ମାଡ଼ି ଆସୁଛି ମହାବାତ୍ୟା ଅମ୍ଫାନ, ୨୦ ଅପରାହ୍ନରେ ସୁନ୍ଦରବନରେ ମାଡ଼ ହେବ, ପବନର ବେଗ ୧୬୦ କିଲୋମିଟର ଟପିପାରେ

୨୧ ବର୍ଷ ପରେ ବଙ୍ଗୋପସାଗ‌ରରେ ୨ୟ ମହାବାତ୍ୟା

ଉତ୍ତର ଓଡ଼ିଶାରେ ୧୨୦ କିମି ବେଗରେ ପବନ
ପାରାଦୀପରେ ୧୦୦ କିମି ଛୁଇଁପାରେ
ଭଦ୍ରକ ଓ ବାଲେଶ୍ବରରେ ଅତି ପ୍ରବଳ ବର୍ଷା
ମହାବାତ୍ୟାର ଆଖିର ବ୍ୟାସ ରହିଛି ୨୫କି.ମି

ଭୁବନେଶ୍ବର : ୧୯୯୯ ମସିହା ପରେ ବଙ୍ଗୋପସାଗରରେ ଦ୍ବିତୀୟ ମହାବାତ୍ୟା ସୃଷ୍ଟି ହୋଇଛି। ଭୀଷଣ ସାମୁଦ୍ରିକ ବାତ୍ୟା ରୂପ ନେଇ ଆଗକୁ ବଢିବା ବେଳେ ଆଜି ଅମ୍ଫାନ୍ ପୂର୍ବାହ୍ନରେ ଆହୁରି ଉଗ୍ର ରୂପ ଧାରଣ କରି ମହାବାତ୍ୟାରେ ପରିଣତ ହୋଇଛି। ଫଳରେ ଦୀର୍ଘ ୨୧ ବର୍ଷ ପରେ ବଙ୍ଗୋପସାଗର ଦ୍ବିତୀୟ ମହାବାତ୍ୟାର କରାଳ ରୂପ ଦେଖୁଛି। ୧୯୯୯ ମସିହା ଅକ୍ଟୋବର ୨୯ ତାରିଖରେ ମହାବାତ୍ୟା ଦୀର୍ଘ ୩୦ଘଣ୍ଟା ଧରି ବିତ୍ପାତ ରଚନା କରିଥିଲା, ଯାହାର କ୍ଷତ ଆଜି ବି ରହିଛି। ଏଭଳି ପରିସ୍ଥିତିରେ ମହାବାତ୍ୟା ଅମ୍ଫାନକୁ ନେଇ ସବୁ ମହଲରେ ଚିନ୍ତା ବଢ଼ିଯାଇଛି।

ଭାରତର ପାଣିପାଗ ବିଭାଗ ରାତି ସାଢେ଼ ଦଶଟାରେ ଜାରି କରିଥିବା ବୁଲେଟିନ୍ କହୁଛି, ମହାବାତ୍ୟା ପାରାଦୀପ ଠାରୁ ୬୪୦ କିଲୋମିଟର ଦୂରରେ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ହୋଇ ଘଣ୍ଟାପ୍ରତି ୧୫କିଲୋମିଟର ବେଗରେ ଆଗକୁ ବଢ଼ୁଛି। ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୨୬୦ କିଲୋମିଟର ପାଖାପାଖି ରହିଛି ଓ ୨୭୫ କିଲୋମିଟର ବେଗରେ ଝଟ୍‌କା ଦେଉଛି। ଆସନ୍ତାକାଲି ସକାଳ ୬ଟା ପରେ ଏହାର ପ୍ରକୋପ କମିବ ଓ ଅମ୍ଫାନ ଭୀଷଣ ସାମୁଦ୍ରିକ ବାତ୍ୟାରେ ପରିଣତ ହେବ, ଆଗକୁ ବଢିବ। ୨୦ ତାରିଖ ଅପରାହ୍ନରୁ ସନ୍ଧ୍ୟା ଭିତରେ ପଶ୍ଚିମବଙ୍ଗର ଦୀଘା-ହାତିଆ ମଧ୍ୟରେ ଥିବା ସୁନ୍ଦରବନ ନିକଟରେ ସ୍ଥଳଭାଗ ଛୁଇଁପାରେ। ସେତେବେଳକୁ ପବନର ବେଗ ଘଣ୍ଟା ପ୍ରତି ୧୬୫ରୁ ୧୭୫ କିଲୋମିଟର ରହିଥିବ ଓ ସ୍ଥଳବିଶେଷରେ ପବନର ତୀବ୍ରତା ୧୯୫ କିଲୋମିଟର ଛୁଇଁବା ଅସମ୍ଭବ ନୁହେଁ।

