ଅଣ୍ଟା ଭାଙ୍ଗି ଦେଲା ‘ଫନି’, ୫ ଦିନ ହେଲା ପେଟରେ ପଡିନି ଆହାର, ଚୂଡା ଗୁଡକୁ ଆଶ୍ରୟ କରି ବଚିଂଛନ୍ତି ଲୋକେ

ଭୁବନେଶ୍ୱର: ସାମୁଦ୍ରିକ ଝଡ଼ ‘ଫନି’ ଚିଲିକାର ବ୍ରହ୍ମଗିରି ରେମଣା ନୁଆଁଗାଁର ୫୦୦ ଲୋକଙ୍କ ଅଣ୍ଟା ଭାଙ୍ଗିଦେଇଛି। ଚିଲିକା କୂଳରେ ଥିବା ଏହି ଗାଁ ଫନି ପ୍ରଭାବରେ ବିଶେଷ କ୍ଷତିଗ୍ରସ୍ତ ହୋଇଛି। ଚାଳଛପର ଉଡିଯିବା ସହ କଚ୍ଚାଘର ସବୁ ଭାଙ୍ଗିଯାଇଛି। ଆଜିକୁ ୫ ଦିନ ହେଲା ଗ୍ରାମବାସୀଙ୍କ ଘରେ ଚୁଲି ଜଳିନି। ଚୁଡା ଚିନିକୁ ଛାଡିଦେଲେ ଲୋକଙ୍କ ପାଇଁ ସାତସପନ ରନ୍ଧାଖାଦ୍ୟ ପାଲଟିଛି। ବାତ୍ୟା ଫନିର ତାଣ୍ଡବରେ ଉଜୁଡି ଯାଇଛି ବର୍ଷଯାକର ସାଇତା ଧାନ ଓ ଚାଉଳ। ପୁରୀ ଜିଲ୍ଲାର କୃଷ୍ଣପ୍ରସାଦ କେଉଟକୁଦୀ ଗାଁର ୫୦୦ ଘର ଫନି ପ୍ରଭାବରେ ପ୍ରଭାବିତ ହୋଇଛନ୍ତି। ଏମିତିକି ଗାଁକୁ କେଉଁ ଗାଡି ଗଲେ ଲୋକ ରିଲିଫ୍‌ ମିଳୁଥିବା ଭାବି ଜମା ହେଉଛନ୍ତି। ବାତ୍ୟା ଫନି ସବୁ କିଛି ଉଜାଡିଦେବା ପରେ ସରକାରଙ୍କ ସହାୟତାକୁ ହାତ ଟେକି ବସିଛନ୍ତି ଲୋକେ।

ସେପଟେ ରାହା ଖୋଜୁଛି ପୁରୀର ରଘୁରାଜପୁର। ୧୪୦ ପରିବାରଙ୍କୁ ପରିଚୟ ଦେଇଥିବା ରଘୁରାଜପୁରର କୌଳିକ ବୃତ୍ତି କୁ ଛଡାଇ ନେଇଛି ବାତ୍ୟା ଫନି। ପଟ୍ଟଚିତ୍ରରେ ବିଶ୍ୱପ୍ରସିଦ୍ଧି ଅର୍ଜନ କରିଥିବା ରଘୁରାଜପୁରର ଲୋକଙ୍କର ଲକ୍ଷାଧିକ ଟଙ୍କାର ପଟ୍ଟଚିତ୍ର ନଷ୍ଟ ହେବା ସହ କଞ୍ଚାମାଲ୍‌ ମଧ୍ୟ ନଷ୍ଟ ହୋଇଯାଇଛି। ଏବେ ଏହି ଅଞ୍ଚଳରେ ଲୋକେ କରିବେ କ’ଣ ତାହାକୁ ନେଇ ଏବେ ମୁଣ୍ଡରେ ହାତ ଦେଇ ବସିଛନ୍ତି।

ସମ୍ବନ୍ଧିତ ଖବର