ଅତି ଭୀଷଣ ହେବ ‘ଅମ୍ଫାନ୍’ : ଓଡ଼ିଶା ନିକଟରେ ଘଷି ହୋଇ ଆଗକୁ ବଢ଼ିବ, ଘଣ୍ଟାପ୍ରତି ୮୫ କିଲୋମିଟର ବେଗରେ ପବନ ବହିପାରେ

୧୮ ତାରିଖରେ ୫ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ, ପଶ୍ଚିମବଙ୍ଗ ସୀମାନ୍ତରେ ସ୍ଥଳଭାଗ ଛୁଇଁପାରେ

ଭୁବନେଶ୍ବର : ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଧୀରେ ଧୀରେ ତାର ଶକ୍ତି ବଢାଇବା ଆରମ୍ଭ କରିଛି। ଆଜି ପୂର୍ବାହ୍ନରେ ଅବପାତ ଓ ପରେ ଅଧିକ ଘନୀଭୂତ ହୋଇ ଆଜି ସନ୍ଧ୍ୟାରେ ଏହା ବାତ୍ୟା (ଅମ୍ଫାନ୍) ରୂପ ନେଇସାରିଲାଣି। ପାରାଦୀପ ଠାରୁ ଦକ୍ଷିଣକୁ ୧୦୩୦ କିଲୋମିଟର ଦୂରରେ ଥିବା ଅମ୍ଫାନ୍ ଏବେ ଆଗକୁ ଘଣ୍ଟା ପ୍ରତି ପାଖାପାଖି ୩ କିଲୋମିଟର ବେଗରେ ବଢ଼ୁଛି ଓ ବଳଗୋଟାଇବା ଆରମ୍ଭ କରିଛି।

ଭାରତର ପାଣିପାଗ ବିଭାଗ ପୂର୍ବାନୁମାନ କରୁଛି ଯେ ଏହା ୧୭ ତାରିଖ ପର୍ଯ୍ୟନ୍ତ ଉତ୍ତର-ଉତ୍ତର ପଶ୍ଚିମ ଦିଗକୁ ଗତି କରିବ ଓ ପରେ ଦିଗ ପରିବର୍ତନ କରି ଉତ୍ତର- ଉତ୍ତର ପୂର୍ବ ଦିଗକୁ ଅର୍ଥାତ୍ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଆଡ଼କୁ ମାଡ଼ିବ। କେବଳ ସେତିକି ନୁହେଁ, ‘ଅମ୍ଫାନ୍’ ଆସନ୍ତାକାଲି ଭୟଙ୍କର ବାତ୍ୟା ରୂପ ନେବ ଓ ପରବର୍ତୀ କିଛି ଘଣ୍ଟା ମଧ୍ୟରେ ୧୮ ତାରିଖ ବେଳକୁ ଅତି ଭୟଙ୍କର ବାତ୍ୟା ରୂପ ଧାରଣ କରିସାରିଥିବ। କିନ୍ତୁ ୧୯ ତାରିଖ ବେଳକୁ ଏହା ଆହୁରି ଭୀଷଣ ରୂପ ନେବ, ଯେତେବେଳେ କି ବାତ୍ୟାର କେନ୍ଦ୍ରସ୍ଥଳୀରେ ପବନର ବେଗ ୧୭୦ କିଲୋମିଟର ଥିବ। ଏହି ପ୍ରକ୍ରିୟା ୧୯ ତାରିଖ ସନ୍ଧ୍ୟା ପର୍ଯ୍ୟନ୍ତ ରହିବ। ପରେ ଏହାର ପ୍ରକୋପ ସାମାନ୍ୟ କମିପାରେ। ଯଦି ୨୦ ତାରିଖ ଅପରାହ୍ନ ୪ଟାରେ ସ୍ଥଳଭାଗ ଛୁଏଁ, ତେବେ ସେ ସମୟରେ ବାତ୍ୟାସ୍ଥଳୀରେ ପବନର ବେଗ ୧୪୫ କିଲୋମିଟର ଘଣ୍ଟା ପ୍ରତି ରହିଥିବ। ଏହା ଦୀଘାଠାରୁ କିଛି ଦୂରରେ ପଶ୍ଚିମବଙ୍ଗ ଛୁଇଁପାରେ େବାଲି ହିସାବ କରାଯାଉଛି ଓ ସ୍ଥଳଭାଗକୁ ଯିବା ପରେ ଏହା କୋଲକାତା ସହର ଦେଇ ଆଗକୁ ବଢିପାରେ।