ପାଣିପାଗ ବିଭାଗ ପୂର୍ବାନୁମାନ କହୁଛି ଯେ ଅଧିକ ପୂର୍ବକୁ ଢଳିଥିଲେ ହେଁ ପ୍ରକୋପ ବଢିଥିବା କାରଣରୁ ଯେଉଁଭଳି ଆଶ୍ବସ୍ତି ଓଡ଼ିଶାକୁ ମିଳିବା କଥା, ତାହା ଦେଖାଯିବ ନାହିଁ। ବରଂ ସମୁଦାୟ ଉପକୂଳ ପ୍ରଭାବିତ ହେବ ଏବଂ ଉତ୍ତର ଓଡ଼ିଶା ଉପରେ ବଡ଼ ପ୍ରଭାବ ପଡ଼ିପାରେ। ପାଣିପାଗ ବିଭାଗ ଆକଳନ କରିଛି ଯେ ୨୦ ତାରିଖରେ ଉତ୍ତର ଓଡ଼ିଶାରେ ପବନର ବେଗ ଘଣ୍ଟାପ୍ରତି ୧୧୦ରୁ ୧୨୦ କିଲୋମିଟର ରହିବ ଓ ମଝିରେ ମଝିରେ ୧୩୫ କିଲୋମିଟର ବେଗରେ ଝଟ୍‌କା ଦେବ। ଏଭଳି ଚିତ୍ରକୁ ଦୃଷ୍ଟିରେ ରାଜ୍ୟ ସରକାର ବାଲେଶ୍ବରକୁ ରେଡ୍‌ ଜୋନ୍ ପରିସରଭୁକ୍ତ କରି ଅଧିକ ସତର୍କତାମୂଳକ ପଦକ୍ଷେପ ନେଉଛନ୍ତି। ପୁରୀ, ଖୋର୍ଧା, କଟକ ଓ ଯାଜପୁରରେ ପବନର ବେଗ ୫୫ରୁ ୬୫ କିଲୋମିଟର ପର୍ଯ୍ୟନ୍ତ ରହିବ ଓ ୭୫କିଲୋମିଟର ବେଗରେ ଝଟ୍‌କା ଦେବ। ଗୋପାଳପୁରରେ ପବନର ବେଗ ୪୫ରୁ ୫୫ କିମି ଭିତରେ ରହିବ। ଉପକୂଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି। ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର ଜିଲ୍ଲା ମଧ୍ୟ ଏ କ୍ଷେତ୍ରରେ ଅଧିକ ପ୍ରଭାବିତ ହେବ। ବାତ୍ୟା ସ୍ଥଳଭାଗକୁ ଛୁଇଁବା ବେଳେ ୬ମିଟର ଉଚ୍ଚର ଜୁଆର ଉଠିବ। କଚ୍ଚା ଘର ଏହି ସବୁ ଅଞ୍ଚଳରେ ଆଦୌ ସୁରକ୍ଷିତ ନୁହେଁ ବୋଲି ପାଣିପାଗ ବିଭାଗ ମହାନିର୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ସତର୍କ କରାଇ ଦେଇଛନ୍ତି।

ପାଣିପାଗ ବିଜ୍ଞାନୀ ଡ. ସୁରେନ୍ଦ୍ର ନାଥ ପଶୁପାଳକ ବିଭିନ୍ନ ମଡ଼େଲ୍ ଅନୁଧ୍ୟାନ କରି କହିଛନ୍ତି ଯେ ସୋମବାର ସନ୍ଧ୍ୟା ସାଢେ ପାଞ୍ଚଟା ବେଳକୁ ମହାବାତ୍ୟା ଅମ୍ଫାନ ପାରାଦୀପ ଠାରୁ ଦକ୍ଷିଣ-ଦକ୍ଷିଣ ପଶ୍ଚିମ ଦିଗରେ ୭୦୪ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ହୋଇ ଘଣ୍ଟାପ୍ରତି ୧୧.୨ କିଲୋମିଟର ବେଗରେ ଆଗରୁ ବଢୁଥିଲା। ସେତେବେଳକୁ ପବନର ବେଗ ଘଣ୍ଟାପ୍ରତି ୨୬୧ କିଲୋମିଟର ରହିଛି ଓ ମଝିରେ ମଝିରେ ପବନର ତୀବ୍ରତା ବଢି ୨୮୫ କିଲୋମିଟର ଛୁଉଁଛି। ଆଜି ମଧ୍ୟରାତ୍ରରେ ବାତ୍ୟାର କେନ୍ଦ୍ରସ୍ଥଳରେ ପବନର ବେଗ ୨୭୦ କିଲୋମିଟରକୁ ବଢିବ ଓ ମଝିରେ ତୀବ୍ରତା ୩୦୦ କିଲୋମିଟର ଡେଇଁପାରେ। ଏହାକୁ ଟି-୮ ଶ୍ରେଣୀଭୁକ୍ତ କରାଯାଇଛି। ଆସନ୍ତାକାଲି ସକାଳେ ଏହାର ପ୍ରକୋପ କମିବ ଓ ଏହା ଭୀଷଣ ସାମୁଦ୍ରିକ ବାତ୍ୟାରେ ପରିଣତ ହେବ। ୨୦ ତାରିଖ ଦିନ ଅମ୍ଫାନ୍ ଘଣ୍ଟା ପ୍ରତି ୨୩ କିଲୋମିଟର ବେଗରେ ଆଗକୁ ବଢ଼ିବ। ସକାଳ ୫ଟାରେ ଏହା ପୁରୀଠାରୁ ୨୦୦ କିଲୋମିଟର ଦୂରରେ, ପାରାଦୀପରେ ସାଢେ ୮ଟା, ଅପରାହ୍ନ ସାଢେ ତିନିଟାରୁ ଚାରିଟା ମଧ୍ୟରେ ଦୀଘାର ପୂର୍ବ ସୀମାନ୍ତ ପଶ୍ଚିମବଙ୍ଗରେ ସ୍ଥଳଭାଗ ସ୍ପର୍ଶ କରିବ। ସେତେବେଳକୁ ପବନର ବେଗ ୧୫୦ରୁ ୧୬୦ କିଲୋମିଟର ରହିଥିବ।

