ଭୁବନେଶ୍ୱର : ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ବାତ୍ୟାର ରୂପ ନେଇଥିବା ବେଳେ ଆଜି ରାତିରେ ଏହା ଭୂଭାଗ ଛୁଇଁବ। ଓଡ଼ିଶା ଉପକୂଳ ଛୁଇଁବାକୁ ଥିବା ବାତ୍ୟାର ତୀବ୍ରତା ଅଧିକ ହେବାର ସମ୍ଭାବନା ନାହିଁ।
ଏହା ସ୍ଥଳ ଭାଗକୁ ଛୁଇଁବା ସମୟରେ ୬୦ରୁ ୮୦କିମି ବେଗରେ ପବନ ବହିବ। ତେଣୁ ଲୋକମାନେ ଭୟଭୀତ ନହୋଇ ସ୍ଥିତିର ମୁକାବିଲା ନିମନ୍ତେ ସଜାଗ ଓ ପ୍ରସ୍ତୁତ ରହିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି।
ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଚିବାଳୟରେ ସ୍ଥିତିର ସମୀକ୍ଷା କରି ପରିସ୍ଥିତି ଉପରେ ନଜର ରଖିବାକୁ କହିଛନ୍ତି। ଯେପରି ଗୋଟିଏ ବି ଜୀବନ ନଷ୍ଟ ନହୁଏ ସେ ଦିଗରେ ସମସ୍ତ ପ୍ରକାରର ପଦକ୍ଷେପ ନେବା ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହାସହିତ ଲୋକଙ୍କ ପାଇଁ ଯଥେଷ୍ଟ ପରିମାଣରେ ରିଲିଫ ସାମଗ୍ରୀର ବ୍ୟବସ୍ଥା କରିବା ପାଇଁ କୁହାଯାଇଛି।
ବାତ୍ୟାରେ ରାଜ୍ୟର ୫ଟି ଜିଲ୍ଲା ଗଞ୍ଜାମ, ଗଜପତି, ଖୋର୍ଦ୍ଧା, ନୟାଗଡ଼ ଓ ପୁରୀ ପ୍ରଭାବିତ ହେବାକୁ ଥିବାରୁ ଏହି ୫ଟି ଜିଲ୍ଲାରେ ୨୧ତାରିଖର ସରକାରୀ ଛୁଟି ବାତିଲ୍ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ଅନ୍ୟ ଜିଲ୍ଲାଗୁଡ଼ିକରେ ପରିସ୍ଥିତିକୁ ନଜରରେ ରଖି ଜିଲ୍ଲାପାଳମାନେ ନିଷ୍ପତ୍ତି ନେବାକୁ କୁହାଯାଇଛି।
ସମ୍ଭାବ୍ୟ ବାତ୍ୟା ପରିସ୍ଥିତି ପାଇଁ ରାଜ୍ୟର ଓଡ୍ରାଫ୍ ଓ ଏନ୍ଡିଆରଏଫ୍ ଟିମ୍ଗୁଡ଼ିକୁ ପ୍ରସ୍ତୁତ ରହିବାକୁ କୁହାଯାଇଛି। ରିଲିଫ ସାମଗ୍ରୀ ସହିତ ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ୍ ରଖିବାକୁ କୁହାଯାଇଛି। ବାତ୍ୟା ପରେ ସଡ଼କ ନଷ୍ଟ ହେବା ସହିତ ବିଜୁଳି ସରବରାହ ବ୍ୟବସ୍ଥା କ୍ଷତିଗ୍ରସ୍ତ ହେବାର ଆଶଙ୍କା ଥିବାରୁ ଇଞ୍ଜିନିୟରିଂ ବିଭାଗଗୁଡ଼ିକ ଆଗୁଆ ପଦକ୍ଷେପ ନେଇ ତୁରନ୍ତ ମରାମତି କରି ସମସ୍ତ ବ୍ୟବସ୍ଥାକୁ ପୁନଃସ୍ଥାପନ କରିବାକୁ କୁହାଯାଇଛି। ହସ୍ପିଟାଲ ଓ ଜଳଯୋଗାଣ ବ୍ୟବସ୍ଥା ପାଇଁ ବିକଳ୍ପ ବିଦ୍ୟୁତ ଯୋଗାଣ ବ୍ୟବସ୍ଥା କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।
ସେହିପରି ମୁଖ୍ୟ ଶାସନ ସଚିବ ସ୍ଥିତିର ସମୀକ୍ଷା କରି କହିଛନ୍ତି ଯେ, ୫ଟି ଜିଲ୍ଲାରେ ସରକାରୀ ଛୁଟି ବାତିଲ୍ କରାଯିବା ସହ ସମ୍ବେଦନଶୀଳ ତଳିଆ ଅଞ୍ଚଳରୁ ଆବଶ୍ୟକ ହେଲେ ଲୋକଙ୍କୁ ନିରାପଦ ସ୍ଥାନକୁ ଆଣିବା, ବିଦ୍ୟୁତ ଓ ଜରୁରୀକାଳୀନ ସେବାର ତୁରନ୍ତ ପୁନଃସ୍ଥାପନ ପାଇଁ ପୂର୍ଣ୍ଣ ମାତ୍ରାରେ ପ୍ରସ୍ତୁତ ରହିବା, ବାତ୍ୟା ଆଶ୍ରୟସ୍ଥଳୀରେ ଖାଦ୍ୟ, ଔଷଧର ବ୍ୟବସ୍ଥା କରିବା, ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ନଯିବାକୁ ବାରଣ କରିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବୈଠକରେ ସ୍ୱତନ୍ତ୍ର ରିଲିଫ କମିସନର ବିଷ୍ଣୁପଦ ସେଠୀ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପ୍ରମୁଖ ସଚିବ ଚନ୍ଦ୍ରଶେଖର କୁମାର, ଶକ୍ତି ବିଭାଗ ସଚିବ ହେମନ୍ତ କୁମାର ଶର୍ମାଙ୍କ ସମେତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
ରାଜ୍ୟରେ ବାତ୍ୟା ହେବାର ସମ୍ଭାବନା ଥିବାରୁ ଏହାକୁ ନଜରରେ ରଖି ଆନ୍ଦୋଳନରତ ସମସ୍ତ ଡିପ୍ଲୋମା ଇଞ୍ଜିନିୟରଙ୍କୁ ଆନ୍ଦୋଳନ ପ୍ରତ୍ୟାହାର କରିବାକୁ ପୂର୍ତ୍ତ ସଚିବ ନଳିନୀକାନ୍ତ ପ୍ରଧାନ ଆଜି ଆହ୍ଵାନ ଦେଇଛନ୍ତି। ବାତ୍ୟା ଭଳି ପରିସ୍ଥିତିରେ ସଡ଼କ ମରାମତି, ବିଦ୍ୟୁତ ଓ ପାନୀୟ ଜଳ ଯୋଗାଣ ଆଦି କ୍ଷେତ୍ରରେ ଇଞ୍ଜିନିୟରମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ସରକାର ବାତ୍ୟାକୁ ସଫଳ ଭାବେ ମୁକାବିଲା କରିବାକୁ ହେଲେ ଇଞ୍ଜିନିୟରମାନଙ୍କ ସହଯୋଗ ଆବଶ୍ୟକ ଥିବାରୁ ଏଥିରେ ସହଯୋଗ କରିବାକୁ କୁହାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/09/daye.jpg)