ଆଜି ରାତିସୁଦ୍ଧା ବାତ୍ୟା ରୂପ ନେବ ଗଭୀର ଅବପାତ, ରବିବାର ସଂଧ୍ୟାରେ ସ୍ଥଳଭାଗ ଛୁଇଁବ

ଭୁବନେଶ୍ବର : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଡିପ୍-ଡି୍ପ୍ରେସନ ଘଣ୍ଟା ପ୍ରତି ୧୭ କିଲୋମିଟର ବେଗରେ ପଶ୍ଚିମ ଦିଗରେ ଗତି କରୁଛି । ଆଜି ଦିନ ସାଢେ ୧୧ଟା ସୁଦ୍ଧା ଏହା ଗୋପାଳପୁରଠାରୁ ୪୧୦ କିଲୋମିଟର ପୂର୍ବ,ଦକ୍ଷିଣ-ପୂର୍ବ ଦିଗରେ ଅବସ୍ଥିତ ଥିଲା ବୋଲି ଭାରତୀୟ ପାଣିପାଗ ବିଭାଗ ନିଜର ସ୍ବତନ୍ତ୍ର ବାତ୍ୟା ବୁଲେଟିନରେ କହିଛି । ଆସନ୍ତା ୬ ଘଣ୍ଟାରେ ଅର୍ଥାତ ଆଜି ରାତି ସୁଦ୍ଧା ଏହା ଏକ ସାମୁଦ୍ରିକ ବାତ୍ୟାରେ ପରିଣତ ହେବ । ଏହା ପଶ୍ଚିମ ଦିଗରେ ଗତି କରି ଆସନ୍ତା ରବିବାର ସଂଧ୍ୟା ସୁଦ୍ଧା ଆନ୍ଧ୍ରପ୍ରଦେଶର କଳିଙ୍ଗପଟ୍ଟନମ ଓ ଓଡ଼ିଶାର ଗୋପାଳପୁର ମଧ୍ୟରେ ସ୍ଥଳଭାଗ ଛୁଇଁବ ।

ଏହି ବାତ୍ୟା ଗୁଲାବର ପ୍ରଭାବରେ ରବିବାରଦିନ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶର ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ହେବା ସହ ଘଣ୍ଟା ପ୍ରତି ୬୫ରୁ ୭୫ କିଲୋମିଟର ବେଗରେ ପହନ ବୋହିବ । ଏହି ସମୟରେ ସମୁଦ୍ର ପ୍ରବଳ ଅଶାନ୍ତ ରହିବାର ସମ୍ଭାବନା ଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ନ ଯିବାକୁ ଆଇଏମଡି ପକ୍ଷରୁ  କୁହାଯାଇଛି ।

ଏହି ସାମୁଦ୍ରିକ ବାତ୍ୟା ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ ସ୍ଥଳଭାଗ ଛୁଇଁବା ପରେ ତେଲେଙ୍ଗାନା ଓ ଛତିଶଗଡ ଆଡ଼କୁ ଗତି କରିବ ଓ ଦୁର୍ବଳ ହୋଇଯିବ ।

ତେବେ ଏହି ବାତ୍ୟା ଦୁର୍ବଳ ହେବା ପରେ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ପ୍ରବେଶ କରିବ । ଭିଏତନାମରେ ଧ୍ବଂସଲୀଳା ରଚାଇଥିବା ବାତ୍ୟା ଡିଆମୁ ଧୀରେ ଧୀରେ ବଙ୍ଗୋପସାଗର ଆଡ଼କୁ ଗତି କରୁଛି । ତେବେ ଏହା ବଙ୍ଗୋପସାଗରରେ ପ୍ରବେଶ କରିବା ବେଳକୁ ଦୁର୍ବଳ ହୋଇ ଏକ ଲଘୁଚାପରେ ପରିଣତ ହୋଇଥିବ ।

ସମ୍ବନ୍ଧିତ ଖବର