ତେବେ ଭାରତର ପାଣିପାଗ ବିଭାଗ ମହାନିର୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ଆକଳନ କହୁଛି, ଓଡ଼ିଶା ପ୍ରତି ସିଧାସଳଖ କୌଣସି ବିପଦ ରଖୁନି ‘ଅମ୍ଫାନ୍’। ବାତ୍ୟା ନିର୍ଦିଷ୍ଟ କେଉଁ ସ୍ଥାନରେ ସ୍ଥଳଭାଗ ଛୁଇଁବ ତାହା ଏବେଠାରୁ ଆକଳନ କରାଯିବା ଠିକ୍ ହେବ ନାହିଁ। ଆସନ୍ତାକାଲି ‘ଅମ୍ଫାନ୍’ ଦିଗ ପରିବର୍ତନ ପରେ ଏ ସଂପର୍କରେ ସ୍ପଷ୍ଟ ଭାବେ କୁହାଯାଇପାରିବ। କିନ୍ତୁ ଏକଥା ସତ ଯେ ଏହା ଓଡ଼ିଶା ସୀମାରେ ଅତିକ୍ରମ କରିବା ବେଳକୁ ଅତି ଭୀଷଣ ବାତ୍ୟା ରୂପ ନେଇସାରିଥିବ, ଯେତେବେଳେ କି ପବନର ବେଗ ସେ ଅଞ୍ଚଳରେ ୧୬୦ରୁ ୧୭୦ କିଲୋମିଟର ଥିବ ଏବଂ ମଝିରେ ମଝିରେ ୧୯୦ କିଲୋମିଟର ବେଗରେ ଝଟ୍‌କା ଦେଉଥିବ।

ଭାରତର ପାଣିପାଗ ବିଭାଗ ପୂର୍ବାନୁମାନ କରୁଛି ଯେ ଓଡ଼ିଶାର ଉପକୂଳରେ ବାତ୍ୟାର ପ୍ରଭାବ ଟିକିଏ ଅଧିକ ରହିବ। ବିଶେଷକରି ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ବର ଜିଲ୍ଲା ଉପକୂଳରେ ପବନର ବେଗ ୭୫ରୁ ୮୫ କିଲୋମିଟର ରହିବ। ସ୍ଥଳବିଶେଷରେ ୯୫ କିଲୋମିଟର ବେଗରେ ଝଟ୍‌କା ଦେଉଥିବ। ଏହା ବଢ଼ିପାରେ।

ଆକଳନ କରାଯାଉଛି, ବାତ୍ୟା ‘ଅମ୍ଫାନ୍’ ବୁଲ୍‌ବୁଲ୍‌ ରାସ୍ତାରେ ଯିବ, ହେଲେ ଟିକିଏ ଉପକୂଳ ଆଡ଼କୁ ଢଳି ଅର୍ଥାତ୍ ସ୍ଥଳଭାଗରୁ ୭୦ କିଲୋମିଟର ଦୂରରେ ଅତିକ୍ରମ କରିବ। ବୁଲ୍‌ବୁଲ୍ ପାରାଦୀପ ଠାରୁ ୧୧୦ କିଲୋମିଟର ଦୂରରେ ଆଗକୁ ବଢ଼ିଥିଲା। ବାତ୍ୟାର ସବୁଠାରୁ ନିକଟତମ ଅଞ୍ଚଳ ଓଡ଼ିଶା ସୀମାର ପାରାଦୀପ ରହିବ। ଏହା ହିଁ ସୂଚାଇ ଦେଉଛି ଯେ ଅତି ଭୀଷଣ ଅବସ୍ଥାରେ ବାତ୍ୟା ପହଞ୍ଚି ସାରିଥିବା କାରଣରୁ ଚାରି ଉପକୂଳବର୍ତୀ ଜିଲ୍ଲା ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ ଓ ବାଲେଶ୍ବରରେ କ୍ଷତି ପରିମାଣ ଟିକିଏ ଅଧିକ ହୋଇପାରେ।

