ନକଟତର ହେଉଛି ବାତ୍ୟା ବୁଲବୁଲ, ଏବେ ପାରାଦ୍ୱୀପ ଠାରୁ ୧୪୦ କି.ମି ଦୂରରେ

ଭୁବନେଶ୍ୱର : ପଶ୍ଚିମବଙ୍ଗ ସାଗର ଦ୍ବୀପ ଓ ବାଂଲାଦେଶର ଖେପୁପାରା ମଧ୍ୟରେ ଥିବା ସୁନ୍ଦରବନ ତ୍ରିକୋଣଭୂମିରେ ସ୍ଥଳଭାଗ ଛୁଇଁବାକୁ ଯାଉଥିବା ଅତି ଭୀଷଣ ବାତ୍ୟା ବୁଲ୍‌ବୁଲ୍‌ ଏବେ ପାରାଦ୍ୱୀପ ଠାରୁ ୧୪୦ କି.ମି. ଦୂରରେ ପ୍ରବାହିତ ହେଉଛି। ଏହାର ପ୍ରଭାବରେ ପାରାଦ୍ୱୀପରେ ପ୍ରବଳ ବର୍ଷା ଜାରି ରହିଛି। ପାରାଦ୍ୱୀପ ସମେତ କେନ୍ଦ୍ରାପଡ଼ାର ରାଜନଗରରେ ମଧ୍ୟ ବର୍ଷା ସାଙ୍ଗକୁ ପବନର ବେଗ ବଢ଼ିବାରେ ଲାଗିଛି।

ବୁଲ୍‌ବୁଲ୍‌ର ବିଶାଳ ତଥା ଭୟଙ୍କର ରୂପ ଓ ଅସ୍ଥିର ଆଚରଣ ଦେଖି ଜଗତସିଂହପୁର ଜିଲ୍ଲାରୁ ଏପର୍ଯ୍ୟନ୍ତ ୩୫୦ ଜଣଙ୍କୁ ସୁରକ୍ଷିତ ସ୍ଥାନାକୁ ସ୍ଥାନାନ୍ତରିତ କରାଯାଇଛି। ସେହିପରି ବାଲେଶ୍ୱରରେ ମଧ୍ୟ ୨୫୦ ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଥିବା ଏସ୍‌ଆର୍‌ସିଙ୍କ ସୂତ୍ରରୁ ଜଣାପଡିଛି। ଏଥିସହିତ ଆବଶ୍ୟକ ହେଲେ ଅଧିକ ଲୋକଙ୍କୁ ସ୍ଥାନାନ୍ତରିତ କରାଯିବ ବୋଲି ଏସ୍‌ଆର୍‌ସି ସୂଚନା ଦେଇଛନ୍ତି।

ବାତ୍ୟା ଯେତେଯେତେ ପାଖେଇ ଆସୁଛି ପବନର ବେଗ ସେତେ ‌ଜୋର୍‌ରେ ବଢ଼ିବା ସହ ବର୍ଷାର ପରିମାଣ ମଧ୍ୟ ବଢ଼ିବାରେ ଲାଗିଛି। ଏହାସହ ସମୁଦ୍ର ଅଶାନ୍ତ ହୋଇଉଠିବା ସହ ଉଚ୍ଚ ଢ଼େଉମାନ ସମୁଦ୍ରକୂଳରେ ମାଡ଼ ହେଉଛି। ଯାହାକୁ ନେଇ ଉପକୂଳବର୍ତ୍ତୀ ଅଞ୍ଚଳରେ ଲୋକମାନଙ୍କ ମନରେ ଭୟର ବାତାବରଣ ବଢ଼ିବାରେ ଲାଗିଛି।

ସମ୍ବନ୍ଧିତ ଖବର