୪ ଜିଲ୍ଲା ଉପରେ ନଜର : ଜଗତସିଂହପୁର, କେନ୍ଦ୍ରାପଡ଼ା, ବାଲେଶ୍ବର, ଭଦ୍ରକକୁ ବିପଦ

୪ ଆଇଏଏସ୍ ଓ ୪ ଆଇପିଏସ୍‌ଙ୍କୁ ଦାୟିତ୍ବ
ଅନ୍ୟସବୁ ଉପକୂଳ ଜିଲ୍ଲାକୁ ବି ସତର୍କ କରାଗଲା
୧୨ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନେବାକୁ ଯୋଜନା

ଭୁବନେଶ୍ବର : ଆଜି ସନ୍ଧ୍ୟାରୁ ଉପକୂଳବର୍ତୀ ଅଞ୍ଚଳର କିଛି ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ଆରମ୍ଭ ହୋଇପାରେ। ହେଲେ ୧୯ ତାରିଖରେ ଖୋର୍ଧା ଓ ପୁରୀ ଜିଲ୍ଲାର ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ହେବ। ୨୦ ତାରିଖରେ ଉତ୍ତର ଓଡ଼ିଶାର ଭଦ୍ରକ, ବାଲେଶ୍ବର, ମୟୂରଭଂଜ, ଯାଜପୁର, କେନ୍ଦ୍ରାପଡ଼ା ଓ କେନ୍ଦୁଝର ଜିଲ୍ଲାରେ ସ୍ଥାନେ ସ୍ଥାନେ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନାକୁ ଏଡ଼ାଇ ଦେଇ ହେବନାହିଁ।

କେବଳ ସେତିକି ନୁହେଁ, ୧୯ ତାରିଖରେ ଉତ୍ତର ଓଡ଼ିଶା ଉପକୂଳରେ ଘଣ୍ଟା ପ୍ରତି ୫୫ରୁ ୬୫ କିଲୋମିଟର ବେଗରେ ପବନ ବହିବ।

ସ୍ଥଳବିଶେଷରେ ପବନର ତୀବ୍ରତା ଘଣ୍ଟାପ୍ରତି ୭୫ କିଲୋମିଟର ଛୁଇଁପାରେ। ହେଲେ ୨୦ ତାରିଖ ସକାଳ ସୁଦ୍ଧା ପବନର ବେଗ ଭୟଙ୍କର ଭାବେ ବୃଦ୍ଧି ପାଇବ। ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବର ଓ ମୟୂରଭଂଜ ଜିଲ୍ଲାରେ ଘଣ୍ଟା ପ୍ରତି ୭୫ରୁ ୮୫ କିଲୋମିଟର ବେଗରେ ପବନ ବହିବ। ପରବର୍ତୀ ସମୟରେ ପବନର ବେଗ ବୃଦ୍ଧି ପାଇ ଉତ୍ତର ଓଡ଼ିଶା ଉପକୂଳରେ ଘଣ୍ଟା ପ୍ରତି ୧୧୦ରୁ ୧୨୦ କିଲୋମିଟର ରହିବ। ମଝିରେ ମଝିରେ ତୀବ୍ରତା ୧୩୫ କିଲୋମିଟର ଛୁଇଁବ। ୨୦ ତାରିଖରେ ପୁରୀ, ଖୋର୍ଧା, କଟକ, ଯାଜପୁର ଜିଲ୍ଲାରେ ପବନର ବେଗ ୫୫ରୁ ୬୫ କିଲୋମିଟର ରହିବ। ମଝିରେ ମଝିରେ ୭୫ କିଲୋମିଟର ବେଗରେ ଝଟ୍‌କା ଦେଇପାରେ।

ବଙ୍ଗୋପସାଗରରେ ଅତି ବଳଶାଳୀ ହୋଇ ଆଗକୁ ବଢୁଥିବା ମହାବାତ୍ୟା ‘ଅମ୍ପାନ’କୁ ନେଇ ପାଣିପାଗ ବିଭାଗର ଏଭଳି ସତର୍କତା ପରେ ରାଜ୍ୟ ସରକାର ପ୍ରସ୍ତୁତି ଜୋରଦାର କରିଛନ୍ତି। ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାକୁ ପୂର୍ଣ୍ଣ ପ୍ରସ୍ତୁତ ରହିବାକୁ ନିର୍ଦେଶ ଦିଆଯିବା ସହିତ ମୁଖ୍ୟଶାସନ ସଚିବ ଅସିତ କୁମାର ତ୍ରିପାଠୀ, ସ୍ବତନ୍ତ୍ର ରିଲିଫ୍ କମିସନର ପ୍ରଦୀପ କୁମାର ଜେନା ପ୍ରମୁଖ ତୁହାକୁ ତୁହା ସମୀକ୍ଷା କରୁଛନ୍ତି।

