ଗାଁରେ ପହଞ୍ଚିନି ପ୍ରଶାସନ, ତାତିଲେଣି ଲୋକେ

ପୁରୀ, (ପିପିଲି-ଡେଲାଙ୍ଗରୁ କେଶବ ପାଣିଙ୍କ ରିପୋର୍ଟ) : ପ୍ରଳୟଙ୍କାରୀ ବାତ୍ୟାକୁ ତିନି ଦିନ ବିତିଲାଣି। ତଥାପି ଗାଁରେ ପହଞ୍ଚିନି ପ୍ରଶାସନ। ନା ଲୋକଙ୍କୁ ଖାଦ୍ୟ ସାମଗ୍ରୀ ଯୋଗାଣ ହେଉଛି ନା ପୁର୍ନରୁଦ୍ଧାର କାର୍ଯ୍ୟ କରାଯାଉଛି। ସଚିବାଳୟର ଚକାଚକ୍‌ ରୁମ୍‌ରେ ସରକାରୀ ବାବୁମାନେ ବସି ଘୋଷଣା, ଯୋଜନା, ସ୍ବତନ୍ତ୍ର ଅଧିକାରୀଙ୍କୁ ନି‌ୟୋଜିତ କରୁଥିଲେ ମଧ୍ୟ ‌ସାଧାରଣ ଲୋକଙ୍କର ପାଖରେ ତାହା‌ର ଟିକିଏ ବି ହେଲେ ସୁଫଳ ପହଞ୍ଚିପାରିନି। ୧୫ ଦିନର ରନ୍ଧା ଖାଦ୍ୟ ଯୋଗାଣ କେବଳ ଘୋଷଣାରେ ଅଟକି ରହିଛି।

ପୁରୀ ଜିଲ୍ଲାର ପ୍ରଭାବିତ ପିପିଲି, ଡେଲାଙ୍ଗ, କଣାସ, ସତ୍ୟବାଦୀ ବ୍ଲକର ଗାଁଗଣ୍ଡାରେ ଏଭଳି ଚିତ୍ର ଦେଖିବାକୁ ମିଳିଛି। ତିନି ଦିନ ହେଲା ଲୋକେ ଅଖିଆ ଅପିଆ ସ୍କୁଲ ଘର, ବାତ୍ୟା ଆଶ୍ରୟ ସ୍ଥଳରେ ଦିନ କାଟୁଥିଲେ ମଧ୍ୟ ପ୍ରଶାସନ ସେମାନଙ୍କ ନିକଟରେ ପହଞ୍ଚିନି। ରନ୍ଧା ଖାଦ୍ୟ ତ ଦୂରର କଥା, ଚୁଡ଼ା, ଚାଉଳ, ଗୁଡ଼, ବିସ୍କୁଟ୍‌ ବି ପହଞ୍ଚିନି। କ୍ଷତିଗ୍ରସ୍ତ ଲୋକଙ୍କୁ ଏପର୍ଯ୍ୟନ୍ତ ପଲିଥିନ୍‌ ଖଣ୍ଡେ ବି ମିଳି ନାହିଁ। ଯେଉଁଥିପାଇଁ ଲୋକେ ତାତିଲେଣି। କେ‌ଉଁଠି ପଲିଥିନ୍‌ ମିଳି ନଥିବାରୁ ଲୋକେ ରାସ୍ତା ଅବରୋଧ କଲେଣି। ତ ଆଉ କେଉଁଠି ରାଜସ୍ବ ନିରୀକ୍ଷକ(ଆରଆଇ)ଙ୍କ କାର୍ଯ୍ୟାଳୟ ଘେରାଉ କଲେଣି।

ଗ୍ରାଉଣ୍ତ ଜିରୋରୁ ସ୍ଥିତି ଅନୁଧ୍ୟାନ କରିବା ସମୟରେ ‘ସମ୍ବାଦ’ ପ୍ରତିନିଧି ଯେଉଁ ଦୃଶ୍ୟ ଦେଖିଥି‌ଲେ ତାହା ଅତ୍ୟନ୍ତ ହୃଦୟବିଦାରକ ଥିଲା। ରାଜଧାନୀଠାରୁ ମାତ୍ର ୩୦ କିମି ଦୂର ପିପିଲି-ଡେଲାଙ୍ଗ ରାସ୍ତା ହାଟଡିହି ଗ୍ରାମ ପଞ୍ଚାୟତର ଦାନଗହିର ଗ୍ରାମରେ ସବୁ କିଛି ଛାରଖାର ହୋଇଯାଇଛି। ଗ୍ରାମରେ ଗୋଟିଏ ବି ହେଲେ ଚାଳ ଘର ନାହିଁ। ଏକାଥରେ ୨ରୁ ୪ଟି ନଡ଼ିଆ ଗଛ ଘର ଉପରେ ପଡ଼ିଛି। ଗାଁ ଦାଣ୍ଡ ସାରା କେବଳ ଭଙ୍ଗା ଆଜବେଷ୍ଟ ଗୁଣ୍ଡ ଓ ଧାନ ନଡ଼ା ପଡ଼ିଛି। ଲୋକେ ରହିବା ତ ଦୂରର କଥା ବସିବା ପାଇଁ ଘର ପିଣ୍ଡା ବି ସୁରକ୍ଷିତ ହୋଇ ନାହିଁ।

ୱାର୍ଡ ‌ମେମ୍ବର ମହମ୍ମଦ ଇବ୍‌ରାର୍‌ଙ୍କ କହିବାନୁଯାୟୀ ଦୁନ ବିତିଯାଇଥିଲେ ମଧ୍ୟ ପ୍ରଶାସନ ପହଞ୍ଚିନି। ୪୦ରୁ ଅଧିକ ପରିବାର ଦାନଗହିର ୟୁଜିଏମ୍‌ଇ ସ୍କୁଲରେ ଆଶ୍ରୟ ନେଇଥିଲେ। ସେମାନଙ୍କୁ ରନ୍ଧା ଖାଦ୍ୟ ଯୋଗାଣ ହୋଇନି। ରାତିରେ ଆଲୋକୀକରଣ ଲାଗି ଗୋଟିଏ ଜେନେରେଟର ଦିଆଯାଇଥିଲା ଯେ ତାହାକୁ ନେଇଯିବାକୁ ଚାପ ପକାଯାଉଛି। ଆମେ ଏନେଇ ବିଡିଓଙ୍କୁ ଚିଠି ଲେଖିବୁ ବୋଲି ସେ କହିଛନ୍ତି। ୱାର୍ଡ ମେମ୍ବରଙ୍କ ସହ ଆଲୋଚନା ବେଳେ ଜଣେ ମହିଳା ଭୋ ଭୋ ହୋଇ କାନ୍ଦି ଆମ ନିକଟକୁ ଆସିଥିଲେ। ବାବୁ ଖାଇବାକୁ ଗଣ୍ଡେ ଦିଅ। ମୋ ପରିବାର ଭାସିଗଲା। ମେରୁଦଣ୍ଡ ଭାଙ୍ଗିଗଲା। ଆମକୁ ଏହି ନର୍କରୁ ଉଦ୍ଧାର କର। କେବଳ ମହିଳା ନୁହଁନ୍ତି, ଛୋଟ ପିଲାମାନେ ମଧ୍ୟ ଧାଇଁ ଆସିଥିଲେ। କାଳେ କ’ଣ ଖାଇବାକୁ ମିଳିବ ଚାହିଁ ରହିଥିଲେ।

ସେଠାରୁ କିଛି ବାଟ ଦୂରରେ ଥିବା ନୂଆଗାଁ ପ୍ରାଥମିକ ବିଦ୍ୟାଳୟରେ ବି ସମାନ ଅବସ୍ଥା ଦେଖିବାକୁ ମିଳିଥିଲା। ୧୫୦ ଜଣ ଲୋକ ଆଶ୍ରୟ ନେଇଛନ୍ତି। ଗତକାଲି ରନ୍ଧା ଖାଦ୍ୟ ଦିଆଯାଇଥିଲା। ଆଜି ମଧ୍ୟାହ୍ନ ସୁଦ୍ଧା ପ୍ରଶାସନିକ ଅଧିକାରୀଙ୍କ ‌ଦେଖା ନଥିଲା। ଆଶ୍ରୟ ସ୍ଥଳରେ ରୋଷେଇ ବି ହୋଇ ନଥିଲା। ଛୋଟ ପିଲାମାନେ ଖାଇବା ଲାଗି ଡହଳବିକଳ ହେଉଥିବା ବେଳେ ମା’ମାନେ ସେମାନଙ୍କୁ ବୁଝାଉଥି‌ଲେ।

ଡେଲାଙ୍ଗ ଷ୍ଟେସନ ବଜାରରେ ପହଞ୍ଚିଲା ବେଳକୁ ପ୍ରଶାସନର ଅପାରଗତାକୁ ନେଇ ଲୋକଙ୍କ ଉଗ୍ରରୂପ ଦେଖିବାକୁ ମିଳିଥିଲା। ରିଲିଫ୍‌ ନ ମିଳିବା, ପଲିଥିନ୍‌ ବାଟମାରଣା, ଚୁଡ଼ା, ଗୁଡ଼, ବିସ୍କୁଟ ଆଦି ନ ପହଞ୍ଚିବା ପରି ବିଭିନ୍ନ ଅଭିଯୋଗ କରି ସ୍ଥାନୀୟ ଲୋକେ ସିଧାସଳଖ ରାସ୍ତାକୁ ଓହ୍ଲାଇଥିଲେ। ପଟ୍ଟନାୟିକିଆ ଛକରୁ ଡେଲାଙ୍ଗକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ଅବରୋଧ କରିଥିଲେ। ଦୁଇ ଘଣ୍ଟା ଧରି ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା। ସ୍ଥାନୀୟ ଥାନା ଅଧିକାରୀ ଆଲୋଚନା କରିଥିଲେ ମଧ୍ୟ ଲୋକେ ହଟି ନଥିଲେ। ସେମାନେ ରୋକଠୋକ ଶୁଣାଇଥିଲେ‌ ଯେ ତହସିଲଦାର ଆସନ୍ତୁ। ରିଲିଫ୍‌ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରିବାକୁ ପ୍ରତିଶ୍ରୁତି ଦିଅନ୍ତୁ। ତେବେ ଯାଇ ଆମେ ହଟିବୁ।

‌ସେହିପରି ଡେଲାଙ୍ଗ ବ୍ଲକର କଲ୍ୟାଣପୁର ରାଜସ୍ବ ନିରୀକ୍ଷକ(ଆରଆଇ) ଅଫିସ୍‌ରେ ରିଲିଫ୍‌ ଯୋଗାଣକୁ ନେଇ ତମ୍ବିତୋଫାନ ଦେଖିବାକୁ ମିଳିଥିଲା। କାହାର କେତେ ଘର ଭାଙ୍ଗିଛି ତାହାର ଅନୁଧ୍ୟାନ ପାଇଁ ଆରଆଇ ଗାଁକୁ ଯାଇ ନଥି‌ଲେ। ବରଂ ରିଲିଫ୍‌ ବଣ୍ଟନ ପୂର୍ବରୁ ଗୋଟିଏ ଫର୍ମ ପୂରଣ କରିବାକୁ କୁହାଯାଇଥିଲା। ଏହାକୁ ନେଇ ଲୋକେ ଆରଆଇଙ୍କ କାର୍ଯ୍ୟାଳୟରେ ପାଟିତୁଣ୍ଡ କରିଥିଲେ। ଡେଲାଙ୍ଗ ଷ୍ଟେସନରୁ ଡେଲାଙ୍ଗ ହାଟ ପର୍ଯ୍ୟନ୍ତ ରାସ୍ତାର ଅବସ୍ଥା ବି ସମ୍ପୂର୍ଣ୍ଣ ବିଗିଡ଼ିଯାଇଥିବା ଦେଖିବାକୁ ମିଳିଥିଲା। ରାସ୍ତାପାର୍ଶ୍ବ ସାରା ଚାଳ ଓ ଆଜବେଷ୍ଟ ଘର ଭାଙ୍ଗି ପଡ଼ିଛି। କଣାସ ତହସିଲ୍‌ କାର୍ଯ୍ୟାଳୟରେ ପହଞ୍ଚିଲା ବେଳକୁ ସେଠାରେ ଲୋକେ ପଲିଥିନ୍‌ ବୋହି ନେଉଥିବାର ଦୃଶ୍ୟ ଦେଖିବାକୁ ପାଇଥିଲୁ। ଲମ୍ବା ଲାଇନ୍‌ରେ ଛିଡ଼ା ହୋଇଥିଲେ ମଧ୍ୟ ମଝିରେ ମଝିରେ ଲୋକେ ହୋହାଲ୍ଲା କରୁଥିଲେ।

‘ଫନି’ ପ୍ରକୋପରୁ ଉକ୍ତ ୪ଟି ବ୍ଲକର ଗୋଟିଏ ବି ଶିକ୍ଷାନୁଷ୍ଠାନ ବାଦ୍‌ ପଡ଼ିନି। ସ୍କୁଲ, କଲେଜ ସବୁ ଛିନ୍‌ଛତର୍‌। କେଉଁଠି ଗଛ ପଡ଼ି ସ୍କୁଲ ଘର କାନ୍ଥ ଭାଙ୍ଗିପଡ଼ିଛି ତ ଆଉ କେଉଁଠି ଆଜବେଷ୍ଟସ ଉଡ଼ିଯାଇଛି। ସେହି ଗଛ ପଡ଼ିଥିବା ସ୍କୁଲ ଘର ଭିତରେ ଗ୍ରାମବାସୀ ଆଶ୍ରୟ ନେଇଛନ୍ତି। ଜୀବନକୁ ପାଣି ଛଡ଼ାଇ ଦିନରାତି କାଟୁଛନ୍ତି। ଆସନ୍ତା ମାସେ ଭିତରେ ସ୍କୁଲ କଲେଜ ସ୍ଥିତିରେ ସୁଧାର ଆସିବା ସମ୍ଭବପର ନୁହେଁ।

ଔଷଧ ପହଞ୍ଚିଲାନି
ବାତ୍ୟା ପରବର୍ତୀ ଲୋକଙ୍କ ସ୍ବାସ୍ଥ୍ୟ ପ୍ରତି ସତେଯେମିତି ଆଖି ବୁଜି ଦେଇଛି ପ୍ରଶାସନ। ତିନି ଦିନ ପରେ ବି ଗାଁ ଲୋକଙ୍କ ନିକଟରେ ସାମାନ୍ୟ ମୁଣ୍ଡବିନ୍ଧା ଔଷଧଟିଏ ବି ପହଞ୍ଚିପାରିନି। ଡେଲାଙ୍ଗ ବ୍ଲକ ଅଧୀନ କଲ୍ୟାଣପୁର ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର(ନୂତନ)ରେ ତାଲା ପଡ଼ିଛି। କେହି ବି ନ ଥିଲେ। ଡେଲାଙ୍ଗ ପ୍ରାଣୀ ଚିକିତ୍ସା କେନ୍ଦ୍ରକୁ ଏପର୍ଯ୍ୟନ୍ତ ବାଟ ଫିଟିପାରିନି। ରାସ୍ତାରେ ଗଛ ଭାଙ୍ଗିପଡ଼ିଛି। ଚିକିତ୍ସାଳୟକୁ ଜୀବଜନ୍ତୁ ଯିବା ଦୂରର କଥା ମଣିଷ ପଶିବା କଷ୍ଟକର ହୋଇପଡ଼ୁଛି। ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସା ସୁବିଧା ଏଠାରେ ଏବେ କେବଳ ସାହାରା। କଣାସ, ଚନ୍ଦନପୁର ସ୍ବାସ୍ଥ୍ୟ କେନ୍ଦ୍ର ବୁଲିଲା ବେଳେ ବି ସ୍ବାସ୍ଥ୍ୟ ସେବା ଟିକିଏ ପାଇବା ଲାଗି ଲୋକେ କିଭଳି ବ୍ୟାକୁଳ ହେଉଛନ୍ତି ତାହା ଦେଖିବାକୁ ମିଳିଥିଲା।

