କଟକ : ବାଲିଯାତ୍ରା-କଟକ ମହୋତ୍ସବକୁ ସରସ, ସୁନ୍ଦର ଓ ପ୍ରଦୂଷଣମୁକ୍ତ କରିବା ପାଇଁ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ରବିବାର ସକାଳେ ଏକ ବିଶାଳ ସାଇକଲ ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା।
କାଣ୍ଟନମେଣ୍ଟ ରୋଡ୍ସ୍ଥିତ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ବାସଭବନରୁ ଏହି ଶୋଭାଯାତ୍ରା ବାହାରି ଗଡ଼ଗଡ଼ିଆ ମନ୍ଦିର ଦେଇ ବାଲିଯାତ୍ରା ପଡ଼ିଆକୁ ଯାଇଥିଲା। ମୁଖ୍ୟ ବିଚାରପତି ଜଷ୍ଟିସ୍ କେଏସ୍ ଜାଭେରୀ ଶୋଭାଯାତ୍ରାକୁ ଉଦ୍ଘାଟନ କରିବା ସହିତ ଶୋଭାଯାତ୍ରାରେ ସାମିଲ ହୋଇ ଅନ୍ୟମାନଙ୍କୁ ଉତ୍ସାହିତ କରିଥିଲେ। ଶବ୍ଦ ପ୍ରଦୂଷଣ, ବାୟୁ ପ୍ରଦୂଷଣ ରୋକିବା ତଥା ନିଜକୁ ସୁସ୍ଥ ରଖିବା ପାଇଁ ସାଇକଲ ଚାଳନା ଏକ ଉପଯୁକ୍ତ ମାଧ୍ୟମ ବୋଲି ମୁଖ୍ୟ ବିଚାରପତି ଜଷ୍ଟିସ୍ ଜାଭେରୀ ଏହି ଅବସରରେ କହିଥିଲେ। ଅଧିକରୁ ଅଧିକ ଲୋକ ସାଇକଲକୁ ଆପଣାଇବାକୁ ସେ ଆହ୍ବାନ ଦେଇଥିଲେ। ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀଙ୍କ ପୌରୋହିତ୍ୟରେ ଆୟୋଜିତ ସଚେତନତା ଶୋଭାଯାତ୍ରାରେ ଜଷ୍ଟିସ୍ ସି.ଆର୍ ଦାସ, ଜଷ୍ଟିସ୍ ବି.ଆର୍ ଷଡଙ୍ଗୀ, ଆଇନ ବିଭାଗର ପ୍ରମୁଖ ସଚିବ ଶଶିକାନ୍ତ ମିଶ୍ର, ଡିଜି(ଜେଲ୍)) ଡକ୍ଟର ସତ୍ୟଜିତ ମହାନ୍ତି, ପୁଲିସ୍ କମିସନର ଡକ୍ଟର ସୁଧାଂଶୁ ଷଡ଼ଙ୍ଗୀ, ରାଜ୍ୟ ଆଇନସେବା ପ୍ରାଧିକାରଣ ସଦସ୍ୟ-ସଚିବ ଦେବାଶିଷ ନାୟକ, ସିଏମ୍ସି କମିସନର ଅନନ୍ୟା ଦାସ, ଡିସିପି ଅଖିଳେଶ୍ବର ସିଂହ, ଜୁଡିସିଆଲ ଏକାଡେମି ନିର୍ଦ୍ଦେଶକ ଗୌରୀଶଙ୍କର ଶତପଥୀ, ରେଜିଷ୍ଟ୍ରାର ଜେନେରାଲ ରାଧାକୃଷ୍ଣ ପଟ୍ଟନାୟକଙ୍କ ସମେତ ଜିଲ୍ଲା ପ୍ରଶାସନର ବିଭିନ୍ନ ବିଭାଗୀୟ ଅଧିକାରୀ, କର୍ମଚାରୀ, ଜୁଡିସିଆଲ୍ ଏକାଡେମିର ପ୍ରଶିକ୍ଷଣରତ ବିଚାର ବିଭାଗୀୟ ଅଧିକାରୀ, ବିଭିନ୍ନ ସ୍କୁଲ/କଲେଜ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ଶୋଭାଯାତ୍ରାରେ ୫ଶହରୁ ଅଧିକ ବ୍ୟକ୍ତି ଭାଗ ନେଇଥିବା ବେଳେ ଶୋଭାଯାତ୍ରା ପାଇଁ ‘ମୋ ସାଇକଲ’ ପକ୍ଷରୁ ୨ଶହ ଓ ବିଏମ୍ସି ପକ୍ଷରୁ ୧୫୦ ସାଇକଲ ଯୋଗାଇ ଦିଆଯାଇଥିଲା। ଉପ-ଜିଲ୍ଲାପାଳ ଶୁଭ୍ରାଂଶୁ ମିଶ୍ର ସାଇକଲ ଶୋଭାଯାତ୍ରାକୁ ସଂଯୋଜନା କରିଥିଲେ। ଆଜିର ଶୋଭାଯାତ୍ରା ଆସନ୍ତା ବାଲିଯାତ୍ରାକୁ ପ୍ରଦୂଷଣମୁକ୍ତ କରିବା ସହିତ ସାଇକଲ ପ୍ରତି ଲୋକଙ୍କୁ ଅଧିକ ଆକୃଷ୍ଟ କରିପାରିଥିବା ଚର୍ଚ୍ଚା ହେଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/11/ma-cuttack-cycle-rally-21.jpg)