ବାଲେଶ୍ୱରର ଏହି ସାଇକେଲ ମେକାନିକ ଏବେ ନିର୍ମାଣ କରୁଛନ୍ତି ହେଲିକପ୍ଟର !

ବାଲେଶ୍ୱର: ସାଇକେଲ ମେକାନିକରୁ ହେଲିକପ୍ଟର ନିର୍ମାତା । ଏପରି ଅସମ୍ଭବ କାମକୁ ସଫଳତାର ସହ ରୁପ ଦେବାକୁ ଯାଉଛନ୍ତି ବାଲେଶ୍ୱରର ମୋସିମ ଖାନ୍ । ପେଶାରେ ଜଣେ ସାଇକେଲ ମେକାନିକ୍ ମୋସିିମ ଏବେ ହେଲିକପ୍ଟର ନିର୍ମାଣ କରି ଉଡାଣ ଭରିବାକୁ ପ୍ରସ୍ତୁତ ହେଉଛନ୍ତି । ତେବେ ସାଇକେଲ ମରାମତି କରୁଥିବା ମୋସିମଙ୍କ ଇଚ୍ଛା ନିଜ ଜ୍ଞାନ କୌଶଳରେ ହେଲିକପ୍ଟର ତିଆରି କରି ଆକାଶରେ ଉଡ଼ିବେ । ଆଉ ଏହି ସ୍ୱପ୍ନକୁ ସାକାର କରିବା ପାଇଁ ସେ ଗତ ୨ ବର୍ଷ ହେଲା ପରିଶ୍ରମ କରିଆସୁଛନ୍ତି ।

ନିଜସ୍ୱ ଉଦ୍ୟମରେ ମୋସିମ ରାଜଦୁତ ମୋଟରସାଇକଲର ଇଂଜିନ, ବହୁ ପୁରୁଣା ଗାଡି ଓ ସାଇକେଲର ସାମଗ୍ରୀକୁ ନେଇ ହେଲିକପ୍ଟର ନିର୍ମାଣ କରିଥିବା କହିିଛନ୍ତି । ତାଙ୍କ କହିବା କଥା ଏକ ଲିଟର ପେଟ୍ରୋଲରେ ୬୦ରୁ ୭୦ କିଲୋମିଟର ଉଡ଼ିପାରିବ ଏହି ହାତ ତିଆରି ହେଲିକପ୍ଟର । ଆଉ ଏଥିପାଇଁ ଖର୍ଚ୍ଚ ହୋଇଛି ଦେଢ ଲକ୍ଷ ଟଙ୍କା। ଆଗକୁ ଆହୁରି ଦେଢ ଲକ୍ଷ ଟଙ୍କା ଖର୍ଚ୍ଚ ହେବାର ସୂଚନା ଦେଇଛନ୍ତି ମୋସିମ ଖାନ୍ । ଅର୍ଥର ଅଭାବ ତାଙ୍କର ଏହି ସ୍ୱପ୍ନ ଉପରେ ରୋକ ଲଗାଇ ପାରି ନାହିଁ । ଆସନ୍ତା ୩ ମାସ ଭିତରେ ମୋସିମ ହେଲିକପ୍ଟରରେ ଉଡାଣ ଭରିବେ ବୋଲି ଦାବି କରିଛନ୍ତି ।

ତେବେ ହେଲିକପ୍ଟର ଉଡାଣ ପାଇଁ ମୋସିମଙ୍କୁ ପ୍ରଶାସନ ଅନୁମତି ଦେବ ନା ନାହିଁ ତାହା ସବୁଠୁ ବଡ଼ ପ୍ରଶ୍ନ । ପୂର୍ବରୁ ଏକ ମିନି ଏରୋପ୍ଲେନ ତିଆରି କରି ମୋସିମ୍ ଉଡାଣ ଭରିବାକୁ ରାସଗୋବିନ୍ଦପୁର ଏରୋଡ୍ରମକୁ ଯାଇଥିଲେ । ହେଲେ ପୋଲିସ କଟକଣା ଯୋଗୁଁ ତାଙ୍କ ସ୍ୱପ୍ନ ଅଧାରେ ରହିଗଲା ବୋଲି କହିଛନ୍ତି ମୋସିମ ଖାନ୍ । ବାଲେଶ୍ୱରର ଏହି ସାଇକେଲ ମେକାନିକ ନିଜସ୍ୱ ଉଦ୍ୟମରେ  ବିମାନ ଓ ହେଲିକପ୍ଟର ନିର୍ମାଣ କରି ଆକାଶରେ ଉଡିବା ପାଇଁ ଗତ ୧୦ ବର୍ଷ ହେଲା ପରିଶ୍ରମ କରୁଥିବା କହିଛନ୍ତି ।

ସମ୍ବନ୍ଧିତ ଖବର