ପାଣିପାଗ ବିଭାଗର ସୂଚନା ଅନୁସାରେ, ୧୮ ତାରିଖ ଅପରାହ୍ନରୁ ଦକ୍ଷିଣ ଓଡ଼ିଶା ସୀମାନ୍ତ ଉପକୂଳରେ ବର୍ଷା ଆରମ୍ଭ ହୋଇପାରେ। ଗଞ୍ଜାମ, ଗଜପତି, ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡା ପାଇଁ ୟେଲୋ ଵାର୍ଣ୍ଣିଂ ଜାରି କରାଯାଇଛି। ହେେଲ ୧୯ ତାରିଖ ବେଳକୁ ଉତ୍ତର ଓଡ଼ିଶାରେ ବର୍ଷା ପରିମାଣ ବଢିବ। କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ଏହି ଦିନ ସବୁ ଉପକୂଳବର୍ତୀ ଜିଲ୍ଲାପାଇଁ ଅରେଞ୍ଜ ଵାର୍ଣ୍ଣିଂ ଦିଆଯାଇଛି। ୨୦ତାରିଖ ସକାଳ ପର୍ଯ୍ୟନ୍ତ ଓଡ଼ିଶା ଉପକୂଳ ଉପରେ ଚାପ ରହିପାରେ ବୋଲି ହିସାବ କରାଯାଉଛି। ବାଲେଶ୍ବର, ଭଦ୍ରକ, କେନ୍ଦୁଝର ଓ ମୟୂରଭଂଜ ପାଇଁ ପାଣିପାଗ ବିଭାଗ ୟେଲୋ ଵାର୍ଣ୍ଣିଂ ଜାରି କରିଛନ୍ତି।

ଏହି ସମୟରେ ସମୁଦ୍ର ଭୀଷଣ ଅଶାନ୍ତ ରହିବ। ଏଥିପାଇଁ ରେଡ୍ ଵାର୍ଣ୍ଣିଂ ଜାରି ହୋଇଛି। ତେବେ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯିବା ସହିତ ସବୁ ବନ୍ଦରରେ ୨ନମ୍ବର ବିପଦ ସଙ୍କେତ ଦିଆଯାଇଛି।

ଅନ୍ୟପକ୍ଷରେ ପାଣିପାଗବିଜ୍ଞାନୀ ଡ. ସୁରେନ୍ଦ୍ର ନାଥ ପଶୁପାଳକ ବିଭିନ୍ନ ମଡେଲ୍ ଅନୁଧ୍ୟାନ କରି ପୂର୍ବାନୁମାନ କରିଛନ୍ତି, ବାତ୍ୟାର ଗତି ଧୀର ଥିବାରୁ ୧୮ ତାରିଖ ନୁହେଁ, ବରଂ ୧୯ ତାରିଖରୁ ବର୍ଷା ଆରମ୍ଭ ହେବ। ଓଡ଼ିଶାରେ ବାତ୍ୟା ସ୍ଥଳଭାଗ ଛୁଇଁବାର ପ୍ରଶ୍ନ ଉଠୁନି। ବରଂ ଓଡ଼ିଶା ସମୁଦ୍ର ଉପକୂଳ ଠାରୁ ଅର୍ଥାତ୍ ପାରାଦୀପ ଠାରୁ ୧୫୦ କିଲୋମିଟର ଦୂରରେ ଏହା ସମୁଦ୍ରରେ ହିଁ ଗତି କରିବ। ଆହୁରି ସ୍ପଷ୍ଟ ଭାବେ କହିଲେ, ବାତ୍ୟା ଅମ୍ଫାନ୍ ଦିଗ ପରିବର୍ତନ କରି ଉତ୍ତର-ଉତ୍ତର ପୂର୍ବ ଦିଗରେ ଗତି କରିବା ବେଳେ ଅଧିକ ପୂର୍ବ ଆଡ଼କୁ ଢଳିଯିବାର ସମ୍ଭାବନା ରହିଛି।

ଏମିତି ହେଲେ, ଗଞ୍ଜାମ ଜିଲ୍ଲାରେ ସାମାନ୍ୟ ପ୍ରଭାବ ପଡିବ। ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ବର ଉପକୂଳର ୩୦ କିେଲାମିଟରରୁ ୫୦ କିଲୋମିଟର ମଧ୍ୟରେ କିଛି ପ୍ରଭାବ ରଖିବ। ପବନର ବେଗ ୬୦ରୁ ୭୦ କିଲୋମିଟର ଘଣ୍ଟା ପ୍ରତି ରହିପାରେ। ୧୯ ତାରିଖ ଦିନ ସ୍ବଳ୍ପରୁ ମଧ୍ୟମ ବର୍ଷା ହେବ। ତେବେ ବାତ୍ୟା କେଉଁଠି ସ୍ଥଳଭାଗ ଛୁଇଁବ, ତାହା ଆସନ୍ତା ୧୮ ତାରିଖ ସକାଳେ ଅଧିକ ସ୍ପଷ୍ଟ ହୋଇପାରିବ।

ସମ୍ବନ୍ଧିତ ଖବର