ଓଡ଼ିଶାରୁ ଟଳିଲା ବାତ୍ୟା ବିପଦ, ବାଂଲାଦେଶ ମୁହାଁ ‘ବୁଲ୍‌ବୁଲ୍‌’

ପାରାଦୀପଠାରୁ ୮୧୦ କିମି ଦୂରରେ କେନ୍ଦ୍ରୀଭୂତ, ଉତ୍ତର ଓ ଉପକୂଳ ଓଡ଼ିଶାରେ ବର୍ଷା ସମ୍ଭାବନା

ଭୁବନେଶ୍ବର : ଓଡ଼ିଶା ଉପରୁ ଟଳୁଛି ବାତ୍ୟା ବିପଦ। ବଙ୍ଗୋପସାଗରରେ ଭୀଷଣ ସାମୁଦ୍ରିକ ଝଡ଼ରେ ପରିଣତ ହେବାକୁ ଯାଉଥିବା ‘ବୁଲ୍‌ବୁଲ୍‌’ ଏବେ ବାଂଲାଦେଶ ମୁହାଁ ହେଉଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ଘୂର୍ଣ୍ଣିଝଡ଼ରେ ପରିଣତ ହେବ। ପ୍ରଭାବରେ ୯ ଓ ୧୦ ତାରିଖରେ ଓଡ଼ିଶାର କେତେକ ଅଞ୍ଚଳରେ ସ୍ବଳ୍ପରୁ ମଧ୍ୟମଧରଣର ବର୍ଷା ହେବ। ବାତ୍ୟା କିମ୍ବା ପ୍ରବଳ ବର୍ଷା ହେବାର ସମ୍ଭାବନା ନାହିଁ। ୮ ତାରିଖ ସନ୍ଧ୍ୟାଠାରୁ ଓଡ଼ିଶା ଉପକୂଳରେ ପାଗ ମେଘୁଆ ରହିବା ସହ ସ୍ଥାନେ ସ୍ଥାନେ ଘଣ୍ଟାପ୍ରତି ୪୦ରୁ ୫୦ କିମି ବେଗରେ ପବନ ବୋହିପାରେ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।

ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ଏହି ଭୀଷଣ ଅବପାତ ସନ୍ଧ୍ୟା ୫ଟା ସୁଦ୍ଧା ପାରାଦୀପଠାରୁ ୮୧୦ କିମି ଦୂରରେ ଘନୀଭୂତ ହୋଇଛି। ପଶ୍ଚିମବଙ୍ଗର ସାଗର ଦୀପାଞ୍ଚଳଠାରୁ ୯୨୦ କିମି ଓ ବାଂଲାଦେଶର ଖେପୁପାରାଠାରୁ ୯୬୦ କିମି ଦୂରରେ ରହିଛି। ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଏହା ବାତ୍ୟା(ବୁଲ୍‌ବୁଲ୍‌)ରେ ପରିଣତ ହେବ। ପରବର୍ତୀ କିଛି ସମୟ ପାଇଁ ଏହା ଉତ୍ତରପଶ୍ଚିମ ଦିଗରେ ଗତି କରିବ। ଏହାପରେ ଉତ୍ତର-ଉତ୍ତରପଶ୍ଚିମ ଆଡ଼କୁ ଗତି କରି ପଶ୍ଚିମବଙ୍ଗ ଓ ବାଂଲାଦେଶ ଉପକୂଳ ମୁହାଁ ହେବ। ପ୍ରଭାବରେ ୧୦ ଓ ୧୧ ତାରିଖରେ ପଶ୍ଚିମବଙ୍ଗ ଉପକୂଳରେ ପ୍ରବଳ ବର୍ଷା ଲାଗିରହିବ। ସମୁଦ୍ର ଭିତରେ ବାତ୍ୟାର ପ୍ରକୋପ ଅଧିକ ରହିବ। ୭ ତାରିଖ ସକାଳ ବେଳକୁ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଘଣ୍ଟା ପ୍ରତି ୮୦ରୁ ୯୦ କିମି ବେଗରେ ପବନ ହେବ। ୭ ତାରିଖ ସନ୍ଧ୍ୟାଠାରୁ ସମୁଦ୍ର ଅଶାନ୍ତ ରହିବ। ‌ତେଣୁ ମତ୍ସ୍ୟଜୀବୀମାନଙ୍କୁ ୮ ତାରିଖ ସନ୍ଧ୍ୟା ପର୍ଯ୍ୟନ୍ତ ଆଣ୍ଡାମାନ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି।

