ଭୁବନେଶ୍ବର : ଗତ ୩ ତାରିଖରେ ଅଧା ଓଡ଼ିଶାକୁ ଥରାଇ ଦେଇଥିବା ବାତ୍ୟା 'ଫନି' ୧୧ଟି ଜିଲ୍ଲାକୁ ପ୍ରଭାବିତ କରିଛି। ସ୍ବତନ୍ତ୍ର ରିଲିଫ କମିସନରଙ୍କ କାର୍ଯ୍ୟାଳୟରୁ ଷ୍ଟେର ଏମରଜେନସି ଅପରେସନ ସେଣ୍ଟର ପକ୍ଷରୁ ଆଜି ଏଭଳି ସ୍ଥିତି ରିପୋର୍ଟ ପ୍ରକାଶ କରାଯାଇଛି। ଏହି ବାତ୍ୟା ବିଭୀଷିକାରେ ମୋଟ ୧୩୭ଟି ବ୍ଲକ ପ୍ରଭାବତି ହୋଇଥିବାବେଳେ ୪୬ଟି ନଗରାଞ୍ଚଳ, ୧୪ ହଜାର ୮୩୫ଟି ଗାଁ ପ୍ରଭାବିତ ହୋଇଛି। ମୋଟ ୧ କୋଟି ୭ ଲକ୍ଷ ୮୪ ହଜାର ୯୧୫ ଜଣ ଲୋକ ଏହି ବାତ୍ୟାର ଶିକାର ହୋଇଥିବା ଏସଆରସି ପ୍ରକାଶ କରିଛନ୍ତି।
ରିପୋର୍ଟ ମୁତାବକ, ପୁରୀ, ଖୋର୍ଦ୍ଧା, ବାଲେଶ୍ବର, ଭଦ୍ରକ, କଟକ, ଢେଙ୍କାନାଳ, ଗଞ୍ଜାମ, ଜଗତସିଂହପୁର,ଯାଜପୁର, କେନ୍ଦ୍ରାପଡ଼ା, ମୟୁରଭଞ୍ଜ ଜିଲ୍ଲା ବାତ୍ୟା 'ଫନି'ରେ ପ୍ରଭାବିତ ହୋଇଛନ୍ତି। ସବୁଠୁ ବେଶି ପ୍ରଭାବିତ ପୁରୀ ଜିଲ୍ଲାରେ କଚ୍ଚା ଘର ସବୁ ଭାଙ୍ଗି ଚୁରମାର ହୋଇଯାଇଛି। ଅସ୍ଥାୟୀ ଦୋକାନ କରିଥିବା ଦୋକାନୀଙ୍କ ଦୋକାନ ଗୃହ ସମ୍ପର୍ଣ୍ଣ ଭାବେ ନଷ୍ଟ ହୋଇଯାଇଥିବାବେଳେ ବାତ୍ୟାରେ ଆହତ ହୋଇ ୧୬୦ ବ୍ୟକ୍ତି ପୁରୀ ସଦର ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ପୁରୀ ସର୍କିଟ ହାଉସ ଗୃହ, ଜିଲ୍ଲାପାଳ ଓ ପୁଲିସ ଏସପି ଅଫିସ ଓ ସରକାରୀ ବାସଗୃହ ମଧ୍ୟ ପ୍ରଭାବିତ ହୋଇଛି। ଭୁବନେଶ୍ବରରେ ୩ ଜଣ ବ୍ୟକ୍ତି ବାତ୍ୟାବେଳେ ଆହତ ହୋଇଛନ୍ତି। ଭୁବନେଶ୍ବର ଓ ଖୋର୍ଦ୍ଧାରେ ଶହଶହ ସଂଖ୍ୟାରେ ବଡ଼ବଡ଼ ଗଛ ପଡ଼ି ରାସ୍ତା ଅବରୋଧ ହୋଇଥିଲା। ବିଦ୍ୟୁତ ଖୁଣ୍ଟ ଉପୁଡ଼ି ବିଦ୍ୟୁତ ସରବରାହ ହେବା ସହ ଟେଲିଫୋନ ସେବା ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି। ମୋଟ ୧ ହଜାର ୩୧ଟି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ନଷ୍ଟ ହୋଇଯାଇଛି। ୫ ହଜାର ୨୪୪ଟି ପ୍ରାଇମେରୀ ସ୍କୁଲ ବିଲ୍ଡିଂ ଓ ୫୪୭ ସେକେଣ୍ଡେରୀ ସ୍କୁଲ ବିଲ୍ଡିଂ ଭୁଷୁଡ଼ିପଡ଼ିଛି। ୯୮୦.୬୯ କିଲୋମିଟର ଲମ୍ବାର ଲୁଣିପାଣିକୁ ରୋକିଥିବା ବାଲି ଲୁଣା ବନ୍ଧ ସମ୍ପୂର୍ଣ୍ଣ ଭାବେ ଧୋଇଯାଇଛି। ୧୮୦ଟି ଉଚ୍ଚଶିକ୍ଷା ଅନୁଷ୍ଠାନ ସମ୍ପୂର୍ଣ୍ଣ ନଷ୍ଟ ହେବା ସହ ୯୦ଟିର ଆଂଶିକ କ୍ଷତି ଘଟିଛି। ୫ ହଜାର ୫୯୬ କିଲୋମିଟର ରାସ୍ତା ଫାଟିଯାଇ ୨୨୭ଟି ସ୍ଥାନରେ ଗାତ ହେବା ସହ ୩୨୬ଟି କଲଭର୍ଟ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ସେହିପରି ୫୫୬ଟି ବ୍ଲକରେ ଗଛପଡ଼ି ବିଦ୍ୟୁତ ଖୁଣ୍ଟ ସବୁ ନଷ୍ଟ ହୋଇଯାଇଛି। ଚନ୍ଦକା, ବିଡ଼ାନାସୀ, ସମଗରା, ମେଣ୍ଢାଶାଳରେ ୪ଟି ୨୨୦ କେ.