ଗଞ୍ଜାମରେ ଅଶାନ୍ତ ସମୁଦ୍ର କୂଳ ଖାଉଛି

ବ୍ରହ୍ମପୁର : କରୋନା ଭଳି ମହାମାରୀକୁ ମୁକାବିଲା କରୁଥିବା ବେଳ‌େ ବାତ୍ୟା ମୁକାବିଲା ପ୍ରଶାସନ ଓ ସାଧାରଣ ଜନତାଙ୍କ ପାଇଁ ଚାଲେଞ୍ଜ୍ ସୃଷ୍ଟି କରିଛି। ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ବାତ୍ୟା ଅମ୍ଫାନ୍ ଗଞ୍ଜାମ ଜିଲ୍ଲାର ବିଶେଷ ପ୍ରଭାବ ପକାଇବ ନାହିଁ ବୋଲି ଜଣାପଡ଼ିଛି। ହେଲେ ବାରମ୍ବାର ବାତ୍ୟାକୁ ସମ୍ନା କରିଥିବା ଗଞ୍ଜାମବାସୀଙ୍କ ମନରୁ ଶଙ୍କା ଦୂର ହୋଇନାହିଁ। ବର୍ଷାର ଆଶଙ୍କା ଥିବାରୁ ପ୍ରଶାସନ ସଜାଗ ରହିବା ସହ ମୁକାବିଲା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି।

ସମ୍ଭାବ୍ୟ ପରିସ୍ଥିତିକୁ ଆଖି ଆଗରେ ଛତ୍ରପୁର ଠାରେ ୨ଟି ଓଡ଼୍ରାଫ ଟିମ୍‌ , ଜିଲ୍ଲାର ପୁଲିସ ଓ ଅଗ୍ନିଶମ ବାହିନୀ ସଜାଗ ହୋଇ ରହିଛନ୍ତି। ଶୁଖିଲା ଖାଦ୍ୟ, ଗଛକଟା ମେସିନ୍‌ ଓ ଡଙ୍ଗା ଆଦି ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଜାରି ହୋଇଛି। ସ୍ବାସ୍ଥ୍ୟ ଟିମ୍ ଓ ବିଦ୍ୟୁତ୍ ବିଭାଗକୁ ମଧ୍ୟ ସଜାଗ ରଖାଯାଇଛି। ଗୋପାଳପୁର ଡପ୍‌ଲାର ରାଡ଼ାର କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ବାତ୍ୟା ପାରାଦ୍ବୀପ ଠାରୁ ୩୬୦ ଏବଂ ଗୋପାଳପୁର ୩୧୦ କିମି ଦୂରରେ ରହିଛି। ଗତ ୬ଘଣ୍ଟା ମଧ୍ୟରେ ବାତ୍ୟା ଘଣ୍ଟାପ୍ରତି ୧୮କିମି ବେଗରେ ଅତିକ୍ରମ କରୁଛି। ଗୋପାଳପୁର ବନ୍ଦରରେ ୩ ନମ୍ବର ବିପଦ ସଙ୍କେତ ରହିଛି। ବାତ୍ୟା ପ୍ରଭାବରେ ଗଞ୍ଜାମ ଜିଲ୍ଲାରେ ପ୍ରବଳ ବର୍ଷା ସାଙ୍ଗକୁ ୫୫ ରୁ ୬୦ କିମି ବେଗରେ ପବନ ବହିବା ସମ୍ଭାବନା ରହିଛି। ଆଜି ଗଞ୍ଜାମ ଜିଲ୍ଲାରେ ଦିନତମାମ୍‌ ପାଗ ମେଘୁଆ ରହିଥିଲା। ସନ୍ଧ୍ୟା ପର ଠାରୁ ଜିଲ୍ଲାର କେ‌ତେକ ଅଞ୍ଚଳରେ ଝିପି ଝିପି ବର୍ଷା ଆରମ୍ଭ ହୋଇଛି। ଅନ୍ୟପକ୍ଷରେ ଗୋପାଳପୁର ଓ ରାମେୟାପାଟଣାରେ ସମୁଦ୍ର ଅଶାନ୍ତ ହୋଇପଡ଼ିଛି। ରାମେୟାପଟଣାରେ ସମୁଦ୍ର ଗାଁକୁ ମାଡ଼ି ଆସି କୂଳ ଖାଇବା ଆରମ୍ଭ କରିଛି। ଏହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର