କଟକ : ଆପଣ ସେଲିବ୍ରେଟି କି? ସୋସିଆଲ୍ ମିଡିଆରେ ଅଧିକ ଫଲୋଅର୍ସ ବଢ଼ାଇବା ପାଇଁ କେହି ହ୍ବାଟ୍ସଆପ୍ରେ ଆପଣଙ୍କୁ ମେସେଜ୍ କରୁଛନ୍ତି କି? ଏହି ମେସେଜ୍ରେ ଥିବା ଲିଙ୍କ୍ କ୍ଲିକ୍ କରିବାପୂର୍ବରୁ ସତର୍କ ରୁହନ୍ତୁ। କାହିଁକିନା, ପାକିସ୍ତାନର ନମ୍ବରରୁ ଏଭଳି ମେସେଜ୍ ଆସୁଥାଇପାରେ। ଏହି ଲିଙ୍କ୍ କ୍ଲିକ୍ କଲେ ଆପଣଙ୍କ ଆକାଉଣ୍ଟ ହ୍ୟାକ୍ ହୋଇଯିବା ସହିତ ସମ୍ପୂର୍ଣ୍ଣ ତଥ୍ୟ ସାଇବର୍ ଅପରାଧୀ ଚୋରିକରି ନେଇଯିବେ। କଟକ ସହରରେ ଗଲା ସପ୍ତାହ ଭିତରେ ଏଭଳି ୭ଟି ଘଟଣା ଲଗାତାର ଘଟିସାରିଲାଣି।
ସୂଚନା ଅନୁସାରେ, ଫଲୋଅର୍ସ ବଢ଼ାଇବା ମାୟାରେ ପଡ଼ିଥିବା ସେଲିବ୍ରିଟିଙ୍କୁ ଟାର୍ଗେଟ୍ କରିବା ଆରମ୍ଭ କରିଛନ୍ତି ସାଇବର୍ ଅପରାଧୀ। ସେଲିବ୍ରିଟିମାନେ ସାଧାରଣତଃ ସୋସିଆଲ୍ ମିଡିଆରେ ପବ୍ଲିକ୍ ଆକାଉଣ୍ଟ କରିଥିବା ବେଳେ ଅତିକମ୍ରେ ୧୦ ହଜାରରୁ ଅଧିକ ଫଲୋଅର୍ସ ରହୁଛନ୍ତି। ତେଣୁ ସେମାନଙ୍କ ଆକାଉଣ୍ଟକୁ ସାଇବର୍ ଅପରାଧୀମାନେ ସହଜରେ ଟାର୍ଗେଟ୍ କରୁଛନ୍ତି। ଏହି ଆକାଉଣ୍ଟଗୁଡ଼ିକୁ ସ୍କାନ୍କୁ ଆଣିବା ପରେ ହ୍ବାଟ୍ସଆପ୍ ନମ୍ବର ସଂଗ୍ରହ କରି ନେଉଛନ୍ତି। ପବ୍ଲିକ୍ ଆକାଉଣ୍ଟ୍ରେ ସାଧାରଣତଃ ଏହିସବୁ ନମ୍ବର ରହୁଛି। ସେଲିବ୍ରିଟିଙ୍କ ହ୍ବାଟ୍ସଆପ୍ ନମ୍ବରକୁ ସାଇବର୍ ଅପରାଧୀ ଏକ +୯୨ କୋଡ ଯୁକ୍ତ ମୋବାଇଲ୍ ନମ୍ବରରୁ ମେସେଜ୍ ପଠାଉଛନ୍ତି। ଏହି ନମ୍ବରଟିରେ ପାକିସ୍ତାନର କୋଡ୍ ରହୁଥିବା ଜଣାପଡ଼ିଛି। ଏହି ମେସେଜ୍ରେ ଏକ ଲିଙ୍କ୍ ରହୁଛି। ଫଲୋଅର୍ସ ବଢ଼ାଇବାକୁ ହେଲେ ଏହି ଲିଙ୍କ୍ କ୍ଲିକ୍ କରିବାକୁ ପରାମର୍ଶ ଦିଆଯାଉଛି। ଏହି ଲିଙ୍କ୍ କ୍ଲିକ୍ କରିବାପରେ ଏଥିରେ ‘ଟୁ ଆଡ୍ ମାଇଁ ପେଜ୍’ ନାଁରେ ଏକ ଅପ୍ସନ୍ ଆସୁଛି।
ଏହି ଲିଙ୍କ୍ କ୍ଲିକ୍ କରିବା ପରେ ଏଥିରେ ସେଲିବ୍ରିଟିଙ୍କୁ ନିଜର ସୋସିଆଲ୍ ମିଡିଆର ଲଗଇନ୍ ଆଇଡି ଓ ପାସଵାର୍ଡ ଉଲ୍ଲେଖ କରିବାକୁ କୁହାଯାଉଛି। ଉଲ୍ଲେଖ କରିବାର କିଛିସମୟ ପରେ ସେଲିବ୍ରିଟିଙ୍କ ସୋସିଆଲ୍ ମିଡିଆ ଆକାଉଣ୍ଟ ହ୍ୟାକ୍ ହୋଇଯାଉଛି। ଏହି ଆକାଉଣ୍ଟ ହ୍ୟାକ୍ ହେବାପରେ ସେଲିବ୍ରିଟିଙ୍କ ସୋସିଆଲ୍ ମିଡିଆରେ ସେୟାର ହୋଇଥିବା ସମସ୍ତ ତଥ୍ୟ ଚୋରି ସହିତ ଏହାକୁ ସାଇବର୍ ଅପରାଧୀ ଟ୍ରୋଲ୍ କରିବାରେ ବ୍ୟବହାର କରୁଛନ୍ତି।
କଟକ ବୟାଳିଶମୌଜାରେ ରହୁଥିବା କଣ୍ଠଶିଳ୍ପୀ ବିଷ୍ଣୁମୋହନ କବିଙ୍କର ନିକଟରେ ଫେସବୁକ ପେଜ୍ ହ୍ୟାକ୍ ହୋଇଛି। ତାଙ୍କ ସମେତ କଟକ ସହରରେ ଗଲା ଏକ ସପ୍ତାହ ମଧ୍ୟରେ ୭ ଜଣ ସୋସିଆଲ୍ ମିଡିଆ ବ୍ୟବହାରକାରୀଙ୍କ ଆକାଉଣ୍ଟ ସମାନ ଶୈଳୀରେ ହ୍ୟାକ୍ ହୋଇଥିବା ନେଇ ସାଇବର୍ ଥାନାରେ ଅଭିଯୋଗ ହୋଇସାରିଲାଣି। ତେବେ ଯେଉଁ ନମ୍ବରରୁ ମେସେଜ୍ ଆସିଛି, ଏହା ପାକିସ୍ତାନର ଭର୍ଚୁଆଲ୍ ନମ୍ବର ହୋଇଥିବାରୁ ଏହାକୁ ଟ୍ରାକ୍ କରିବା ସାଇବର୍ ପୁଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/11/cybercrime.jpg)