ଅମ୍ଫାନ୍‌ କ୍ଷୟକ୍ଷତି ନେଇ କେନ୍ଦ୍ରୀୟ ଟିମ୍‌ ସହ ସରକାରଙ୍କ ଆଲୋଚନା : ବାତ୍ୟା ନିରୋଧୀ ଭିତ୍ତିଭୂମି ପାଇଁ ୨୦ ହଜାର କୋଟିର ଆକଳନ

ରିଲିଫ୍‌ ଓ ପୁନରୁଦ୍ଧାର ପାଇଁ ମାଗିଲେ ୨୦୦ କୋଟି
ବାତ୍ୟା ପ୍ରସ୍ତୁତି ନେଇ ରାଜ୍ୟସରକାରଙ୍କୁ କେନ୍ଦ୍ରୀୟ ଟିମ୍‌ର ପ୍ରଶଂସା
ଆସନ୍ତା ୧ ସପ୍ତାହ ଭିତରେ ଚୂଡ଼ାନ୍ତ କ୍ଷୟକ୍ଷତି ରିପୋର୍ଟ

ଭୁବନେଶ୍ବର : ଅମ୍ଫାନ୍‌ ବାତ୍ୟା ପ୍ରଭାବରେ କ୍ଷତିଗ୍ରସ୍ତ ହୋଇଥିବା ବାଲେଶ୍ବର, କେନ୍ଦ୍ରାପଡ଼ା, ଭଦ୍ରକ ଓ ଜଗତିସିଂହପୁର ଜିଲ୍ଲାରେ ପୁନର୍ନିମାଣ ପାଇଁ ୨୦ ହଜାର କୋଟି ଟଙ୍କା ଲାଗିବ ବୋଲି ସରକାର ପ୍ରାଥମିକ ଆକଳନ କରିଛନ୍ତି। ତେବେ ଆସନ୍ତା ୧ ସପ୍ତାହ ଭିତରେ କେନ୍ଦ୍ରକୁ ଚୂଡ଼ାନ୍ତ କ୍ଷୟକ୍ଷତି ରିପୋର୍ଟ ରାଜ୍ୟ ସରକାର ପ୍ରଦାନ କରିବେ। କ୍ଷୟକ୍ଷତି ଆକଳନ କରିବାକୁ ଆସିଥିବା କେନ୍ଦ୍ରୀୟ ଟିମ୍‌ର ୪ଟି କ୍ଷତିଗ୍ରସ୍ତ ଜିଲ୍ଲା ବୁଲି ଦେଖିବା ପରେ ଆଜି ସନ୍ଧ୍ୟାରେ ଲୋକସେବା ଭବନରେ ରାଜ୍ୟ ସରକାରଙ୍କ ସହ ଆଲୋଚନା କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଆଲୋଚନା ସମୟରେ କେନ୍ଦ୍ରୀୟ ଟିମ୍‌କୁ ତୁରନ୍ତ ରିଲିଫ୍‌ ପୁନରୁଦ୍ଧାର ସହାୟତା ବାବଦରେ ୨୦୦ କୋଟି ଟଙ୍କା ଦେବାକୁ କେନ୍ଦ୍ରୀୟ ଟିମ୍‌କୁ ଅନୁରୋଧ କରାଯାଇଛି।

ମୁଖ୍ୟ ଶାସନ ସଚିବ ଅସିତ୍‌ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆଲୋଚନା ବୈଠକରେ ସ୍ବତନ୍ତ୍ର ରିଲିଫ୍‌ କମିସନର ପ୍ରଦୀପ କୁମାର ଜେନା କହିଥିଲେ, ଅମ୍ଫାନ ବାତ୍ୟା ଯୋଗୁଁ ୪ଟି ଜିଲ୍ଲାରେ ବ୍ୟାପକ ମାତ୍ରାରେ ବିଦ୍ୟୁତ ଭିତ୍ତିଭୂମି, ୧ ଲକ୍ଷ ୬୬ ହଜାର କଚ୍ଚାଘର ନଷ୍ଟ ହୋଇଛି। ଭବିଷ୍ୟତରେ ଏପରି ବିପର୍ଯ୍ୟୟର ମୁକାବିଲା ପାଇଁ ବାତ୍ୟା ନିରୋଧୀ ବାସଗୃହ ନିର୍ମାଣ କରାଯିବା ସହିତ ସହରାଞ୍ଚଳରେ ଭୂତଳ କେବୁଲ୍‌, ବାତ୍ୟା ନିରୋଧୀ ବିଦ୍ୟୁତ୍‌ ସରବରାହ ବ୍ୟବସ୍ଥା, ଜିଆଇଏସ୍‌ ଦ୍ବାରା ନିୟନ୍ତ୍ରିତ ରିମୋଟ କଣ୍ଟ୍ରୋଲ୍‌ ଗ୍ରିଡ୍‌ ଓ ଲୁଣାବନ୍ଧର ଉଚ୍ଚତା ସାଢ଼େ ୬ ମିଟର କରିବାକୁ ସରକାର ପ୍ରସ୍ତାବ ରଖିଛନ୍ତି। ବାତ୍ୟା ପରବର୍ତ୍ତୀ ୨୪ରୁ ୭୨ ଘଣ୍ଟା ଭିତରେ ରାଜ୍ୟ ସରକାର ପୁନରୁଦ୍ଧାର କାର୍ଯ୍ୟ ଯେପରି ତ୍ବରିତ୍‌ ଢଙ୍ଗରେ କରିଛନ୍ତି ତାକୁ କେନ୍ଦ୍ରୀୟ ଟିମ୍‌ ପ୍ରଶଂସା କରିଥିଲେ। ମୁଖ୍ୟ ଶାସନ ସଚିବ ଶ୍ରୀ ତ୍ରିପାଠୀ କହିଥିଲେ, ଭୌଗଳିକ କାରଣ ଓ ଜଳବାୟୁ ପରିବର୍ତ୍ତନ ଯୋଗୁଁ ପ୍ରାୟ ପ୍ରତିବର୍ଷ ଗ୍ରୀଷ୍ମ, ମୌସୁମୀ ଋତୁରେ ବାତ୍ୟା ଆସୁଛି। ବାତ୍ୟା ବିପର୍ଯ୍ୟୟ ପରେ ସରକାରଙ୍କୁ ପୁନରୁଦ୍ଧାର ବାବଦରେ ବହୁ ଅର୍ଥ ଖର୍ଚ୍ଚ କରିବାକୁ ପଡ଼ୁଛି। ଏଥିପାଇଁ ସ୍ଥାୟୀ ବ୍ୟବସ୍ଥା କରାଯିବାର ଆବଶ୍ୟକତା ରହିଛି।