ଡ.ପଶୁପାଳକଙ୍କ ପୂର୍ବାନୁମାନ କହୁଛି, ବାତ୍ୟାର ପ୍ରଭାବରେ ଆଜି ମଧ୍ୟରାତ୍ରିରୁ ଦକ୍ଷିଣ ଓଡ଼ିଶା ଉପକୂଳରୁ ଖୋର୍ଧା ଯାଏ, ଆସନ୍ତାକାଲି ଗଞ୍ଜାମରୁ ଜଗତସିଂହପୁର, ସନ୍ଧ୍ୟା ପରେ ଜଗତସିଂହପୁରରୁ ଭଦ୍ରକ ଏବଂ ମଧ୍ୟରାତ୍ରିରେ ବାଲେଶ୍ବରରେ ବର୍ଷା ଆରମ୍ଭ ହେବ। ଅଧିକ ବର୍ଷା ଓ କମ୍ ପବନ ବହିବ। କିନ୍ତୁ ୨୦ ତାରିଖ ଦିନ ବାଲେଶ୍ବର ଓ ଭଦ୍ରକରେ ଅତି ପ୍ରବଳ ବର୍ଷା ହେବ ଏବଂ ଯାଜପୁର, ମୟୂରଭଂଜ, କେନ୍ଦୁଝରରେ ବି। ଅନ୍ୟପକ୍ଷରେ ବାତ୍ୟାର ଆଖିର ବ୍ୟାସ ପାଖାପାଖି ୨୫ କିଲୋମିଟର ରହିଥିବାରୁ ଏହାର ପ୍ରକୋପ ବଢୁଛି। ସେହିଭଳି ବାତ୍ୟାର ବ୍ୟାସାର୍ଦ୍ଧ ବିଶାଖାପାଟଣା ପାଖରେ ୩୦୬ କିଲୋମିଟର ରହୁଛି ଓ ପୁରୀ ଠାରେ ଏହା ଖସିଆସି ୨୫୨ କିଲୋମିଟରରେ ପହଞ୍ଚିଥିବ। ଅର୍ଥାତ୍ ପୁରୀ ଉପକୂଳରୁ ୫୨କିଲୋମିଟର ପର୍ଯ୍ୟନ୍ତ ବାତ୍ୟାର ବଡ଼ ପ୍ରଭାବ ରହିବ, ଯେଉଁଥିରେ ପବନ ୬୦କିଲୋମିଟର ପର୍ଯ୍ୟନ୍ତ ହୋଇପାରେ। ସେହିଭଳି ପାରାଦୀପ ନିକଟରେ ଅମ୍ଫାନ୍‌ର ବ୍ୟାସାର୍ଦ୍ଧ ୨୩୦ କିଲୋମିଟର ପାଖାପାଖି ରହିଥିବା ପରିପ୍ରେକ୍ଷୀରେ ଏଠାରେ ୯୦ରୁ ୧୦୦କିଲୋମିଟର ପର୍ଯ୍ୟନ୍ତ ପବନ ବହିବ। ସ୍ଥଳବିଶେଷରେ ଏହା ୧୦୫ କିଲୋମିଟର ପର୍ଯ୍ୟନ୍ତ ଛୁଇଁପାରେ। ସେହିଭଳି ଚାନ୍ଦବାଲି ନିକଟରେ ପବନର ବେଗ ୮୦ରୁ ୯୦ କିଲୋମିଟର ରହିବ ଓ ମଝିରେ ୧୦୦ କିଲୋମିଟର ବେଗରେ ଝଟ୍‌କା ଦେଇପାରେ। ଉଲ୍ଲେଖଯୋଗ୍ୟ, ଅମ୍ଫାନ କିଛି କଚ୍ଚା ଘର ଓ ପକ୍କା ଘର ପ୍ରତି ବିପଦ ଆଣିପାରେ। ଆଜବେଷ୍ଟସ୍ ବି ଉଡ଼ାଇ ଦେବ। ଟେଲିଫୋନ୍ ଓ ବିଦ୍ୟୁତ ଖୁଣ୍ଟ, ଗଛ ଆଦି ପ୍ରତି ଅଧିକ ବିପଦ ରଖୁଛି ବୋଲି ପାଣିପାଗ ବିଭାଗ ସତର୍କ କରାଇ ଦେଇଛି।

ସମ୍ବନ୍ଧିତ ଖବର