ଭୁବନେଶ୍ୱର : ଭୀଷଣ ରୂପ ନେଇ ସମ୍ଭାବ୍ୟ ବାତ୍ୟା (ଅସନି) ଓଡ଼ିଶା ଉପକୂଳରେ ଘଷି ହୋଇଯିବ, ପାଖାପାଖି ୨୦୦ କିଲୋମିଟର ଦୂରରେ। ସେତେବେଳେ ବାତ୍ୟାର କେନ୍ଦ୍ରସ୍ଥଳରେ ପବନର ବେଗ ଘଣ୍ଟାପ୍ରତି ୧୦୫ରୁ ୧୧୫ କିଲୋମିଟର ରହିଥିବ। ଏହା ସ୍ଥଳବିଶେଷରେ ଘଣ୍ଟାପ୍ରତି ୧୨୫ କିଲୋମିଟର ଛୁଇଁଯାଇପାରେ। ଯେତେ ଆଗକୁ ବଢ଼ିବ, ସେତେ ଏହାର ପ୍ରକୋପ କମିବ। ଅର୍ଥାତ୍ ଓଡ଼ିଶା ଉପକୂଳ ଅତିକ୍ରମ କରୁଥିବା ସମୟରେ ତାହାର ପ୍ରଭାବ ଆହୁରି କମିଯାଇଥିବ।

Advertisment

ଶନିବାର ବିଳମ୍ବିତ ରାତିରେ ପାଣିପାଗ ସଂପର୍କିତ ଏହି ରିପୋର୍ଟ ସମ୍ଭାବ୍ୟ ବାତ୍ୟାର ଭୟାବହତା ନେଇ ଏଭଳି ଚିତ୍ର ଆଙ୍କୁଛି। ଏହି ରିପୋର୍ଟ ଆହୁରି କହୁଛି ଯେ ଆସନ୍ତାକାଲି ଅପରାହ୍ନ ନୁହେଁ, ବରଂ ସକାଳୁ ସକାଳୁ ଅବପାତ ବାତ୍ୟା ରୂପ ନେଇଯିବ ଏବଂ ଅପରାହ୍ନ ବେଳକୁ ଭୀଷଣ ବାତ୍ୟାରେ ପରିଣତ ହୋଇଯିବ। ଏହି ରୂପରେ ବାତ୍ୟାଟି ପ୍ରାୟ ୪୮ ଘଣ୍ଟା ଅର୍ଥାତ୍ ୧୦ ତାରିଖ ଅପରାହ୍ନ ସାଢେ ପାଞ୍ଚଟା ଯାଏ ରହିବ। ତା’ ପରେ ଧୀରେ ଧୀରେ ଦୁର୍ବଳ ହେବ।

publive-image

ଓଡ଼ିଶା ପାଇଁ ଆଶ୍ବସ୍ତିର ବିଷୟ ହେଲା ଯେ ସାମାନ୍ୟ ଦୂରରେ ଯାଉଥିବା କାରଣରୁ ଓଡ଼ିଶା ଉପକୂଳରେ ପବନର ବେଗ ପାଖାପାଖି ଘଣ୍ଟାପ୍ରତି ୫୦ କିେଲାମିଟର ରହିପାରେ। ଏହାର ପ୍ରଭାବରେ ଉପକୂଳବର୍ତ୍ତୀ ଓ ସଂଲଗ୍ନ କିଛି ଜିଲ୍ଲାରେ ୭୦ରୁ ୧୧୦ ମିମି ବର୍ଷା ହୋଇପାରେ। ଉଭୟ ୧୦ ତାରିଖ ଓ ୧୧ ତାରିଖରେ ଏହାର ପ୍ରଭାବ ପଡ଼ିବ। ତେବେ ୧୧ ତାରିଖ ବେଳକୁ ସମ୍ଭାବ୍ୟ ବାତ୍ୟାର ପ୍ରକୋପ କମିବା ସହିତ ପବନର ବେଗ ବି କମିଆସିଥିବ। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ସରକାର ପୂରା ପ୍ରସ୍ତୁତ ବୋଲି କହିଛନ୍ତି ସ୍ବତନ୍ତ୍ର ରିଲିଫ୍ କମିସନର ପ୍ରଦୀପ କୁମାର ଜେନା।

