ଝାରସୁଗୁଡ଼ାରେ ସାଇବର ଅପରାଧି ସକ୍ରିୟ, ଋଣ ଆଶାରେ ୩୯ ହଜାର ଠକିଗଲେ ଯୁବକ

ଝାରସୁଗୁଡ଼ା : ଋଣ ପାଇବା ଆଶାରେ ଜଣେ ଯୁବକ ୩୯ ହଜାର ୭୨୪ ଟଙ୍କା ଠକି ଯାଇଥିବା ବଡ଼ମା‌ଳ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗକାରୀ ଯୁବକ ସନ୍ଦୀପ କୁମାର ପାଢ଼ୀଙ୍କ ଘର ବ୍ରହ୍ମପୁର ହୋଇଥିବା ବେଳେ ସେ ଲପଙ୍ଗାଠାରେ ଥିବା ଆଦିତ୍ୟ ଆଲୁମିନା କାରଖାନାରେ କାମ କରନ୍ତି।

ବଡ଼ମାଲ ଥାନା ଅନ୍ତର୍ଗତ ବସନ୍ତବିହାରଠାରେ ସେ ରହୁଥିବା ବେଳେ କିଛି ଦିନ ତଳେ ସେ ଏକ ବ୍ୟକ୍ତିଗତ ଋଣ କରିବା ପାଇଁ କିଛି ଘରୋଇ ଅର୍ଥଲଗାଣ ସଂସ୍ଥାର ୱେବ୍‌ସାଇଟ୍‌ ଗୁଗୁଲ୍‌ରେ ସର୍ଚ୍ଚ କରିଥିଲେ। ସର୍ଚ୍ଚ ବେଳେ ଧନଲକ୍ଷୀ ଫାଇନାନ୍‌ସ ନାମକ ଏକ ସଂସ୍ଥାରେ ସେ ବ୍ୟକ୍ତିଗତ ଋଣ ପାଇଁ ଅନ୍‌ଲାଇନ୍‌ ଆବେଦନ କରିଥିଲେ। ଏହି ସାଇଟ୍‌ରେ ସେ ତାଙ୍କ ନାମ, ଟେଲିଫୋନ୍‌ ନମ୍ବର ଲେଖି ପଠାଇବା ପରେ ବିକାଶ ଜୈନ ନାମକ ସେହି ସଂସ୍ଥାର ଏଜେଣ୍ଟ ପରିଚୟ ଦେଇ ସନ୍ଦୀପଙ୍କ ମୋବାଇଲକୁ ଫୋନ୍‌ କରିଥିଲା। ଏଜେଣ୍ଟ ଜଣକ ତାଙ୍କୁ ଋଣ ଦିଆଯିବ ଓ ଏଥିପାଇଁ ‌ଆଧାର କାର୍ଡ଼, ପାନ୍‌ କାର୍ଡ ଆବଶ୍ୟକ ବୋଲି କହି ତାର ଫଟୋ କପି ମାଗିଥିଲେ। ସନ୍ଦୀପ ସବୁ ଦେଇଥିଲେ।

ତାଙ୍କୁ ୨ ଲକ୍ଷ ୮୦ ହଜାର ଋଣ ପାଇଁ ପ୍ରଥମେ ରେଜିଷ୍ଟ୍ରେସନ୍‌ କରିବାକୁ କୁହାଯାଇଥିଲା। ସେ ରେଜିଷ୍ଟ୍ରେସନ୍‌ କରିଥିଲେ ଓ ରେଜିଷ୍ଟ୍ରେସନ୍‌ ଫି’ ବାବଦରେ ୨ ହଜାର ୫ ଶହ ଟଙ୍କା ଜମା କରିବାକୁ  କୁହାଯିବାକୁ ତାକୁ ଗୁକୁଲ ପେ ଦ୍ବାରା ଜମା କରିଥିଲେ। ଏହାପରେ ସଂପୃକ୍ତ ଏଜେଣ୍ଟ ୩ ମାସର ଇଏମ୍‌ଆଇ ଅଗ୍ରୀମ ଦାଖଲ କରିବାକୁ କହିଥିଲେ। ଫଳରେ ସନ୍ଦୀପ ୩ ମାସର ଇଏମ୍‌ଆଇ ବାବଦରେ ୧୮ ହଜାର ୭୨୪ ଟଙ୍କା ମଧ୍ୟ ଗୁଗୁଲ ପେ ମାଧ୍ୟମରେ ପେମେଣ୍ଟ କରିଥିଲେ। ଏହାପରେ ଉକ୍ତ ଏଜେଣ୍ଟ ଇଣ୍ଟରସିଟି ଚାର୍ଜ ନାମରେ ୧୮ ହଜାର ୫ ଶହ ଦେବାକୁ କହିବାରୁ ସନ୍ଦୀପ ତାହା ମଧ୍ୟ ପେମେଣ୍ଟ କରି ଦେଇଥିଲେ। ଏହାପରେ ସଂପୃକ୍ତ ଏଜେଣ୍ଟ ପୁଣି ୨୦ ହଜାର ବୀମା ବାବଦରେ ଦେବାକୁ କହିବାରୁ  ସନ୍ଦୀପଙ୍କ ମନରେ ସଂଦେହ ହୋଇଥିଲା ଓ ସେ ତାହା ଦେବକୁ ମନା କରିଥିଲେ ଓ ତାଙ୍କୁ ଋଣ ଦରକାର ନାହିଁ ବୋଲି କହିଥିଲେ ଓ ଟଙ୍କା ଫେରସ୍ତ କରିବାକୁ  ଅନୁରୋଧ କରିଥିଲେ। ମାତ୍ର ଏଜେଣ୍ଟ ଜଣକ ଏହି ଟଙ୍କା ଏବେ ଫେରସ୍ତ କରିବା ସମ୍ଭବ ନୁହେଁ ୩ ମାସ ପରେ ଫେରସ୍ତ ହେବ ବୋଲି କହିଥିଲେ।

ଋଣ ଦିଆଯାଇ ନଥିବା ବେଳେ କାହିଁକି ୩ ମାସ ପରେ ତାଙ୍କ ଟଙ୍କା ଫେରସ୍ତ ହେବ ବୋଲି କହିବା ପରେ ‌ଉକ୍ତ ଏଜେଣ୍ଟ ଆଉ ଫୋନ୍‌ ଉଠାଇ ନଥିଲେ। ଏ ସଂପର୍କରେ ସନ୍ଦୀପ ବଡ଼ମାଲ ଥାନାରେ ଅଭିଯୋଗ କଲାପରେ ପୁଲିସ ତଦନ୍ତ ଆରମ୍ଭ କରିଥିବା ଆଇଆଇସି ଅମିତାଭ ପଣ୍ଡା ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର