ସୁପର ସାଇକ୍ଲୋନ୍‌ ଅମ୍ଫାନ୍‌: ଓଡ଼ିଶାର ଉତ୍ତର ଉପକୂଳ ଜିଲ୍ଲାଗୁଡ଼ିକ ସବୁଠାରୁ ଅଧିକ ପ୍ରଭାବିତ ହେବ

ଅପରାହ୍ନ ୪ଟାରେ ପ୍ରଧାନମନ୍ତ୍ରୀ ମୋଦୀ କରିବେ ସ୍ଥିତି ସମୀକ୍ଷା

ନୂଆଦିଲ୍ଲୀ/ ଭୁବନେଶ୍ୱର: କେନ୍ଦ୍ରୀୟ ଦକ୍ଷିଣ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ବାତ୍ୟା ଅମ୍ଫାନ୍‌ ଆଜି ମଧ୍ୟାହ୍ନରେ ଭୀଷଣ ଓ ଭୟଙ୍କର ସାମୁଦ୍ରିକ ବାତ୍ୟା ବା ‘ସୁପର ସାଇକ୍ଲୋନ୍‌’ରେ ପରିଣତ ହୋଇଯାଇଛି। ଏଥିସହ ବିଗିତ ୬ ଘଣ୍ଟା ଧରି ଘଣ୍ଟାକୁ ୮ କିଲୋମିଟର ବୋଗରେ ଅମ୍ଫାନ୍‌ ଏବେ ପାରାଦ୍ଵୀପ ଠାରୁ ପ୍ରାୟ ୮୬୦ କିଲୋମିଟରେ ଦୂରରେ ରହି କ୍ରମଶଃ ସ୍ଥଳଭାଗ ଆଡ଼କୁ ଅଗ୍ରସର ହେଉଛି। ଏହା କ୍ରମଶଃ ଉଗ୍ର ଓ ଭୟଙ୍କର ରୂପ ଧାରଣ କରି ବଙ୍ଗୋପସାଗର ମଧ୍ୟରେ ଆସନ୍ତା ଆସନ୍ତା ୭୨ ଘଣ୍ଟା ପର୍ଯ୍ୟନ୍ତ ସମୁଦ୍ର ମଧ୍ୟରେ ଗତିକରିବା ସହ ଅଧିକରୁ ଅଧିକ ଭୟଙ୍କର ହେବ। ବଙ୍ଗୋପସାଗର ମଧ୍ୟରେ ଏହା ବର୍ତ୍ତମାନ ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଘଣ୍ଟାପ୍ରତି ୮ କିଲୋମିଟର ବେଗରେ ଗତି କରୁଛି। ତେବେ, ସୁପର ସାଇକ୍ଲୋନ୍‌ରେ ପରିଣତ ହେବାପରେ ଅମ୍ଫାନର ଗତି ଆଉ ଥରେ ଧୀର ମନ୍ଥର ହୋଇ ଯାଇଛି। ବାତ୍ୟାର କେନ୍ଦ୍ରସ୍ଥଳୀରେ ପବନର ବେଗ ଏବେ ୨୩୦ କିଲୋମିଟର ଘଣ୍ଟା ପ୍ରତି ରହିଛି। ପବନ ଦମକାର ବେଗ ମଝିରେ ମଝିରେ ୨୬୦ କିଲୋମିଟର ରହୁଛି। ସମୁଦ୍ର ମଧ୍ୟରେ ଏହା ଆହୁରି ଉଗ୍ର ଓ ଭୟଙ୍କର ରୂପ ନେବ ବୋଲି ଆଶଙ୍କା କରୁଛି ଭାରତୀୟ ପାଣିପାଗ ବିଭାଗର ସାଇକ୍ଲୋନ୍‌ ଓ୍ଵାର୍ଣ୍ଣିଂ ସେଣ୍ଟର।

ଅମ୍ଫାନ ବର୍ତ୍ତମାନ ସୁଦ୍ଧା ପଶ୍ଚିମବଙ୍ଗର ଦୀଘା ଓ ବାଂଲାଦେଶର ସାଗର ଉପକୂଳ ଉପର ଦେଇ ସ୍ଥଳପଥ ଅତିକ୍ରମ କରିବାର ସମ୍ଭାବନା ରହିଛି। ତେବେ, ୧୯-୨୦ ତାରିଖରେ ଅମ୍ଫାନ୍‌ ଯେତେବେଳେ ଓଡ଼ିଶା ଉପକୂଳ ଦେଇ ପଶ୍ଚିମବଙ୍ଗ ଓ ବାଂଲାଦେଶ ଅଭିମୁଖେ ଗତି କରିବ ସେତେବେଳେ ରାଜ୍ୟର ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ବାଲେଶ୍ୱର, ଭଦ୍ରକ ଓ ମୟୂରଭଂଜ ଜିଲ୍ଲାରେରେ ଗଭୀର ପ୍ରଭାବ ପକାଇବ ବୋଲି ଆଶଙ୍କା ସୃଷ୍ଟି ହୋଇଛି। କାରଣ ଅମ୍ଫାନର ବାହ୍ୟ ବଳୟ ଏହି ସବୁ ଜିଲ୍ଲା ଉପର ଦେଇ ଗତି କରିବ।

ପାଣିପାଗ ବିଭାଗର ପୂର୍ବାନୁମାନ କରିଛି ଯେ ରାଜ୍ୟର ଏହିସବୁ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସହ ପବନର ବେଗ ଘଣ୍ଟାପ୍ରତି ୧୨୦ରୁ ୧୪୦ କିଲୋମିଟର ପର୍ଯ୍ୟନ୍ତ ରହିବ, ଏବଂ ମଝିରେ ମଝିରେ ୧୫୦ କିଲୋମିଟର ବେଗରେ ଆସି ଝଟକା ଦେବ। ଏତଦବ୍ୟତୀତ ପୂର୍ବ ଉପକୂଳର ପୁରୀ, ଖୋର୍ଧା, କଟକ, ଯାଜପୁରରେ ପବନର ବେଗ ଘଣ୍ଟାପ୍ରତି ୭୫ କିଲୋମିଟର ପର୍ଯ୍ୟନ୍ତ ରହିବ। ଅମ୍ଫାନ ୨୦ ତାରିଖ ଅପରାହ୍ନରୁ ସନ୍ଧ୍ୟା ମଧ୍ୟରେ ସ୍ଥଳଭାଗକୁ ଛୁଇଁବା ବେଳକୁ ପବନର ବେଗ ଘଣ୍ଟାପ୍ରତି ୧୮୦ କିଲୋମିଟର ରହିଥିବ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସନ୍ଧ୍ୟାରେ ଅମ୍ଫାନର ସ୍ଥିତି ସଂପର୍କରେ ସମୀକ୍ଷା କରିବା ପାଇଁ ଏକ ଉଚ୍ଚସ୍ତରୀୟ ବୈଠକ ଡାକିଥିବା ଜାଣିବାକୁ ମିଳିଛି।

ସମ୍ବନ୍ଧିତ ଖବର