ଭୁ‌ବନେଶ୍ବର: ଚିନ୍ତା ବଢାଉଛି ଜଳବାୟୁ ପରିବର୍ତ୍ତନ। କେତେବେଳେ ପ୍ରବଳ ବର୍ଷା ତ ପୁଣି କେତେବେଳେ ଅସହ୍ୟ ତାତି। ଚାଷ ଜମି ଫାଟି କେଉଁଠି ଆଁ କଲାଣି ତ କେଉଁଠି ବନ୍ୟାରେ ଉଜୁଡିଗଲାଣି ସବୁକିଛି। ଓଡ଼ିଶା ହିଁ ଏହାର ସବୁଠାରୁ ବଡ଼ ଉଦାହରଣ। କାରଣ ପ୍ରତ୍ୟେକ ବର୍ଷ ଓଡ଼ିଶା ଦେଖୁଛି ପ୍ରାକୃତିକ ଦୁର୍ବିପାକର ବିଭୀଷିକା। କେବଳ ଏତିକି ନୁହଁ ଜଳବାୟୁ ପରିବର୍ତ୍ତନ ପାଇଁ ଦିନକୁ ଦିନ ବଢ଼ିଲାଣି ଅନେକ ରୋଗ। ଜଳବାୟୁ ପରିବର୍ତ୍ତନ ପାଇଁ ମାନବ ସମାଜ ବହୁ ମାତ୍ରାରେ ଦାୟୀ ବୋଲି ବିଶେଷଜ୍ଞ କହିଲେଣି।

Advertisment

ସମଗ୍ର ବିଶ୍ବରେ ଜଳବାୟୁ ପରିବର୍ତ୍ତନ ଏକ ବଡ ସମସ୍ୟା ହୋଇ ଉଭା ହୋଇଥିବାରୁ ଏହା ବିରୋଧରେ ଏକ ନିଆରା ଅଭିଯାନ ଆରମ୍ଭ କରିଛନ୍ତି ପ୍ରଫେସର ଜୟନ୍ତ ମହାଜନ। ଜନ ସଚେତନତା ପାଇଁ ସାଇକେଲରେ ବାହାରି ପଡ଼ିଛନ୍ତି ଜୟନ୍ତ ମହାଜନ। ପେଶାରେ ସେ ଅଧ୍ୟାପକ। ମହାରାଷ୍ଟ୍ରର ପୁଣେସ୍ଥିତ ଖ୍ରୀଷ୍ଟ ବିଶ୍ବବିଦ୍ୟାଳୟରେ ସେ ପାଠ ପଢ଼ାନ୍ତି। କିନ୍ତୁ ବିଶ୍ବବିଦ୍ୟାଳୟର ପରିସର ଆଉ ତାଙ୍କ ଶ୍ରେଣୀଗୃହ ଛାଡ଼ି ଭାରତ ଯାତ୍ରାରେ ବାହାରି ପଡ଼ିଛନ୍ତି । କିଛି ବର୍ଷ ରିଏଲ ଇଷ୍ଟେଟ, ପର୍ଯ୍ୟଟନ ଓ ଆଇଟି ଭଳି କ୍ଷେତ୍ରରେ କାମ କରିବା ପରେ ଅଧ୍ୟାପନା କରିବାକୁ ମନ ବଳାଇଲେ। କିନ୍ତୁ ଶ୍ରେଣୀଗୃହରେ ସୀମିତ ନରହି ଖୋଲା ଆକାଶ ତଳେ ଜଳବାୟୁ ପରିବର୍ତ୍ତନ ସମ୍ପର୍କରେ କିଛି ଶିଖିବା ଓ ଶିଖାଇବା ଉଦ୍ଦେଶ୍ୟରେ ସେ କରୁଛନ୍ତି ସାଇକେଲ ଯାତ୍ରା। ଶିକ୍ଷାନୁଷ୍ଠାନ ହେଉ ଅବା କୌଣସି ଅନୁଷ୍ଠାନ ଲୋକଙ୍କୁ ଭେଟୁଛନ୍ତି ଆଉ ଜଳବାୟୁ ପରିବର୍ତ୍ତନର ଭୟାବହତା ନେଇ କରୁଛନ୍ତି ଆଲୋଚନା। କେବଳ କହୁଛନ୍ତି ତାହା ନୁହଁ, ବିଭିନ୍ନ ଲୋକଙ୍କ ସହ ଭେଟିଲାବେଳେ ଅନେକ ନୂଆ ନୂଆ କଥା ବି ଜାଣୁଛନ୍ତି। ‘‘ଜନସଂଖ୍ୟା ବଢିବା ସହ ଜଙ୍ଗଲ ନଷ୍ଟ ହୋଇ ଚାଲିଥିବାବେଳେ ଜଳର ଅଭାବ ବି ଦେଖାଦେଲାଣି । ଏହି ନିତିଦିନିଆ ସମସ୍ୟାର ମୁକାବିଲା କରିବାକୁ ହେଲେ ସମସ୍ତଙ୍କର ମାନସିକତାରେ ପରିବର୍ତ୍ତନ ଆସିବାର ଆବଶ୍ୟକତା ଅଛି । ନିୟମ ତିଆରି କଲେ ହେବ ନାହିଁ ସେସବୁ କିପରି କାର୍ଯ୍ୟକାରୀ ହେବ ସେନେଇ ସରକାର ଚିନ୍ତା କରିବା ଜରୁରି ବୋଲି ଜୟନ୍ତ ମହାଜନ କହିଛନ୍ତି।’’

ଜାନୁଆରୀ ୨୩ ତାରିଖରେ ଗୁଜରାଟ ସ୍ଥିତ ନାଡାବେଟରୁ ଯାତ୍ରା ଆରମ୍ଭ କରି ଓଡିଶାରେ ପହଞ୍ଚିଛନ୍ତି । ଓଡିଶା ପରେ ପଶ୍ଚିମବଙ୍ଗ ଗଡିବ ତାଙ୍କ ସାଇକେଲ। ଚାକିରି ଜୀବନରେ ସଞ୍ଚୟ କରିଥିବା ଟଙ୍କା ଏବେ ଏହି ଯାତ୍ରାରେ ଖର୍ଚ୍ଚ କରୁଛନ୍ତି। ଏହି ଯାତ୍ରା ବେଳେ କେତେବେଳେ ଫୁଟପାଥରେ ଶୋଇଯାଉଛନ୍ତି ତ ପୁଣି କେତେବେଳେ ମଠ , ମନ୍ଦିର ବା ଆଶ୍ରୟସ୍ଥଳୀରେ କଟୁଛି ତାଙ୍କ ରାତି। ଆଉ ଦିନ ହେଲେ ପୁଣି ଗଡୁଛି ସାଇକେଲ। ଏହି ମହତ ଉଦ୍ଦେଶ୍ୟ ପାଇଁ ସେ ନିଜ ଶିକ୍ଷାନୁଷ୍ଠାନରୁ ଏକ ବର୍ଷ ପାଇଁ ଛୁଟି ନେଇଛନ୍ତି। ଏକ ବର୍ଷ ସାଇକେଲ ଯାତ୍ରା କରି ଭାରତର ବିଭିନ୍ନ ପ୍ରାନ୍ତରେ ଜଳବାୟୁ ପରିବର୍ତ୍ତନ ସମ୍ପର୍କରେ ଆଲୋଚନା କରିବାକୁ ସେ ନେଇଛନ୍ତି ସଂକଳ୍ପ।