେ। ଗାଡ଼ି ନାଗପୁରରେ ଥିବାବେଳେ ଆସନ୍ତା ୩ ଦିନ ମଧ୍ୟରେ ଗାଡ଼ି ବସନ୍ତଙ୍କ ଠିକଣାରେ ପହଞ୍ଚିଯିବା ନେଇ ସମ୍ପୃକ୍ତ ବ୍ୟକ୍ତି ପ୍ରତିଶ୍ରୁତି ଦେଇଥିଲେ। ସେନାର ଟ୍ରାନ୍ସପୋର୍ଟ ଗାଡ଼ିରେ ପାର୍ସଲ୍‌ ଓଡ଼ିଶା ଯାଉଥିବା ଗାଡ଼ି ମାଲିକ କହିଥିଲେ। ପୁଣି ସମ୍ପୃକ୍ତ ବ୍ୟକ୍ତିଜଣକ ଫୋନ୍‌ କରି ସେନାର ଗାଡ଼ିରେ ଜିପିଏସ୍‌ ସିଷ୍ଟମ ଖରାପ ଥିବାରୁ ଓଡ଼ିଶା ଭିତରକୁ ଗାଡ଼ି ପ୍ରବେଶ ପୂର୍ବରୁ ୧୦ ହଜାର ଟଙ୍କା ଆବଶ୍ୟକ ଥିବା ଗାଡ଼ି ମାଲିକ କହିଥିଲେ। ବସନ୍ତଙ୍କ ମନରେ ସନ୍ଦେହ ହେବାରୁ ସେ ଗାଡ଼ି ବାବଦ ଅବଶିଷ୍ଟ ଟଙ୍କା ଦେବାକୁ ମନା କରିଦେଇଥିଲେ। କିନ୍ତୁ ଯେଉଁ ଗାଡ଼ିର ନମ୍ବର ଓଏଲ୍‌ଏକ୍ସରେ ଦେଖିଥିଲେ ଉକ୍ତ ଗାଡ଼ିର ନମ୍ବର ଯାଞ୍ଚ କରିବାରୁ ଗାଡ଼ିଟି ମୟୂରଭଞ୍ଜର ଜଣେ ବ୍ୟକ୍ତିଙ୍କର ବୋଲି ଜଣାପଡ଼ିଥିଲା। କିନ୍ତୁ ସେ ସେହି ଗାଡ଼ିକୁ ଓଏଲ୍‌ଏକ୍ସ୍‌ରେ ଦେଇ ନଥିବା ଜଣାପଡ଼ିଥିଲା। ଏଭଳି ସାଇବର ଅପରାଧୀଙ୍କ କାରସାଦି ସମ୍ପର୍କରେ ବସନ୍ତ କ୍ରାଇମବ୍ରାଞ୍ଚରେ ଅଭିଯୋଗ କରିଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର