ରାଉରକେଲା: ସ୍ମାର୍ଟସିଟି ରାଉରକେଲାରୁ ଦୁବାଇକୁ ଲମ୍ବିଛି ସାଇବର ଅପରାଧ ଚେର। ଅଭିଯୁକ୍ତମାନେ ଫିଲ୍ମ ଷ୍ଟାଇଲ୍ରେ ଜେଲ୍ରେ କରିଥିଲେ ଯୋଜନା। ପରେ ଜାମିନରେ ଆସି ଲୋକଙ୍କୁ ଟାର୍ଗେଟ୍ କରୁଥିଲେ। ଏହି ସାଇବର ଠକେଇ ଗ୍ୟାଙ୍ଗ୍ର ୧୪ ଜଣ ସଦସ୍ୟଙ୍କୁ ବାନ୍ଧିଛି ରାଉରକେଲା ପୁଲିସ। ପ୍ରଥମ ପର୍ଯ୍ୟାୟରେ ୫ ଜଣକୁ ଗିରଫ କରାଯାଇଥିବାବେଳେ ଆଜି ୯ ଜଣଙ୍କୁ ବାନ୍ଧିଛି। ଅଭିଯୁକ୍ତମାନେ ହେଲେ ସେକ୍ଟର-୧୭ ପାର୍କ ବସ୍ତିର ରାଜେଶ ନାଗ (୪୩) ଓ ରାହୁଲ କୁମ୍ଭାର (୨୩), ସେକ୍ଟର-୬ ଏଚ୍ ବ୍ଲକ୍ ବସ୍ତିର ଶତ୍ରୁଘ୍ନ ନାଗ (୩୫), ଶିବ ବସ୍ତିର ବିକାଶ ସାହୁ (୨୫), ଉତ୍କଳ ବସ୍ତିର ଲକ୍ଷଣ ରାଓ (୩୬), ଲାଠିକଟାର ଜୟନ୍ତ ପ୍ରଧାନ (୨୬), ପାନପୋଷର ମେହୁଲ ସାହୁ (୨୩) ଓ ଦୀପକ ମୁଖୀ (୨୬), ଗଞ୍ଜାମ ବସ୍ତିର ସଚିନ ଜେନା (୨୩), ଉତ୍କଳ ବସ୍ତିର ଆଦିତ୍ୟ ନାଗବଂଶୀ (୧୯), ବୀରମିତ୍ରପୁରର ମୋହସିନ୍ ଖାନ (୨୮), ବିବେକାନନ୍ଦପାଲିର ଶେଖ୍ ସାହିଦୁଲ ଅଲ୍ଲୀ (୩୧), ଗାନ୍ଧୀରୋଡ୍ ମାଛ ମାର୍କେଟ୍ ଅଞ୍ଚଳର ସାହିଲ ଖୁଣ୍ଡିଆ (୨୩) ଓ ଗୋପବନ୍ଧୁପାଲିର ଶିଳ୍ପୀ ସାହୁ (୨୨)। ସେମାନଙ୍କଠାରୁ ୩୦ଟି ଆଧାର କାର୍ଡ, ୧୦ଟି ପାନ୍ କାର୍ଡ, ୧୭ଟି ବ୍ୟାଙ୍କ ପାସ୍ବୁକ୍, ୪ଟି ଚେକ୍ ବୁକ୍, ଗୋଟିଏ କାର (ଓଆର୍୧୫ଏନ୍-୯୭୩୬), ଗୋଟିଏ ବାଇକ୍ (ଓଡି-୧୪ଏଜେ-୫୧୭୨), ଡେଲ୍ ଲାପ୍ଟପ୍ ଓ ୧୫ଟି ମୋବାଇଲ୍ ଜବତ ହୋଇଛି। ସମସ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି।
ଗିରଫ ହୋଇଥିବା ୧୪ ଜଣଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ପେସାଦାର ଅପରାଧୀ। ଜେଲ୍ରେ ମିଶିବା ପରେ ସୁବିଧାରେ ଟଙ୍କା ରୋଜଗାରର ପନ୍ଥା ପାଇଥିଲେ। ପରେ ସହରର ଗରିବ ଓ ଅଶିକ୍ଷିତ ଲୋକଙ୍କୁ ଟାର୍ଗେଟ୍ କରୁଥିଲେ। ସାଙ୍ଗରେ ଥିଲେ ବନ୍ଧନ ବ୍ୟାଙ୍କ ଓ ଆଇଡିବିଆଇ ବ୍ୟାଙ୍କ କର୍ମଚାରୀ। ପ୍ରଥମେ ଲୋକଙ୍କୁ ନେଇ ବିଭିନ୍ନ ନେଟ୍ୱର୍କର ସିମ୍ କିଣୁଥିଲେ। ବ୍ୟାଙ୍କରେ ଆକାଉଣ୍ଟ ଖୋଲିବା ପାଇଁ ଲୋକଙ୍କୁ ୧୦୦୦ରୁ ୨୦୦୦ ହଜାର ଟଙ୍କା ଦେଉଥିଲେ। ଆକାଉଣ୍ଟ ଖୋଲିବାଠାରୁ ଆରମ୍ଭ କରି କେୱାଇସି ପ୍ରୋସେସ୍ ଯାଏଁ ଉଭୟ ବ୍ୟାଙ୍କର କର୍ମଚାରୀ ସହଯୋଗ କରୁଥିଲେ। ତା’ପରେ ଆକାଉଣ୍ଟର ସମ୍ପୂର୍ଣ୍ଣ ତଥ୍ୟ ଓ ସିମ୍କାର୍ଡକୁ ସାଇବର ଅପରାଧୀଙ୍କୁ ୮ ହଜାରରୁ ୧୦ ହଜାର ଟଙ୍କାରେ ବିକ୍ରି କରାଯାଉଥିଲା। ଆଉ ସାଇବର ଅପରାଧୀମାନେ ଏହା ମାଧ୍ୟମରେ କୋଟିକୋଟି ଟଙ୍କା ଠକେଇ କରୁଥିଲେ। ଏହି ଚେର ରାଉରକେଲାରୁ ଛତିଶଗଡ଼, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ, ପଶ୍ଚିମବଙ୍ଗ, ଦିଲ୍ଲୀ, ବିହାର ରାଜ୍ୟ ସମେତ ଦୁବାଇ ଓ ନେପାଳକୁ ଲମ୍ବିଥିବା ଜଣାପଡ଼ିଛି। ଏ ନେଇ ରାଉରକେଲା ପୁଲିସ ଜିଲ୍ଲା କାର୍ଯ୍ୟାଳୟରେ ପଶ୍ଚିମାଞ୍ଚଳ ଡିଆଇଜି ବ୍ରିଜେଶ ରାଏ ସୂଚନା ଦେଇଛନ୍ତି। ରାଉରକେଲା ଏସ୍ପି ନୀତେଶ ୱାଧୱାନୀ, ଅତିରିକ୍ତ ଏସ୍ପି ଶ୍ରାବଣୀ ନାୟକ ଉପସ୍ଥିତ ଥିଲେ।
ଦୁବାଇକୁ ଲମ୍ବିଛି ସାଇବର୍ ଅପରାଧ ଚେର: ୨ ବ୍ୟାଙ୍କ କର୍ମଚାରୀଙ୍କ ସମେତ ୧୪ ଗିରଫ
ସ୍ମାର୍ଟସିଟି ରାଉରକେଲାରୁ ଦୁବାଇକୁ ଲମ୍ବିଛି ସାଇବର ଅପରାଧ ଚେର। ଅଭିଯୁକ୍ତମାନେ ଫିଲ୍ମ ଷ୍ଟାଇଲ୍ରେ ଜେଲ୍ରେ କରିଥିଲେ ଯୋଜନା। ପରେ ଜାମିନରେ ଆସି ଲୋକଙ୍କୁ ଟାର୍ଗେଟ୍ କରୁଥିଲେ। ଏହି ସାଇବର...
/sambad/media/media_files/2025/08/13/untitled-6-2025-08-13-05-40-06.jpg)