ସତର୍କ କରାଇଲେ ଏସ୍‌ଆର୍‌ସି, ମତ୍ସ୍ୟଜୀବୀଙ୍କୁ ଫେରାଇ ଅଣାଯିବ

ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ତଥା ସଂଲଗ୍ନ ଆଣ୍ଡାମାନ ସାଗର ଅଞ୍ଚଳରେ ସକ୍ରିୟ ଲଘୁଚାପ କ୍ଷେତ୍ର ଉତ୍ତର-ପଶ୍ଚିମ ଦିଗରେ ଗତି କରିବା ସହ ଇତିମଧ୍ୟରେ ଘନୀଭୂତ ହୋଇ ଅବପାତରେ ପରିଣତ ହୋଇଛି। ୮ ତାରିଖ ସକାଳ ସୁଦ୍ଧା ଅଧିକ ଘନୀଭୂତ ହୋଇ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ବାତ୍ୟାରେ ପରିଣତ ହେବ। ପରେ ଉତ୍ତର-ପଶ୍ଚିମ ଦିଗ‌ରେ ଗତି ବଜାୟ ରଖିବା ସହ ୧୦ ତାରିଖ ସଂଧ୍ୟା ବେଳକୁ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ତଥା ସମୁଦ୍ର ମଧ୍ୟରେ ପାଶ୍ବବର୍ତ୍ତୀ ଉତ୍ତର-ଆନ୍ଧ୍ର ଓ ଓଡ଼ିଶା ଉପକୂଳରେ ପହଞ୍ଚିବ। ସେତେବେଳକୁ ଏହା ଭୀଷଣ ବାତ୍ୟା ରୂପରେ ରହିଥିବ। ହେଲେ ସେଠାରୁ ଗତିପଥ ବଦଳାଇ ଉତ୍ତର-ଉତ୍ତର-ପୂର୍ବ ଦିଗରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ସମୁଦ୍ର ମଧ୍ୟରେ ଓଡ଼ିଶା ଉପକୂଳମୁହାଁ ହେଉଥିବା ବେଳେ ପ୍ରଭାବ କମି ଏହାର ଭୀଷଣତା କମି ବାତ୍ୟାରେ ପରିଣତ ହୋଇସାରିଥିବ। କେଉଁଠାରେ ବି ସ୍ଥଳଭାଗ ଛୁଇଁବ ନାହିଁ।

publive-image republicworld.com

ଆଇଏମ୍‌ଡି ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଯେ ସମ୍ଭାବ୍ୟ ବାତ୍ୟା ସ୍ଥଳଭାଗ ନ ଛୁଇଁ ବାତ୍ୟା ସମୁଦ୍ର ଉପରେ ଚାଲିଯିବ। ସମୁଦ୍ର ମଧ୍ୟ‌ରେ ସମାନ୍ତରାଳ ଭାବେ ଏହା ଓଡ଼ିଶା ଉପକୂଳ ଅତିକ୍ରମ କରିବ। ୯ ତାରିଖରୁ ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ବାରଣ କରାଯାଇଛି। ସେହିପରି ସମୁଦ୍ର ଭିତରେ ଥିବା ମତ୍ସ୍ୟଜୀବୀଙ୍କୁ ୮ ତାରିଖ ସୁଦ୍ଧା କୂଳକୁ ଫେରି ଆସିବାକୁ କୁହାଯାଇଛି। ଏଥିସହ ୯ ଓ ୧୦ ତାରିଖରେ କେନ୍ଦ୍ରୀୟ ବଙ୍ଗୋପସାଗର ଓ ୧୧ ତାରିଖରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳକୁ ମତ୍ସ୍ୟଜୀବୀଙ୍କୁ ପ୍ରବେଶ ନେଇ ସମ୍ପୂର୍ଣ୍ଣ ବାରଣ କରାଯାଇଛି।