ଭି ଗ୍ରୀଡ ଭାଙ୍ଗିରୁଜି ଯିବା ସହ ପୁରୀ, ନିମାପଡ଼ା, ମଞ୍ଚେଶ୍ବର, ରଣସିଂହପୁରରେ ୪ଟି ୧୩୨ କେ.ଭି ଗ୍ରୀଡ ଧ୍ବଂସ ହୋଇଯାଇଛି। ସେହିପରି ୫ ହଜାର ୩୦ କିଲୋମିଟରର ୩୩ କେ.ଭି ଲାଇନ, ୩୮ ହଜାର ୬୧୩ କିଲୋମିଟରର ୧୧ କେ.ଭି, ୧୧ ହଜାର ୭୭ଟି ବଣ୍ଟନ ଟ୍ରାନସଫରମର ଓ ୭୯ ହଜାର ୪୮୫ଟି ଏଲ.ଟି ଲାଇନ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି।
ରିପୋର୍ଟ ଆହୁରି ଦର୍ଶାଇଛି, ଖରାଦିନିଆ ଫସଲ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହେବା ସହ ପ୍ରାଣୀ ସମ୍ପଦ ବ୍ୟାପକ ପ୍ରଭାବିତ ହୋଇଛି। ପୁନରୁଦ୍ଧାର ଓ ରିଲିଫ କାର୍ଯ୍ୟ ତ୍ବରାନ୍ବତି ବେଗରେ ଆଗେଇ ଚାଲିଥିବାବେଳେ ଗଞ୍ଜାମ, ଗଜପତିରେ ପୁନରୁଦ୍ଧାର କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି। ଭୁବନେଶ୍ବରରେ ମୁଖ୍ୟ ରାସ୍ତାଗୁଡ଼ିକରୁ ଗଛକଟାଯାଇ ରାସ୍ତାରେ ଗମନାଗମନକୁ ସ୍ବାଭାବିକ କରାଯାଇଛି। ବାତ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ୧୩ ଲକ୍ଷ ୪୧ ହଜାର ୪୭୬ଜଣ ଲୋକଙ୍କୁ ସ୍ଥାନାନ୍ତର କରିବା ସହ ପୁରୀ, ଗଞ୍ଜାମ, କଟକ ଏବଂ ବାଲେଶ୍ବର ପର୍ଯ୍ୟଟନ ସ୍ଥଳୀରୁ ୨୪ ହଜାର ୮୮୯ଜଣ ପର୍ଯ୍ୟଟକଙ୍କୁ ଖାଲି କରି ଆଶ୍ରୟସ୍ଥଳୀରେ ରଖାଯାଇଛି। ଆଜିଠାରୁ ଭୁବନେଶ୍ବରରୁ ରେଳସେବା ପୁଣି ଥରେ ଆରମ୍ଭ ହୋଇଥିବା ସରକାର କହିଛନ୍ତି। ଭୁବନେଶ୍ବରୁ ଦୁଗ୍ଧ ଉତ୍ପାଦନ ପୁଣି ଥରେ ଆରମ୍ଭ ହୋଇଛି। ସେହିପରି ସ୍ବାସ୍ଥ୍ୟସେବା ପାଇଁ ୮୦୪ଟି ମଡିକାଲ ରିହାବିଲିଟେସନ ସେଣ୍ଟର ଖୋଲାଯିବା ସହ ୧୯୪୫ଜଣ ଗର୍ଭବତୀଙ୍କୁ ସୁରକ୍ଷିତ ଭାବେ ମା' ଗୃହକୁ ସ୍ଥାନାନ୍ତର କରାଯାଇଛି। ପୁରୀ ଜିଲ୍ଲାରେ ପ୍ରଭାବତି ୫୬୦ଟି ରାସ୍ତା ମଧ୍ୟରୁ ୬୪ଟି ରାସ୍ତା ସମ୍ପୂର୍ଣ୍ଣ ଭାବେ ସଫା କରାଯିବା ସହ ଖୋର୍ଦ୍ଧାରେ ୧୧ଟି ରାସ୍ତା,ଜଗତସିଂହପୁରର ୩ଟି ବ୍ଲକର ସମସ୍ତ ରାସ୍ତା ସଫା କରାଯାଇସାରିଲାଣି। କଟକର ୧୧ଟି ରାସ୍ତାକୁ ଛାଡ଼ିଦେଲେ ବାକି ରାସ୍ତାଗୁଡ଼ିକରୁ ଗଛ ହଟାଯାଇ ଗମନାଗମନକୁ ସ୍ବାଭାବିକ କରଯାଇଛି ବୋଲି ସରକାର ରିପୋର୍ଟରେ କହିଛନ୍ତି।