ଭୁବନେଶ୍ବର : ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଏବଂ ଉତ୍ତର ଆଣ୍ଡାମାନ ସମୁଦ୍ରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଏବେ ଲଘୁଚାପରେ ପରିଣତ ହୋଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ଡିପ୍ରେସନ୍‌ରେ ପରିଣତ ହୋଇ ଉତ୍ତର ପଶ୍ଚିମ ଦିଗ‌େର ଗତି କରିବ। ୭୨ ଘଣ୍ଟା ମଧ୍ୟରେ ଓଡ଼ିଶା ଉପକୂଳ ଛୁଇଁବ ବୋଲି ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ।

Advertisment

ଏହାର ପ୍ରଭାବରେ ଉତ୍ତର ଆଣ୍ଡାମାନ ସମୁଦ୍ର, ଦକ୍ଷିଣପୂର୍ବ ବଙ୍ଗୋପସାଗର ଓ ଆଣ୍ଡାମାନରେ ଘଣ୍ଟାପ୍ରତି ୪୦ରୁ ୫୦ କିମି ବେଗରେ ପବନ ବୋହିବ। ବେଳେବେଳେ ୬୦ କିମି ଛୁଇଁବାର ଆଶଙ୍କା ରହିଛି। ଅକ୍ଟୋବର ୮ରୁ ୧୦ ମଧ୍ୟରେ କେନ୍ଦ୍ରୀୟ ଓ ଏହା ସଲଗ୍ନ ଉତ୍ତର ବ‌େଙ୍ଗାପ ସାଗରରେ ୬୫ କିମି ବେଗରେ ପବନ ହୋଇପାରେ। ଏହି ସମୟରେ ସମୁଦ୍ର ଅଶାନ୍ତ ରହିବ। ୧୦ ତାରିଖଠାରୁ ଓଡ଼ିଶାରେ ବର୍ଷା ପରିମାଣ ବଢ଼ିବ। ଲଘୁଚାପ ଯୋଗୁଁ ଓଡ଼ିଶା ଉପକୂଳ ସମୁଦ୍ର ଅଶାନ୍ତ ‌ରହିବ। ତାହାକୁ ଦୃଷ୍ଟିରେ ରଖି ମତ୍ସ୍ୟଜୀବୀମାନଙ୍କ ପାଇଁ ସତର୍କ ସୂଚନା ଜାରି କରାଯାଇଛି। ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ମତ୍ସ୍ୟଜୀବୀମାନେ ଦକ୍ଷିଣ ପୂର୍ବ ଓ ପୂର୍ବ କେନ୍ଦ୍ରୀୟ ବଙ୍ଗୋପ ସାଗରକୁ ନ ଯିବାକୁ ପରାମର୍ଶ ଦିଆଯାଇଛି। ଯେଉଁମାନେ ଗଭୀର ସମୁଦ୍ରକୁ ଯାଇଛନ୍ତି ସେମାନେ ୮ ତାରିଖ ରାତି ସୁଦ୍ଧା ଉପକୂଳକୁ ଫେରି ଆସିବାକୁ ପରାମର୍ଶ ଦେଇଛି ଭୁବନେଶ୍ବରସ୍ଥିତ ଆଞ୍ଚଳିିକ ପାଣିପାଗ କେନ୍ଦ୍ର।

