ପୁରୀ : ସିଧା ନହେଲେ ବି ଅବଢ଼ା ଉପରେ ବାଜିଛି ଫନିର ମାଡ଼। ଆଗକୁ ଶ୍ରୀମନ୍ଦିରରେ ଅବଢ଼ା ପାଇଁ କୁଡ଼ୁଆ ସଂକଟ ଜଳ ଜଳ ହୋଇ ଦିଶୁଛି। ଯେତିକି ମହଜୁଦ୍ ଅଛି ମାସେ ପର୍ଯ୍ୟନ୍ତ ସ୍ଥିତି ସମ୍ଭାଳି ହେବ, ରଥଯାତ୍ରା ବେଳକୁ କୁଡ଼ୁଆ ଅଭାବ ମହାପ୍ରସାଦ ଦର ଉପରେ ଭାରି ପଡ଼ିବ। କାର୍ତ୍ତିକ ମାସ ବେଳକୁ ସ୍ଥିତି ସାଂଘାତିକ ହେବ ବୋଲି ଏବେଠୁ ଚେତାବନୀ ଦେଲେଣି ସୁଆରମାନେ। ପୁରୀ ଜିଲ୍ଲା ବାହାରୁ କୁଡ଼ୁଆ ଆଣିବାକୁ ପଡ଼ିପାରେ ବୋଲି ସେମାନେ କହିଲେଣି। ଶ୍ରୀମନ୍ଦିରରେ ଅବଢ଼ା ପ୍ରସ୍ତୁତି ଓ ବିକ୍ରି ପାଇଁ ବଡ଼ଠୁ ଛୋଟ ପର୍ଯ୍ୟନ୍ତ ଦୈନିକ ୧୨ ହଜାରରୁ ଅଧିକ କୁଡ଼ୁଆ ଦରକାର ପଡ଼ୁଛି। ପର୍ବପର୍ବାଣୀରେ ଏହି ସଂଖ୍ୟା ୧୫୦୦୦ ବା ତାଠୁ ଅଧିକ। ଏହି ସବୁ କୁଡ଼ୁଆ କୁମ୍ଭାରପଡ଼ା, ଛଇତନା, ବ୍ରହ୍ମଗିରି, ସାକ୍ଷୀଗୋପାଳ ଭଳି ଅଞ୍ଚଳରୁ ଆସୁଛି। ସୁଆର ନିଯୋଗ କୁମ୍ଭକାରମାନଙ୍କଠାରୁ କୁଡ଼ୁଆ କିଣି ମହଜୁଦ୍ ରଖୁଛି। ଏହା ପରେ ସେହି କୁଡ଼ୁଆକୁ ସୁଆରମାନଙ୍କୁ ଦେଉଛି। ଆନୁମାନିକ ହିସାବ ଅନୁଯାୟୀ, ଭୋଗ ରାନ୍ଧିବା ପାଇଁ ପ୍ରତିଦିନ ୫ ଶହରୁ ୫୫୦ ପର୍ଯ୍ୟନ୍ତ ବାଇ ହାଣ୍ଡି ଆବଶ୍ୟକ ହୋଇଥାଏ। ସେହିପରି ସମାଧି ହାଣ୍ଡି ୭ ଶହରୁ ୭୫୦, ଦାସିଆ ୮୦୦ରୁ ୯୦୦, ବଡ଼ମଠ ୯୦୦ରୁ ୧ ହଜାର ଏବଂ ସାନମଠ, ନମ୍ବରୀ ଓଳିକୁ ମିଶାଇଲେ ଦୈନିକ ଅବଢ଼ା ପାଇଁ ୬ରୁ ୭ ହଜାର ଆବଶ୍ୟକ। ପର୍ବପର୍ବାଣୀରେ ଏହା ୫୦% ବଢ଼ିଯାଏ।
ଦୈନିକ ଏତେ ସଂଖ୍ୟକ କୁଡ଼ୁଆ ଆବଶ୍ୟକ ହେଉଥିବାରୁ ନିଯୋଗ ପ୍ରାୟ ୧ରୁ ୨ ମାସ ପର୍ଯ୍ୟନ୍ତ ଆବଶ୍ୟକ କୁଡ଼ୁଆ ମହଜୁଦ୍ ରଖିଥାଏ। ଏବେ ଯେତିକି କୁଡ଼ୁଆ ରହିଛି ତାହା ଆହୁରି ପ୍ରାୟ ୧ ମାସ ଚାଲିଯିବ। ମାତ୍ର ଏହା ପରେ ହେବ ସାଂଘାତିକ ଅଭାବ।
‘ଫନି’ ମାଡ଼ରେ ସମସ୍ତ କୁମ୍ଭକାରମାନଙ୍କର ଚକ, ଶାଳ ଓ ଭାଟି ସବୁ ନାରଖାର ହୋଇଯାଇଛି। ଏହାକୁ ସଜାଡ଼ିବା ପାଇଁ ସମୟ ଯେତିକି ଆବଶ୍ୟକ, ତାହାଠୁ ବଡ଼ ଆବଶ୍ୟକତା ହେଉଛି ଅର୍ଥ। ଅନେକ କୁମ୍ଭକାର ହାଣ୍ଡି ବିକିଲେ ପରିବାର ଚଳାନ୍ତି। ତେଣୁ ସେମାନେ ଭାଟି ସଜାଡ଼ିବାକୁ ସକ୍ଷମ ନୁହନ୍ତି। ତେଣୁ ଚିନ୍ତାରେ ପଡ଼ିଛନ୍ତି। ଏହାବ୍ୟତୀତ ବର୍ଷା ପୂର୍ବରୁ ଶାଳ ପ୍ରସ୍ତୁତ ହୋଇ ମାଟି ନଆସିଲେ, କୁଡ଼ୁଆ ଗଢ଼ିବା ଓପୋଡ଼ିବା କାଠିକାର ବ୍ୟାପାର ହୋଇଯିବ। ଏଭଳି ସ୍ଥିତିରେ କୁଡ଼ୁଆ ବଡ଼ ଦେଉଳକୁ ଯୋଗାଇବା ସମ୍ଭବ ହେବନାହିଁ ବୋଲି କୁରାଳ ମହାସଂଘର ସରୋଜ ମେହେର କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/05/kudua.jpg)