ବ୍ରହ୍ମପୁର : ରାଜ୍ୟ ସରକାର ନବମ ଶ୍ରେଣୀର ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କୁ ସାଇକେଲ ବାବଦରେ ମାତ୍ର ୨୬ଶହ ଟଙ୍କା ଦେଉଛନ୍ତି। କିନ୍ତୁ ବଜାରରେ ଅତି କମ୍ରେ ଗୋଟିଏ ନୂଆ ସାଇକେଲ୍ର ଦାମ୍ ୫ ହଜାର ୮ ଶହ ଟଙ୍କା ତଳକୁ ମିଳୁନାହିଁ। ସେପଟେ ଶିକ୍ଷକମାନେ ଛାତ୍ରଛାତ୍ରୀଙ୍କୁ ନୂଆ ସାଇକେଲ୍ କିଣି ବିଦ୍ୟାଳୟରେ ବିଲ୍ ଦାଖଲ କରିବାକୁ ବାଧ୍ୟ କରୁଥିବା କାରଣରୁ ଗଞ୍ଜାମ ଜିଲ୍ଲାରେ ଏହି ଯୋଜନା ଅଭିଭାବକଙ୍କ ଉପରେ ଏବେ ବୋଝ ହୋଇଯାଇଛି। ଗରିବ ଶ୍ରେଣୀର ପରିବାର ପାଇଁ ନୂଆ ସାଇକେଲ ଖଣ୍ଡିଏ କିଣିବା ଅସମ୍ଭବ ହୋଇ ପଡ଼ିଛି। ଏଣୁ ଏହି ଯୋଜନାରୁ ପିଲାଏ ଯେତିକି ଉପକୃତ ହେଉଛନ୍ତି, ଅଭିଭାବକଙ୍କ ଉପରେ ତା ଠାରୁ ଅଧିକ ଆର୍ଥିକ ଚାପ ପଡ଼ୁଛି।
ଅନ୍ୟପଟେ ଏହି ଯୋଜନାର ସହାୟତା ରାଶି ୩୫ ଶହକୁ ବୃଦ୍ଧି କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। କିନ୍ତୁ ଏ ପର୍ଯ୍ୟନ୍ତ କୌଣସି ବିଧିବଦ୍ଧ ଚିଠି ଆସି ନଥିବା ଜିଲ୍ଲା ଶିକ୍ଷା ବିଭାଗ ସୂତ୍ରରୁ ପ୍ରକାଶ।
ଉଲ୍ଲେଖଥାଉକି, ୧୦ବର୍ଷ ତଳେ ଆରମ୍ଭ ହୋଇଥିବା ଏହି ଯୋଜନାର ସହାୟତା ରାଶି ୨୬ଶହ ଟଙ୍କା ଥିଲା। ସେଥିରେ ଏଯାଏ ପରିବର୍ତ୍ତନ ହୋଇନାହିଁ।