ବାତ୍ୟା ପ୍ରଭାବରେ ୧୦ ତାରିଖ ସଂଧ୍ୟାରୁ ଉପକୂଳ ଓଡ଼ିଶାରେ ବର୍ଷା ଆରମ୍ଭ ହୋଇଯିବ। ବିଶେଷକରି ଗଂଜାମ, ଗଜପତି ଓ ପୁରୀରେ ପ୍ରବଳ ବର୍ଷା ହେବ। ୧୧ତାରିଖ ଦିନ ମଧ୍ୟ ଉପକୂଳ ଓଡ଼ିଶାର ଜିଲ୍ଲାଗୁଡ଼ିକର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମଧରଣର ବର୍ଷା ହେବା ସହ ଗଞ୍ଜାମ, ଖୋର୍ଧା, ଜଗତସିଂହପୁର, ପୁରୀ ଓ କଟକ ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା (୭୦ରୁ ୧୧୦ ମିମି) ବର୍ଷା ସମ୍ଭାବନା ରହିଛି।

publive-image Sambad English

ଏହାକୁ ନଜରରେ ରଖି ସ୍ବତନ୍ତ୍ର ରିଲିଫ କମିସନର ଶ୍ରୀ ‌ଜେନା ମତ୍ସ୍ୟଜୀବୀମାନଙ୍କୁ ରବିବାରଠାରୁ ଗଭୀର ସମୁଦ୍ରକୁ ନଯିବାକୁ କହିଛନ୍ତି। ଯେଉଁମାନେ ଯାଇଛନ୍ତି ସେମାନଙ୍କୁ ଫେରି ଆସିବାକୁ ସତର୍କ କରିଛନ୍ତି। କେତେ ମତ୍ସ୍ୟଜୀବୀ ସମୁଦ୍ର ମଝିକୁ ମାଛ ଧରିବାକୁ ଯାଇଛନ୍ତି ଓ ୮ ତାରିଖ ଦିନ ସୁଦ୍ଧା କେତେଜଣ ଫେରିଛନ୍ତି ସେ ସମ୍ପର୍କରେ ରିପୋର୍ଟ ପ୍ରଦାନ କରିବାକୁ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିଭାଗର ପ୍ରମୁଖ ଶାସନ ସଚିବଙ୍କୁ କହିଛନ୍ତି। ଏହାସହ ବିଭାଗ ପକ୍ଷରୁ ଏକ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌ ଖୋଲିବା ସହ ଜିଲ୍ଲା ସ୍ତରରେ ଅଫିସର ଓ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ ମଧ୍ୟରେ ସମନ୍ୱୟ ରଖିବାକୁ ମଧ୍ୟ କହିଛନ୍ତି। ଇଣ୍ଡିଆନ ନେଭି, କୋଷ୍ଟ ଗାର୍ଡ କମାଣ୍ଡରଙ୍କୁ ସମୁଦ୍ର ମଝିକୁ ମାଛ ଧରିବାକୁ ଯାଇଥିବା ମତ୍ସ୍ୟଜୀବୀମାନଙ୍କୁ ୮ ତାରିଖ ପୂର୍ବରୁ ନିରାପଦ ଭାବେ ଫେରାଇ ଆଣିବାକୁ ନିର୍ଦ୍ଦେଶ ଦିଆଯାଇଛି । ୮ ତାରିଖ ସୁଦ୍ଧା ସମୁଦ୍ରରେ ଜାହାଜ ଓ ମାଛଧରା ବୋଟଗୁଡିକ ଉପରେ ପ୍ରତିବନ୍ଧକ ଲଗାଇବା ସହ ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ମାନବ ସମ୍ବଳ ଓ ଆବଶ୍ୟକ ଯନ୍ତ୍ରପାତି ସହ ପ୍ରସ୍ତୁତ ରହିବାକୁ କୁହାଯାଇଛି।