ପରିସ୍ଥିତିର ମୁକାବିଲା ପାଇଁ ରାଜ୍ୟ ସରକାର ବରିଷ୍ଠ ଆଇଏଏସ୍ ଓ ଆଇପିଏସ୍ ଅଫିସରଙ୍କୁ ବେଶି ପ୍ରଭାବିତ ଏହି ୪ ଜିଲ୍ଲାକୁ ଯିବା ଲାଗି ନିର୍ଦେଶ ଦେଇଛନ୍ତି। ବରିଷ୍ଠ ପ୍ରଶାସକ ମଧୁସୂଦନ ପାଢୀ ବାଲେଶ୍ବର, କେନ୍ଦ୍ରାପଡ଼ା ହେମନ୍ତ ଶର୍ମା, ଭଦ୍ରକ ସୁଶୀଲ ଲୋହାନୀ ଓ ଜଗତସିଂହପୁର ଜିଲ୍ଲା ଦାୟିତ୍ବ ଶାଶ୍ବତ ମିଶ୍ରଙ୍କୁ ଦିଆଯାଇଛି। ସେମାନେ ସେଠାରେ ରହି ସମ୍ଭାବ୍ୟ ବାତ୍ୟା ମୁକାବିଲା କାର୍ଯ୍ୟ କରିବେ। ସେହିଭଳି ଆଇଜି ଦିପ୍ତେଶ କୁମାର ପଟ୍ଟନାୟକଙ୍କୁ ବାଲେଶ୍ବର, ଆଇଜି ଘନଶ୍ୟାମ ଉପାଧ୍ୟାୟଙ୍କୁ ଭଦ୍ରକ, ଡିଆଇଜି ଆଶିଷ ସିଂହଙ୍କୁ କେନ୍ଦ୍ରାପଡ଼ା, ଡିଆଇଜି ଜୟ ନାରାୟଣ ପଙ୍କଜଙ୍କୁ ଜଗତସିଂହପୁର ଜିଲ୍ଲା ଦାୟିତ୍ବ ଦିଆଯାଇଛି।

ସମ୍ଭାବ୍ୟ ବାତ୍ୟା ମୁକାବିଲା ନେଇ ପଞ୍ଚାୟତିରାଜ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ବୈଠକ କରିଥିଲେ। ଲୋକସେବା ଭବନରେ ହୋଇଥିବା ଏହି ବୈଠକରେ ନିରବଚ୍ଛିନ୍ନ ଜଳଯୋଗାଣ ପାଇଁ ପ୍ରତି ଜଳଯୋଗାଣ କେନ୍ଦ୍ରରେ ଜେନେରେଟର ପ୍ରସ୍ତୁତ କରି ରଖିବା ଲାଗି ସ୍ଥିର ହୋଇଛି। ମନ୍ତ୍ରୀ କହିଛନ୍ତି ଯେ ବଡ଼ ବଡ଼ ପାଣି ଟାଙ୍କିରେ ଜଳଭର୍ତ୍ତି ହୋଇ ରହିବା ଦରକାର। ସମସ୍ତ କର୍ମଚାରୀ ଉପସ୍ଥିତ ରହିବା ବାଧ୍ୟତାମୂଳକ। ବାତ୍ୟା ପ୍ରବଣ ଜିଲ୍ଲାରେ ଜଣେ ଜଣେ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଦାୟିତ୍ବରେ ରହିବେ। ଜଳବନ୍ଦୀ ସମସ୍ୟାର ମୁକାବିଲା ଲାଗି ଅଗ୍ନିଶମ ବିଭାଗ ସହ ସମନ୍ବୟ ରଖି ପଦକ୍ଷେପ ନେବାକୁ ସ୍ଥିର ହୋଇଛି।

ପ୍ରଭାବିତ ହେବାକୁ ଥିବା ବାଲେଶ୍ବର, ଭଦ୍ରକ,କେନ୍ଦ୍ରାପଡ଼ା, ଜଗତସିଂହପୁର, ମୟୂରଭଂଜ ଜିଲ୍ଲାର ୭୬୦୦ଟି ବାତ୍ୟା ଆଶ୍ରୟସ୍ଥଳ ପ୍ରସ୍ତୁତ ରହିଛି ବୋଲି ଦର୍ଶାଇ ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ୧୧ରୁ ୧୨ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନେବା ପାଇଁ ପ୍ରସ୍ତୁତି ଚାଲିଛି। ବାତ୍ୟା ପ୍ରବଣ ଜିଲ୍ଲାର ଗାଁ ଗହଳରେ େଯଭଳି ପାନୀୟଜଳ ଓ ଖାଦ୍ୟ ସମସ୍ୟାରେ ନ ପଡ଼ନ୍ତି, ସେ ନେଇ ପଞ୍ଚାୟତିରାଜ ପ୍ରତିନିଧିଙ୍କ ସହ ସମନ୍ବୟ ରକ୍ଷା କରି ପଦକ୍ଷେପ ନେବାକୁ ନିର୍ଦେଶ ଦିଆଯାଇଛି।

ପୂର୍ବରୁ ରାଜ୍ୟ ସରକାର ଉପକୂଳବର୍ତୀ ୧୨ ଜିଲ୍ଲାକୁ ସତର୍କ କରିଥିଲେ। ସେ ଅନୁସାରେ, ବିଦ୍ୟୁତ, ଟେଲିକମ୍, ମତ୍ସ୍ୟ ଓ ପଶୁପାଳନ, ଜଳସଂପଦ, କୃଷି, ଗ୍ରାମ୍ୟ ଉନ୍ନୟନ, ଯୋଗାଯୋଗ, ସ୍ବାସ୍ଥ୍ୟାବସ୍ଥା ଓ କେଉଁଠି କେତେ ବିପର୍ଯ୍ୟୟ ପରିଚାଳନା ଦଳ ନିୟୋଜିତ ହେବେ, ସେ ନେଇ ପ୍ରସ୍ତୁତି କରାଯାଇଛି।

ସମ୍ବନ୍ଧିତ ଖବର