ମାଡ଼ିଆସୁଛି ବାତ୍ୟା ‘ଡାଏ’ : ଗୋପାଳପୁରରୁ ୮୦ କି.ମି. ଦୂରରେ ଅବପାତ, ଘଣ୍ଟାକୁ ୨୦ କି.ମି. ବେଗରେ ଭୂଭାଗ ମୁହାଁ

ଭୁବନେଶ୍ୱର : ଆଉ ମାତ୍ର ୮୦ କିଲୋମିଟର ଦୂରରେ ବାତ୍ୟା ‘ଡାଏ’। ଘଣ୍ଟାକୁ ୨୦ କିଲୋମିଟର ବେଗରେ ଗତି କରୁଥିବା ଡାଏ ମଧ୍ୟରାତି ସୁଦ୍ଧା ଗୋପାଳପୁର ଛୁଇଁବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ଏହାର ପ୍ରଭାବରେ ପୁରୀ ସମୁଦ୍ରରେ ଉଚ୍ଚ ଜୁଆର ଉଠିବାରେ ଲାଗିଛି। ସ୍ୱର୍ଗଦ୍ୱାର ରାସ୍ତାରେ ଉଚ୍ଚ ଜୁଆର ମାଡ଼ ହେବା ସହ ପବନର ବେଗ ମଧ୍ୟ ବଢ଼ିବାରେ ଲାଗିଛି।

ବାତ୍ୟା ‘ଡାଏ’ ପ୍ରଭାବରେ ରାଜ୍ୟର ଅନେକ ସ୍ଥାନରେ ବର୍ଷା ଜାରି ରହିଛି। ମାଲକାନାଗିରି ଓ କାଲିମେଳାରେ ପ୍ରବଳ ବର୍ଷା ଲାଗିରହିବା ସହ ବିଦ୍ୟୁତ୍‌ ସେବା ମଧ୍ୟ ଠପ୍‌ ହୋଇଯାଇଛି। ବାତ୍ୟା ଯେତେ ଯେତେ ପାଖେଇ ଆସୁଛି ଲୋକଙ୍କ ମନରେ ମଧ୍ୟ ଭୟର ବାତାବରଣ ଦେଖାଦେବାରେ ଲାଗିଛି। ବାତ୍ୟା ‘ଡାଏ’ ପ୍ରଭାବରେ ଘଣ୍ଟାକୁ ୬୦ରୁ ୭୦ କି.ମି. ବେଗରେ ପବନ ବହିବ ବୋଲି ଅନୁମାନ କରାଯାଉଛି। ଏହାକୁ ଦୃଷ୍ଟିରେ ରଖି ସବୁ ବନ୍ଦରଗୁଡ଼ିକରେ ୩ ନମ୍ବର ବିପଦ ସଂକେତ ଜାରି କରାଯାଇଛି। ଏଥିସହିତ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ନ ଯିବାକୁ ବାରଣ କରାଯାଇଛି।

‘ଡାଏ’ ପ୍ରଭାବରେ ଓଡ଼ିଶାର ୫ଟି ଜିଲ୍ଲା ଗଜପତି, ଗଞ୍ଜାମ, ଖୋର୍ଦ୍ଧା, ନୟାଗଡ଼ ଏବଂ ପୁରୀ ପ୍ରଭାବିତ ହେବା ଆଶଙ୍କା କରାଯାଉଛି। ଝଡବାତ୍ୟାକୁ ଦୃଷ୍ଟିରେ ରଖି ସବୁ ବିଭାଗକୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଗଂଜାମ ଓ ପୁରୀ ଜିଲ୍ଲାରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳରେ ବସବାସ କରୁଥିବା ଲୋକମାନଙ୍କୁ ସ୍ଥାନାନ୍ତର ପାଇଁ ଜିଲ୍ଲାପାଳମାନଙ୍କୁ ମଧ୍ୟ ଦିଆଯାଇଛି ନିର୍ଦ୍ଦେଶ।

ସମ୍ବନ୍ଧିତ ଖବର