ବାତ୍ୟା ନେଇ ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ସମ୍ଭାବ୍ୟ ବାତ୍ୟା ୯ ତାରିଖ ରାତି ବା ୧୦ ତାରିଖ ସକାଳେ ଗୋପାଳପୁର ଉପକୂଳର ବହୁ ଦୂରରେ ସମୁଦ୍ରରେ ରହିଥିବ। ଓଡ଼ିଶା ଉପକୂଳଠାରୁ ଦୂରରେ ସମୁଦ୍ରରେ ପଶ୍ଚିମବଙ୍ଗ/ବାଂଲାଦେଶ ଆଡ଼କୁ ଯିବ। ୧୧ ତାରିଖରେ ହୁଏତ ଲଘୁଚାପରେ ପରିଣତ ହୋଇପାରେ। ଓଡ଼ିଶା ଉପକୂଳ ଛୁଇଁବା ସମ୍ଭାବନା କମ୍‌। ଓଡ଼ିଶା ଉପକୂଳ ସ୍ପର୍ଶ କରୁ ବା ଉପକୂଳଠାରୁ ଦୂରରେ ଯାଉ; ରାଜ୍ୟରେ ବିଶେଷ ପବନ କିମ୍ବା ବର୍ଷାର ସମ୍ଭାବନା ନାହିଁ। ଉପକୂଳ ଓ ସଂଲଗ୍ନ ଜିଲ୍ଲାରେ ୧୦ ଓ ୧୧ ତାରିଖରେ ମଧ୍ୟମଧରଣର ବର୍ଷା ହୋଇପାରେ। ପବନର ବେଗ ଅତି ବେଶିରେ ଘଣ୍ଟା ପ୍ରତି ୫୦ କିମି ରହିବ। ବାୟୁମଣ୍ଡଳର ସ୍ଥିତି ୧୦ ଓ ୧୧ ତାରିଖରେ ଦ୍ରୁତ ପରିବର୍ତ୍ତନ ହେବାର ଆକଳନ କରାଯାଉଛି। ଫଳରେ ସମ୍ଭାବ୍ୟ ବାତ୍ୟାର ରୂପରେଖ ବଦଳିପାରେ।

publive-image Planet Odisha

ଅପରପକ୍ଷେ ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଅଗ୍ନିଶମ ସେବା ଓ ହୋମ୍‌ଗାର୍ଡର ନୂତନ ଡିଜି ସନ୍ତୋଷ ଉପାଧ୍ୟାୟ ଶନିବାର ଦିନ ବରମୁଣ୍ଡାସ୍ଥିତ ଓଡ଼ିଶା ଫାୟାର ଆଣ୍ଡ୍ ଡିଜାଷ୍ଟର ରେସପନ୍ସ ଏକାଡେମି (ଓଫ୍‌ଡ୍ରା) ପରିଦର୍ଶନ କରିଛନ୍ତି। ଶ୍ରୀ ଉପାଧ୍ୟାୟ ବିଭାଗୀୟ କର୍ମଚାରୀଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବାତ୍ୟା ଯୋଗୁଁ ଯେମିତି କେହି ମୃତାହତ ନ ହୁଅନ୍ତି, ସେଥିପାଇଁ ମିସନ ଜିରୋ କାଜୁଆଲିଟିକୁ ଗୁରୁତ୍ବ ଦିଆଯାଉଥିବା ଡିଜି ସୂଚନା ଦେଇଛନ୍ତି। ବାତ୍ୟା ପାଇଁ ରାଜ୍ୟରେ ଥିବା ୩୩୯ଟି ଅଗ୍ନିଶମ କେନ୍ଦ୍ରକୁ ସଜାଗ କରାଯାଇଛି। ଅତ୍ୟାଧୁନିକ ଯନ୍ତ୍ରପାତି ସହିତ ଜରୁରୀକାଳୀନ ପରିସ୍ଥିତି ପାଇଁ ସବୁ କର୍ମଚାରୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଏହା ସହିତ ବାତ୍ୟା ପ୍ରଭାବ ପଡ଼ିବାକୁ ଥିବା ଜିଲ୍ଲା ବା ପ୍ରଭାବିତ ଅଞ୍ଚଳରେ ୧୭୫ଟି ସ୍ବତନ୍ତ୍ର ଟିମ୍ ଗଠନ କରାଯାଇ ମୁତୟନ କରାଯାଇଛି।

ସେହିଭଳି ବାତ୍ୟା ପାଇଁ ରାଜଧାନୀରେ ମାତ୍ରାଧିକ ବର୍ଷା ସମ୍ଭାବନା ଥିବାରୁ ଜଳ ନିଷ୍କାସନ ଲାଗି ୧୮ଟି ସମ୍ବେଦନଶୀଳ ସ୍ଥାନ ଚିହ୍ନଟ କରାଯାଇଛି। ଭୁବନେଶ୍ବର ଭଳି ଜଳ ନିଷ୍କାସନରେ ସମସ୍ୟା ସୃଷ୍ଟି ହେଉଥିବା ପୁରୀ, କଟକ ଓ ଅନ୍ୟାନ୍ୟ ସହର ଗୁଡ଼ିକୁ ଜଳ ନିଷ୍କାସିତ ପମ୍ପ୍ ଓ କର୍ମଚାରୀ ପଠାଯାଇଛି।