ଉତ୍ତର ଓଡ଼ିଶାରେ ଅମ୍ଫାନ ମୁକାବିଲା ପ୍ରସ୍ତୁତି : ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ, ଲକ୍ଷେ ଉଠିବେ

ବାଲେଶ୍ବର/ଭଦ୍ରକ/ମୟୂରଭଞ୍ଜ : ଉତ୍ତର ଓଡ଼ିଶାର ୩ଟି ଜିଲ୍ଲା ଉପରେ ଅମ୍ଫାନର ବଡ଼ ପ୍ରଭାବ ରହିବ। ସେଥିପାଇଁ ସମସ୍ତ ଜିଲ୍ଲା ପ୍ରଶାସନ ପୂରା ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୁତି ଚଲାଇଛନ୍ତି। ସମ୍ବେଦନଶୀଳ ସ୍ଥାନଗୁଡ଼ିକରୁ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହୋଇସାରିଛି।

ବାଲେଶ୍ବର ଜିଲ୍ଲାରେ ସ୍ବତନ୍ତ୍ର ସଚିବ ମଧୁସୂଦନ ପାଢ଼ୀଙ୍କ ସମେତ ଜିଲ୍ଲାପାଳ, ଉପଜିଲ୍ଲାପାଳ ଓ ଅନ୍ୟ ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ସମସ୍ତ ସମ୍ବେଦନଶୀଳ ଅଞ୍ଚଳ ପରିଦର୍ଶନ କରିଛନ୍ତି। ଗତକାଲିଠାରୁ ସମୁଦ୍ରକୂଳ ଏବଂ ତଟବର୍ତ୍ତୀ ଅଞ୍ଚଳରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ ହୋଇଯାଇଛି। ୧୦୩ ପଞ୍ଚାୟତରୁ ପାଖାପାଖି ୮୮୯୧ ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଛି। ପ୍ରାୟ ୮୦ ହଜାର ଲୋକଙ୍କୁ ସ୍ଥାନାନ୍ତର ପାଇଁ ଲକ୍ଷ୍ୟ ରଖାଯାଇଛି। ପର୍ଯ୍ୟାପ୍ତ ପରିମାଣରେ ଖାଦ୍ୟ ସାମଗ୍ରୀ ମହଜୁଦ ରହିଛି ବୋଲି ଜିଲ୍ଲା ପ୍ରଶାସନ ସୂଚନା ଦେଇଛି। ବିପର୍ଯ୍ୟୟ ମୁକାବିଲା ପାଇଁ ଏନଡିଆରଏଫ୍, ଓଡ୍ରାଫ୍ ଓ ଅଗ୍ନିଶମ ବିଭାଗର ଜବାନମାନେ ପ୍ରସ୍ତୁତ ହୋଇରହିଛନ୍ତି। ଏନଡିଆରଏଫର ୪ଟି, ଓଡ୍ରାଫର ୬ଟି ଓ ଅଗ୍ନିଶମ ବିଭାଗର ୮ଟି ଟିମ୍ ବିଭିନ୍ନ ସମ୍ବେଦନଶୀଳ ସ୍ଥାନରେ ମୁତୟନ ହୋଇଛନ୍ତି। ଘରୁ ନ ବାହାରିବା ପାଇଁ ପ୍ରଶାସନ ପକ୍ଷରୁ ମାଇକରେ ପ୍ରଚାର କରାଯାଇଛି। ମତ୍ସ୍ୟଜୀବୀମାନେ ଗଭୀର ସମୁଦ୍ରରୁ ଘରକୁ ଫେରିଆସିବା ସହ ବୋଟଗୁଡ଼ିକୁ ସୁରକ୍ଷିତ ଭାବେ ରଖିଥିବା ସୂଚନା ମିଳିଛି। ଅମ୍ପାନ ମୁକାବିଲା ପାଇଁ ଭଦ୍ରକ ପ୍ରଶାସନ ପୂରା ଜୋର ଲଗେଇଦେଇଛି। ପୂର୍ବାନୁନମାନ ଅନୁସାରେ ବାସୁଦେବପୁର, ଚାନ୍ଦବାଲି ଓ ଧାମରା ଉପରେ ବାତ୍ୟାର ଅଧିକ ପ୍ରଭାବ ରହିବ। ଧାମରା ଅଞ୍ଚଳର ୮ଟି ପଞ୍ଚାୟତ ସମେତ ବାସୁଦେବପୁର ଓ ଚାନ୍ଦବାଲି ଦୁଇ ବ୍ଲକର ୭୨ଟି ପଞ୍ଚାୟତ ଅନ୍ତର୍ଗତ ୯୧ଟି ଗାଁ ଉପରେ ପ୍ରଶାସନର ନଜର ରହିଛି। ଏହି ସବୁ ଗ୍ରାମର ତଳିଆ ଅଞ୍ଚଳରୁ ୧୫ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇ ବାତ୍ୟା ଆଶ୍ରୟସ୍ଥଳକୁ ଅଣାଯିବା ସହ ଚିହ୍ନଟ ହୋଇଥିବା ୬୩୦ ଟି ସ୍କୁଲକୁ ନେବା ପାଇଁ ଯୋଜନା ପ୍ରସ୍ତୁତ ହୋଇଛି। ଆଜି ଅପରାହ୍ନ ସୁଦ୍ଧା ଏଇ ସବୁ ଅଞ୍ଚଳରୁ ୪ ହଜାରରୁ ଉର୍ଦ୍ଧ୍ବ ଲୋକଙ୍କୁ ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଇଛି। ୩ଟି ଏନଡିଆରଏଫ୍ ଟିମ୍ ଓ ୨ ଟି ଓଡ୍ରାଫ୍ ଟିମକୁ ଭଦ୍ରକ ପଠାଇଛନ୍ତି। ଯେ କୌଣସି ଜରୁରୀ ପରିସ୍ଥିତିର ମୁକାବିଲା ପାଇଁ ପ୍ରଶାସନ ସହ ସମସ୍ତ ଲାଇନ୍ ବିଭାଗ ପ୍ରସ୍ତୁତ ହୋଇ ରହିଥିବା ଜିଲ୍ଲାପାଳ ଜ୍ଞାନରଞ୍ଜନ ଦାସ ସୂଚନା ଦେଇଛନ୍ତି। ଭଦ୍ରକ ଜିଲ୍ଲା ବାତ୍ୟା ମୁକାବିଲା ଦାୟିତ୍ବରେ ଥିବା ବରିଷ୍ଠ ପ୍ରଶାସନିକ ଅଧିକାରୀ ସୁଶୀଲ ଲୋହାନୀ ଓ ରାଜ୍ୟ ପୁଲିସର ବରିଷ୍ଠ ଅଧିକାରୀ ଘନଶ୍ୟାମ ଉପାଧ୍ୟାୟ ଆଜି ଭଦ୍ରକରେ ପହଞ୍ଚି ବାତ୍ୟା ମୁକାବିଲା ନେଇ ଭଦ୍ରକ ଏସପି ଓ ଜିଲ୍ଲାର ଅନ୍ୟ ବରିଷ୍ଠ ପୁଲିସ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ସେପ‌ଟେ ମୟୂରଭଞ୍ଜ ଜିଲ୍ଲାରେ ଆଜି ସନ୍ଧ୍ୟା ସୁଦ୍ଧା ୧୨ଶହ ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଆସନ୍ତାକାଲି ସ୍ଥିତିକୁ ଦେଖି ପରବର୍ତ୍ତୀ ପଦକ୍ଷେପ ନିଆଯିବ। ଆଜିଠାରୁ ଜିଲ୍ଲାର ବେତନଟୀ, ବଡ଼ସାହି, ରାସଗୋବିନ୍ଦପୁର, ଶ୍ୟାମାଖୁଣ୍ଟା, ସାରସକଣା, କପ୍ତିପଦା, ମୋରଡ଼ା ଆଦି ବ୍ଲକ୍‌ରୁ ଲୋକମାନଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଛି। ବୋଲି ଜିଲ୍ଲା ଜରୁରୀକାଳୀନ ଅଧିକାରୀ ସୁଜୟ କୁମାର ପତି ସୂଚନା ଦେଇଛନ୍ତି।

ଏଥିନିମନ୍ତେ ଜିଲ୍ଲାରେ ଥିବା ବାତ୍ୟା ଆଶ୍ରୟସ୍ଥଳୀ, ସ୍କୁଲ୍‌ ଘର, ବିଭିନ୍ନ ସରକାରୀ ଘରକୁ ପ୍ରସ୍ତୁତ କରି ରଖାଯାଇଛି। ସ୍ଥାନାନ୍ତର ହୋଇଥିବା ଲୋକମାନଙ୍କୁ ଶୁଖିଲା ଖାଦ୍ୟ ଏବଂ ରନ୍ଧା ଖାଦ୍ୟ ଆଦି ଯୋଗାଇଦେବାକୁ ସଂପୃକ୍ତ ବ୍ଲକ୍‌ର ବିଡିଓ କିମ୍ବା ମୁନିସିପାଲିଟି ଅଧିକାରୀଙ୍କୁ କୁହାଯାଇଛି। ଜିଲ୍ଲାରେ ଆଜିସୁଦ୍ଧା ପ୍ରାୟ ୩୦୦ କୁଇଣ୍ଟାଲ୍‌ ଚୁଡ଼ା ଏବଂ ୧୫୦ କୁଇଣ୍ଟାଲ୍‌ ଗୁଡ଼ ମହଜୁଦ ଅଛି। ବ୍ଲକ୍‌ ଗୁଡ଼ିକର ଆବଶ୍ୟକତା ଅନୁଯାୟୀ ଏହା ଯୋଗାଇଦିଆଯିବବୋଲି ‌ଜିଲ୍ଲା ଯୋଗାଣ ଅଧିକାରୀ କିଶୋର ମହାରଣା ସୂଚନା ଦେଇଛନ୍ତି।

ଅନ୍ୟପକ୍ଷରେ, ରବି ଫସଲ ସମ୍ପୂର୍ଣ୍ଣ ଭାବେ ଅମଳ ହୋଇ ନ ଥିବାରୁ ଚାଷୀଙ୍କ ଚିନ୍ତା ବଢ଼ିଛି। ତେବେ କଟାଯାଇଥିବା ଶସ୍ୟକୁ ନିରାପଦସ୍ଥାନକୁ ଉଠାଇନେବା ପାଇଁ କୃଷି ବିଭାଗ ପରାମର୍ଶ ଦେଇଛି। ପ୍ରବଳ ବର୍ଷା ହେବ, ତେଣୁ ବିଲରେ ହିଡ଼ କାଟିଦେବାକୁ ମଧ୍ୟ ପରାମର୍ଶ ଦିଆଯାଇଛି। ଏହା ସହ ୩ଟି ଜିଲ୍ଲାରେ ୨୪ ଘଣ୍ଟିଆ କଣ୍ଟ୍ରୋଲ୍ ରୁମ କାମ କରିବା ଆରମ୍ଭ କରିଛି। ବିଶେଷ କରି ଉପକୂଳ ଅଞ୍ଚଳର ଲୋକେ ଭୟଭୀତ ହୋଇଛନ୍ତି। ତେବେ ଭୟଭୀତ ନ ହେବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି। ଏହା ସହ ବାତ୍ୟ ପରବର୍ତ୍ତୀ ସ୍ଥିତିର ମୁକାବିଲା ପାଇଁ ମଧ୍ୟ ପ୍ରଶାସନ ପ୍ରସ୍ତୁତ ହୋଇ ରହିଛି। ବାତ୍ୟା ଯୋଗୁ ଗଛ ଓ ବିଦ୍ୟୁତ୍ ଖୁଣ୍ଟି ଭାଙ୍ଗିଲେ ତୁରନ୍ତ ସଫା କରିବାକୁ ମଧ୍ୟ ପ୍ରସ୍ତୁତି କରାଯାଇଛି।

ସମ୍ବନ୍ଧିତ ଖବର