ଅନ୍ୟପକ୍ଷରେ ଆରବ ସାଗରରେ ସୃଷ୍ଟି ହୋଇଥିବା ଡିପ୍‌ ଡିପ୍ରେସନ୍‌ ଓ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବ ୧୩ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଉପରେ ପଡ଼ିବ। ତାହାକୁ ଦୃଷ୍ଟିରେ ରଖି ଆଜି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଓଡ଼ିଶା ସମେତ ତାମିଲନାଡ଼ୁ, କେରଳ, କର୍ଣ୍ଣାଟକ, ଗୋଆ, ମହାରାଷ୍ଟ୍ର, ଗୁଜୁରାଟ, ଆନ୍ଦ୍ର ପ୍ରଦେଶ, ପଶ୍ଚିମବଙ୍ଗ, ଆଣ୍ଡାମାନ ଓ ନିକୋବର ଦୀପପୁଞ୍ଜ, ଲାକ୍ଷାଦ୍ବୀପ, ଡାମନ୍‌ ଓ ଡିଉ ଏବଂ ଦାଦ୍ରା ନଗର ହାବେଳିର ମୁଖ୍ୟ ଶାସନ ସଚିବ ଓ ରିଲିଫ୍‌ କମିସନରଙ୍କ ନିକଟକୁ ଚିଠି ଲେଖା‌ଯାଇ ଏଥିପ୍ରତି ନଜର ରଖିବାକୁ କୁହାଯାଇଛି। ଆରବ ସାଗରରେ ସୃଷ୍ଟି ହୋଇଥିବା ଡିପ୍‌ ଡି‌େପ୍ରସନ୍‌ ଏବେ ଘଣ୍ଟା ପ୍ରତି ୧୪ କିମି ବେଗରେ ପଶ୍ଚିମ ଆଡ଼କୁ ଅଗ୍ରସର ହେଉଛି। ଏବେ ଏହା ଲାକ୍ଷାଦ୍ବୀପଠାରୁ ୯୮୦ କିମି ଦୂରରେ କେନ୍ଦ୍ରୀଭୂତ ହୋଇଛି। ୮ ତାରିଖ ‌େବଳକୁ ବାତ୍ୟାର ରୂପ ନେବ। ୯ ତାରିଖ ବେଳକୁ ଏହା ମହାବାତ୍ୟାରେ ପରିଣତ ହୋଇପାରେ। ଘଣ୍ଟାପ୍ରତି ୧୩୦ କିମି ବେଗରେ ପବନ ହେବାର ଆଶଙ୍କା ରହିଛି। ଏହା ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ତାମିଲନାଡ଼ୁ, ପଣ୍ତିଚେରୀ, କେରଳ ଓ ଲାକ୍ଷାଦ୍ବୀପ‌ରେ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରାଯାଇଛି।

ପାଣିପାଗ ବିଶେଷଜ୍ଞ ତଥା ଓୟୁଏଟି କୁଳପତି ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ବଙ୍ଗୋପ ସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଲଘୁଚାପରେ ପରିଣତ ହୋଇଛି। ଆଗକୁ ଏହା ଅଧିକ ଘନୀଭୂ୍ତ ହୋଇ ଡିପ୍‌ ଡିପ୍ରେସନ୍‌ରେ ପରିଣତ ହୋଇ ଉତ୍ତର ପଶ୍ଚିମ ଦିଗକୁ ଗତି କରିବ। ବାଙ୍ଗାଲାଦେଶ ଆଡ଼କୁ ଯିବାର ସମ୍ଭାବନା ଅଧିକ ରହିଛି। ଏବେ ଉତ୍ତର ପଶ୍ଚିମ ଭାରତରୁ ଓଡ଼ିଶାକୁ ପବନ ବହୁଛି। ତେଣୁ ଲଘୁଚାପ ଓଡ଼ିଶା ସ୍ଥଳ ଭାଗକୁ ଆସିବାରେ ପ୍ରତିବନ୍ଧକ ସା‌ଜିବ। ଯଦି ଏଭଳି ହୁଏ ତେବେ ଆସନ୍ତା ୧୧ରୁ ୧୩ ତାରିଖ ମଧ୍ୟରେ ପୁରୀଠାରୁ ବାଲେଶ୍ବର ପର୍ଯ୍ୟନ୍ତ ସମୁଦ୍ର ସଲଗ୍ନ ଉପକୂଳ ଅଞ୍ଚଳରେ ସ୍ବଳ୍ପ ବର୍ଷା ହୋଇପାରେ। ଏହି ବର୍ଷା ଫସଲ ପାଇଁ ଉପଯୋଗୀ ହେବ। ତେବେ ଦକ୍ଷିଣ ବ‌ଙ୍ଗୋପସାଗରରୁ ଆଉ ଏକ ପୂର୍ଣ୍ଣିବଳୟର ଅବଶେଷ ଆସି ଉପରୋକ୍ତ ସିଷ୍ଟମ ସହ ମିଶିବାର ସମ୍ଭାବନା ରହିଛି। ଯଦି ଏପରି ହୁଏ ତେବେ କେନ୍ଦ୍ରୀୟ ଉପକୂ‌ଳରେ ସ୍ପର୍ଶ କରିବ। ଆସନ୍ତା ୨୪ ଘଣ୍ଟା ପରେ ସ୍ପଷ୍ଟ ଚିତ୍ର ମିଳିପାରିବ ବୋଲି ସେ କହିଛନ୍ତି।