ଏଥିସହ ୮ରୁ ୧୦ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ଉତ୍ତରକେନ୍ଦ୍ରୀୟ ଓ ଉତ୍ତରପଶ୍ଚିମ ସଂଲଗ୍ନ ବଙ୍ଗୋପସାଗର ମଧ୍ୟକୁ ନ ଯିବାକୁ ପରାମର୍ଶ ଦିଆଯାଇଛି।

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦେଶକ ଏଚ୍‌ଆର ବିଶ୍ବାସ କହିଛନ୍ତି ଯେ ଓଡ଼ିଶା ଉପରୁ ବିପଦ ଟଳିଛି। ବାତ୍ୟା ଏବେ ପଶ୍ଚିମବଙ୍ଗ ଓ ବାଂଲାଦେଶ ମୁହାଁ ହୋଇଛି। ଏହା ପ୍ରଭାବରେ ୯ ଓ ୧୦ ତାରିଖରେ ଉପକୂଳ ଓ ଉତ୍ତର ଓଡ଼ିଶାର ଜିଲ୍ଲାଗୁଡ଼ିକରେ ହାଲୁକାରୁ ମଧ୍ୟମଧରଣର ବର୍ଷା ହେବ। ୮ ତାରିଖ ସନ୍ଧ୍ୟାରେ ଉପକୂଳ ଓଡ଼ିଶାର କେତେକ ସ୍ଥାନରେ ୪୦ରୁ ୫୦ କିମି ବେଗରେ ପବନ ହୋଇପାରେ। ସମ୍ଭାବ୍ୟ ବର୍ଷାକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ବନ୍ଦରରେ ଏକ ନମ୍ବର ବିପଦସଙ୍କେତ ଦିଆଯାଇଛି।

ବା‌ତ୍ୟା ବିପଦ ଟଳିଥିଲେ ମଧ୍ୟ ସ୍ବତନ୍ତ୍ର ରିଲିଫ୍‌ କମିସନର ପ୍ରଦୀପ କୁମାର ଜେନାଙ୍କ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ କୁହାଯାଇଛି। ପରିସ୍ଥିତି ଉପରେ ଦୃଷ୍ଟି ରଖିବାକୁ ଜିଲ୍ଲାପାଳଙ୍କୁ ପରାମର୍ଶ ଦିଆଯାଇଛି। କୁହାଯାଇଛି ଯେ ବାତ୍ୟା ଟଳିଥିଲେ ମଧ୍ୟ ଉତ୍ତର ଓଡ଼ିଶା ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ହାଲକା ବର୍ଷା ହୋଇପାରେ। ତେଣୁ ନିୟମିତ ବ୍ୟବଧାନରେ ବାତ୍ୟାର ଗତି ଉପରେ ନଜର ରଖିବା, କୃଷକମାନଙ୍କ ପାଇଁ ଜାରି ହୋଇଥିବା ସତର୍କ ସୂଚନାକୁ ପାଳନ କରିବା, ୮ ତାରିଖଠାରୁ ମତ୍ସ୍ୟଜୀବୀମାନେ ଯେପରି ସମୁଦ୍ରକୁ ନ ଯାଆନ୍ତି ସେଥିପ୍ରତି ଦୃଷ୍ଟି ଦେବାକୁ କୁହାଯାଇଛି। ଗଞ୍ଜାମ, ଗଜପତି, ନୟାଗଡ଼, ପୁରୀ, ଖୋର୍ଧା, ଜଗତ୍‌ସିଂହପୁର, କଟକ, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ବର, ମୟୂରଭଞ୍ଜ, କେନ୍ଦୁଝର ଓ ଢେଙ୍କାନାଳ ଜିଲ୍ଲାରେ ହେବାକୁ ଥିବା ସମ୍ଭାବ୍ୟ ବର୍ଷାର ମୁକାବିଲା ଲାଗି ପ୍ରସ୍ତୁତ ରହିବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦେଶ ଦିଆଯାଇଛି।

ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକଙ୍କ କହିବାନୁଯାୟୀ ଭୀଷଣ ଅବପାତ ବାତ୍ୟାରେ ପରିଣତ ହେବା ପରେ ଅଧିକ ଘନୀଭୂତ ହୋଇ ଉତ୍ତର, ଉତ୍ତରପଶ୍ଚିମ ଦିଗରେ ଗତି କରିବ। ୮ ତାରିଖରେ ଭୀଷଣ ବାତ୍ୟାରେ ପରିଣତ ହେବ। ୯ ତାରିଖଠାରୁ ଦୁର୍ବଳ ହୋଇ ଉତ୍ତର-ଉତ୍ତରପୂର୍ବ ଦିଗରେ ଗତି କରିବ। ୧୧ ତାରିଖ ସକାଳ ବେଳକୁ ପୂର୍ବ ବାଂଲାଦେଶ ଉପକୂଳର ନିକଟତର ହେବ। ସେତେବେଳକୁ ବାତ୍ୟାରେ ପରିଣତ ହୋଇଥିବ। ବାଂଲାଦେଶ ଉପକୂଳରେ ବର୍ଷା ଓ ପବନର ପ୍ରଭାବ ପଡ଼ିବ। ସମ୍ଭବତଃ ଏହାର କେନ୍ଦ୍ର ଭୂଭାଗ ଅତିକ୍ରମ ନ କରି ସମୁଦ୍ର ଭିତରେ ହିଁ ବିଲୀନ ହୋଇଯାଇପାରେ। ୮ ତାରିଖ ସନ୍ଧ୍ୟାରୁ ୯ ତାରିଖ ସନ୍ଧ୍ୟା ମଧ୍ୟରେ ଓଡ଼ିଶା ଉପକୂଳର ଦୂରରେ କେନ୍ଦ୍ରୀୟଉତ୍ତର ବଙ୍ଗୋପସାଗରରେ ରହି ଓଡ଼ିଶା ଉପକୂଳ ଅତିକ୍ରମ କରିବ। ବାତ୍ୟାର ପଶ୍ଚିମ ଭାଗ ଅଧିକ ଘନୀଭୂତ ରହିଛି। ତେଣୁ ୯ ତାରିଖରୁ ରାଜ୍ୟକୁ ପଶ୍ଚିମା ଶୁଷ୍କ ଉତ୍ତରା ପବନ ବୋହିବ। ତେଣୁ ବର୍ଷା ଯୋଗ୍ୟ ଜଳୀୟ ବାଷ୍ପ ଖୁବ୍‌ କମ୍‌ ରହିବ। ତେଣୁ ଏହା ବାତ୍ୟାକୁ ଦୁର୍ବଳ କରିବାରେ ସହାୟକ ହେବ।

ପ୍ରଫେସର ପଶୁପାଳକ ଆହୁରି କହିଛନ୍ତି ଯେ ଆଜି ସନ୍ଧ୍ୟା ସୁଦ୍ଧା ଭୁବନେଶ୍ବରର ଆକ୍ଷାଂଶର ୫ ଡିଗ୍ରି ଉତ୍ତର ଓ ଦକ୍ଷିଣ ଦିଗରେ ଏକକାଳୀନ ୪ଟି ବାତ୍ୟା ରହିଛି। ଆରବ ସାଗରରେ ଥିବା ବାତ୍ୟା ‘ମହା’ ଗୁରୁବାର ଦକ୍ଷିଣ ଗୁରୁରାଟରେ ସ୍ଥଳ ଭା‌ଗ ଛୁଇଁବ। ସାଉଥ୍‌ ଚାଇନା ସମୁଦ୍ରରେ ବାତ୍ୟା ‘ନକରି’ ରହିଛି, ଯାହାକି ଫିଲିପାଇନ୍ସରୁ ପଶ୍ଚିମ ଆଡ଼େ ମୁହାଁଇ ଭିଏତନାମ ଆଡ଼କୁ ଗତି କରୁଛି। ଏହାଦ୍ବାରା ମଧ୍ୟ ‘ବୁଲ୍‌ବୁଲ୍‌’ର ବ୍ୟାପ୍ତି ଓ ତୀବ୍ରତା ବଢ଼ାଇବାରେ ବାଧା ସୃଷ୍ଟି କରୁଛି। ଫିଲିପାଇନ୍ସ ସାଗରରେ ଏକ ବାତ୍ୟା ‘ହେ‌ଲେନ୍‌’ ରହିଛି, ଯାହାକି ଉତ୍ତର ପୂର୍ବ ଆଡ଼େ ଗତି କରୁଛି। ଏହା ମହାବାତ୍ୟାରେ ପରିଣତ ହେବାକୁ ଯାଉଛି। ଏହିଭଳି ୪ଟି ବାତ୍ୟା ପାଖାପାଖି ସମାନ୍ତରାଳଭାବେ ରହିବା ସ୍ବାଭାବିକ ନୁହେଁ। ଜଳବାୟୁ ପରିବର୍ତ୍ତନ ଏହାର ମୁଖ୍ୟ କାରଣ ବୋଲି ଜଣାପଡ଼ୁଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ବାତ୍ୟା ଓଡ଼ିଶାକୁ ନ ଆସି ବାଂଲାଦେଶକୁ ଯିବ ବୋଲି ଦୁଇଦିନ ତଳେ ପ୍ରଫେସର ପଶୁପାଳକ ଆକଳନ କରିଥିଲେ।

ସମ୍ବନ୍ଧିତ ଖବର