ମତ୍ସ୍ୟଜୀବୀଙ୍କ ବେଉସା ବୁଡ଼ିଲା
ଦୟା ନଦୀରୁ ମାଛ ଧରି ଗୁଜୁରାଣ ମେଣ୍ଟାଉଥିବା କଣାସ ବ୍ଲକର ନୂଆଦୋକନ୍ଦାର ମତ୍ସ୍ୟଜୀବୀଙ୍କ ମେରୁଦଣ୍ଡ ଭାଙ୍ଗିଯାଇଛି। ୧୨୦୦ ଲୋକ ମାଛ ଛାଷ ଉପରେ ନିର୍ଭରଶୀଳ। ବାତ୍ୟା ହେବା ପରଠାରୁ ପ୍ରାୟ ୨୦୦ ପରିବାରର ପୁରୁଷ ଲୋକେ ଆଉ ମାଛ ମାରିବାକୁ ଯାଉ ନାହାନ୍ତି। ଭା‌ଙ୍ଗିଯାଇଥିବା ଘର ସଜାଡ଼ୁଛନ୍ତି। ବାତ୍ୟାରେ ସେମାନଙ୍କର ୩ରୁ ୪ଟି ଡଙ୍ଗା ଭାସିଯାଇଛି। କିଛି ଡଙ୍ଗା ଭାଙ୍ଗିଯିବା ସହ ସେଥିରେ ପାଣି ପଶିଯାଇଛି।

ଓଦା ହୋଇଗଲା ଗୋଟିଏ ଟନ୍‌ ଚାଉଳ
ବାତ୍ୟା ଆସିବାର ଠିକ୍‌ ଗୋଟିଏ ଦିନ ପୂର୍ବରୁ ନୂଆଦୋକନ୍ଦାର ୪୦୦ ପରିବାର ପାଇଁ ବିପିଏଲ୍‌ ଚାଉଳ ଆସିଥିଲା। ସକାଳୁ ସକାଳୁ ବର୍ଷା ପବନ ଆରମ୍ଭ ହେବାରୁ ତାହା ଲୋକଙ୍କୁ ବଣ୍ଟା ଯାଇପାରିଲା ନାହିଁ। ସେମିତି ଗୋଦାମରେ ରହିଗଲା। ବାତ୍ୟାରେ ଘରର ଛପର ଉଡ଼ିଯିବା ସହ ବର୍ଷା ପାଣି ପଶିବା ଯୋଗୁଁ ପ୍ରାୟ ୨୦୦ ଚାଉଳ ବସ୍ତାକୁ ଓଦା ହୋଇଥିଲା। ଗୋଦାମରେ ରଖାଯାଇଥିବା ଗୋଟିଏ ଟନ୍‌(୧୦୦ କୁଇଣ୍ଟାଲ) ଚାଉଳ ନଷ୍ଟ ହୋଇଛି। ଗୋଦାମର କର୍ମଚାରୀମାନେ ଆଜି ଦିନତମାମ ତାହାକୁ ନିକଟସ୍ଥ ପଡ଼ିଆରେ ଶୁଖାଉଥିଲେ।

ସମ୍ବନ୍ଧିତ ଖବର