ସପ୍ତାହେ ପୂରିଲା, କେନ୍ଦ୍ରକୁ ଦିଆଗଲାନି ଅମ୍ଫାନ୍‌ କ୍ଷୟକ୍ଷତି ଚୂଡ଼ାନ୍ତ ରିପୋର୍ଟ

ବିଦ୍ୟୁତ୍‌ ବିଭାଗ ଏଯାଏଁ କ୍ଷୟକ୍ଷତି ରିପୋର୍ଟ ଦେଇନଥିବା ସୂଚନା
୨୬ ତାରିଖରେ ରାଜ୍ୟସ୍ତରୀୟ ବିପର୍ଯ୍ୟୟ ପରିଚାଳନା କମିଟି ବୈଠକ

ଭୁବନେଶ୍ବର : ଅମ୍ଫାନ୍‌ ବାତ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ବାଲେଶ୍ବର, କେନ୍ଦ୍ରାପଡ଼ା, ଭଦ୍ରକ ଓ ଜଗତସିଂହପୁର ଜିଲ୍ଲାରେ ବାତ୍ୟା ନିରୋଧୀ ଘର ଓ ବିଦ୍ୟୁତ ଭିତ୍ତିଭୂମି ନିର୍ମାଣ ପାଇଁ ସରକାର ୨୦ ହଜାର କୋଟି ଟଙ୍କାର ପ୍ରାଥମିକ ଆକଳନ କରିଥିଲେ। ଚଳିତମାସ ୫ ତାରିଖରେ କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି ଦେଖି ଫେରିଥିବା କେନ୍ଦ୍ରୀୟ ଟିମ୍‌ ସହ ସରକାର ଆଲୋଚନା କଲେ। କହିଥିଲେ ଚୂଡ଼ାନ୍ତ କ୍ଷୟକ୍ଷତି ରିପୋର୍ଟ ଏକ ସପ୍ତାହ ଭିତରେ କେନ୍ଦ୍ରକୁ ପ୍ରଦାନ କରାଯିବ। କିନ୍ତୁ ସପ୍ତାହ ବିତିଲାଣି ଚୂଡ଼ାନ୍ତ ରିପୋର୍ଟ ପ୍ରସ୍ତୁତ ହୋଇନାହିଁ କି କେନ୍ଦ୍ରକୁ ପଠାଯାଇନି। ତେବେ ବିଶ୍ବସ୍ତ ସୁତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ବିଦ୍ୟୁତ୍‌ ବିଭାଗର କ୍ଷୟକ୍ଷତି ରିପୋର୍ଟ ମିଳିନଥିବାରୁ ଚୂଡ଼ାନ୍ତ ରିପୋର୍ଟ ପ୍ରସ୍ତୁତ ହୋଇପାରିନି।

ଅମ୍ଫାନ୍‌ ବାତ୍ୟା ପ୍ରଭାବିତ ୪ଟି ଜିଲ୍ଲାରେ କ୍ଷୟକ୍ଷତି ଆକଳନ ପାଇଁ ଗତ ୩ ତାରିଖରେ ୭ ଜଣିଆ କେନ୍ଦ୍ରୀୟ ଟିମ୍‌ ଭୁବନେଶ୍ବରେ ପହଞ୍ଚିଥିଲେ। ଗତ ୪ ଓ ୫ ତାରିଖ କେନ୍ଦ୍ରୀୟ ଟିମ୍‌ କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି ଦେଖିବା ପରେ ବାତ୍ୟା ପରବର୍ତ୍ତୀ ରିଲିଫ୍‌ ଓ ପୁନରୁଦ୍ଧାର କାର୍ଯ୍ୟ ପାଇଁ ରାଜ୍ୟ ସରକାରଙ୍କୁ ପ୍ରଶଂସା କରିଥିଲେ। ରିଲିଫ୍‌ ଓ ପୁନରୁଦ୍ଧାର ବାବଦରେ ୨୦୦ କୋଟି ଖର୍ଚ୍ଚ ହେବ ବୋଲି ମଧ୍ୟ ସରକାର ପ୍ରସ୍ତାବ ରଖିଥିଲେ। ତେବେ ୪ ଜିଲ୍ଲାରେ ବାତ୍ୟା ନିରୋଧୀ ଭିତ୍ତିଭୂମି ପାଇଁ ସରକାରଙ୍କ ପ୍ରାଥମିକ ଆକଳନକୁ ନେଇ ବିରୋଧୀ ପ୍ରଶ୍ନ ଉଠାଇଥିଲେ। କଂଗ୍ରେସ ଓ ବିଜେପି ଅଭିଯୋଗ କରି କହିଥିଲେ ସରକାର ଫନି ବାତ୍ୟା ପରେ ବି ଏପରି ପ୍ରସ୍ତାବ କେନ୍ଦ୍ର ଆଗରେ ରଖିଥିଲେ। କିନ୍ତୁ ଆଜି ଯାଏଁ ତାର ବିସ୍ତୃତ ନକ୍ସା କେନ୍ଦ୍ରକୁ ଦେଇ ନାହାନ୍ତି। ଦୁର୍ବିପାକ ପୂର୍ବରୁ ସରକାର ଯେତିକି ତତ୍ପରତା ଦେଖାନ୍ତି ସେତିକି ତତ୍ପରତା ଦୁର୍ବିପାକ ଚାଲିଗଲା ପରେ ଆଉ ରହେନାହିଁ ବୋଲି ଅଭିଯୋଗ ହୋଇଥିଲା। ଏତେସବୁ ସମାଲୋଚନା ପରେ ବି ସରକାରୀ ବିଭାଗ ରିପୋର୍ଟ ପ୍ରସ୍ତୁତ କରିବାରେ ବିଳମ୍ବ କରୁଥିବା ଚର୍ଚ୍ଚା ହେଉଛି। ତେବେ ଆସନ୍ତା ୨୬ ତାରିଖରେ ପ୍ରତିବର୍ଷ ପରି ମୁଖ୍ୟମନ୍ତ୍ରୀ ଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ ବିପର୍ଯ୍ୟୟ ପରିଚାଳନା କମିଟି ବୈଠକ ବସିବ। ଚଳିତ ବର୍ଷ କରୋନା ମହାମାରୀ ଜାରି ରହିଥିବାରୁ ଏହି ବୈଠକ ଭିଡିଓ କନଫରେନ୍‌ସିଂ ଜରିଆରେ କରିବାକୁ ସ୍ଥିର କରାଯାଇଛି। ଏହାସହିତ ଆଗାମୀ ୧୮ ତାରିଖରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବିପର୍ଯ୍ୟୟ ପରିଚାଳନା ସଂକ୍ରାନ୍ତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଏ ସମ୍ପର୍କରେ ଆଲୋଚନା ହେବା ନେଇ ଅନୁମାନ କରାଯାଉଛି।

ସମ୍ବନ୍ଧିତ ଖବର