କେନ୍ଦ୍ରୀୟ ଗୃହ ମନ୍ତ୍ରଣାଳୟର ଯୁଗ୍ଣ ଶାସନ ସଚିବ ଶ୍ରୀପ୍ରକାଶଙ୍କ ନେତୃତ୍ବରେ ଗତ ୩ ତାରିଖରୁ ଆସିଥିବା ୭ ଜଣିଆ ପ୍ରତିନିଧିମଣ୍ଡଳୀ ଦୁଇଦିନ କାଳ କ୍ଷତିଗ୍ରସ୍ତ ଜିଲ୍ଲା ବୁଲି ଦେଖିବା ପରେ ଦିଲ୍ଲୀ ଫେରିବା ପୂର୍ବରୁ ସରକାରଙ୍କ ସହ ବିସ୍ତୃତ ଆଲୋଚନା କରିଥିଲେ। ଏହି ଟିମ୍‌ରେ ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ର କୃଷି ବିଭାଗ ସହକାରୀ କମିସନର (ବିହନ) ଡ. ସୋମନାଥ ଆଗାଶିମଣି, କେନ୍ଦ୍ର ମତ୍ସ୍ୟ ବିଭାଗ ସହକାରୀ କମିସନର ଏସ୍‌.କେ.ରଥ, କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟର ଯୁଗ୍ଣ ନିର୍ଦ୍ଦେଶକ ସୁରଜ କୁମାର ପ୍ରଧାନ, ଜଳଶକ୍ତି ମନ୍ତ୍ରଣାଳୟ ସୁପରିନ୍‌ଟେଣ୍ଡିଂ ଇଞ୍ଜିନିୟର ଅମରିଶ୍‌ ପାଲ୍‌ ସିଂହ, ଶକ୍ତି ମନ୍ତ୍ରଣାଳୟ ନିର୍ଦ୍ଦେଶକ ଏନ୍‌.ଆର୍‌.ଏଲ୍‌.କେ ପ୍ରସାଦ, ଭୁବନେଶ୍ବରସ୍ଥିତ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ଆଞ୍ଚଳିକ ଅଧିକାରୀ ବି.ଏନ୍‌ ସହାୟ ସାମିଲ ଥିଲେ। ଏହି ଟିମ୍‌ ଗତକାଲି ଦୁଇଟି ଦଳରେ ଭାଗ ହୋଇ ପ୍ରଥମେ ବାଲେଶ୍ବର ଓ କେନ୍ଦ୍ରାପଡ଼ା ଜିଲ୍ଲାରେ କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି ଦେଖିଥିଲେ। କେନ୍ଦ୍ରୀୟ ଟିମ୍‌ର ଦୁଇଟି ଯାକ ଦଳ ଆଜି ଭଦ୍ରକ ଓ ଜଗତସିଂହପୁର ଜିଲ୍ଲା ବୁଲି କ୍ଷୟକ୍ଷତି ରିପୋର୍ଟ ସଂଗ୍ରହ କରିଥିଲେ। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଉନ୍ନୟନ କମିସନର ସୁରେଶ ଚନ୍ଦ୍ର ମହାପାତ୍ର ଓ ଅନ୍ୟବିଭାଗର ପ୍ରମୁଖ ଶାସନ ସଚିବ ଓ ଶାସନ ସଚିବମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର