ମୋ ସରକାର : ଘାଇଲା କଲା ଫନି ଓ ବୁଲ୍‌ବୁଲ୍‌

ଭୁବନେଶ୍ୱର: ଦୁଇ ଦୁଇଟି ବାତ୍ୟା ଘାଣ୍ଟିଦେଲେ ଓଡ଼ିଶାକୁ। ସାମୁଦ୍ରିକ ଘୂର୍ଣ୍ଣିବାତ୍ୟା ‘ଫନି’ ଭୀଷଣ ରୂପ ନେଇ ମାଡ଼ ହୋଇଥିଲା ପୁରୀ ଉପକୂଳରେ। ଧ୍ବସ୍ତ ବିଧ୍ବସ୍ତ କରିଦେଲା ପୁରୀ ଜିଲ୍ଲା ଓ ରାଜଧାନୀ ଭୁବନେଶ୍ବରକୁ। ଏମିତି କ୍ଷତ ସୃଷ୍ଟି କରିଦେଲା ଯେ ନିଶ୍ଚିହ୍ନ ହୋଇଗଲା ପୁରୀ ବାଲୁଖଣ୍ଡ ଅଭୟାରଣ୍ୟ। ବିପର୍ଯ୍ୟୟ ମୁହଁକୁ ଠେଲି ହୋଇଗଲା ପୁରୀ ଜିଲ୍ଲାର ନଡିଆ ଚାଷ। ପର୍ଯ୍ୟଟନ ଶିଳ୍ପକୁ କାହିଁ କେତେ ବର୍ଷ ପଛକୁ େନଇଗଲା। ଲକ୍ଷ ଲକ୍ଷ ଲୋକ ବେଘର ହେଲେ। ବେଉସା ହରାଇଲେ। ଅନୁନ୍ନତ ଜିଲ୍ଲା ନୁହେଁ, ପୁରୀ, ଭୁବନେଶ୍ବରର ଭିତ୍ତିଭୂମି ନିର୍ମାଣର ଦୁର୍ବଳତା ସାମ୍ନାକୁ ଆଣିଲା। ମହାବାତ୍ୟା ପରେ ଉପକୂଳ ଲୋକେ ପୁଣି ସାକ୍ଷୀ ରହିଲେ ସାମୁଦ୍ରିକ ବାତ୍ୟା କେତେ ଭୀଷଣ ହୋଇପାରେ। ମେ’ ମାସ ୩ ତାରିଖର ଏହି କ୍ଷତ ଲିଭାଇବାକୁ ରାଜ୍ୟ-କେନ୍ଦ୍ର ହାତ ମିଳାଇଛନ୍ତି। କେନ୍ଦ୍ର ସରକାର ଓଡ଼ିଶା ଇତିହାସରେ ସବୁଠାରୁ ଅଧିକ ସହାୟତା ଢାଳିଛନ୍ତି ରାଜ୍ୟ ପାଣ୍ଠିରେ। ହେଲେ, ଦୁର୍ନୀତିଗ୍ରସ୍ତ ବାବୁ, ରାଜନେତାଙ୍କ ସଲାକୁସ୍ତି ‘ଫନି’ ବିପର୍ଯ୍ୟୟ ପରର ଯନ୍ତ୍ରଣା ବଢାଇ ଦେଇଛି। ଏବେ ବି ଘର ମୁକୁଳା ପଡିଛି, ସରକାରଙ୍କ ସହାୟତାର ହାତ ସେଯାଏ ପହଞ୍ଚିପାରିନାହିଁ।

ଏ ଦୁଃଖ ସରିନଥିଲା, ଆଉ ଏକ ବାତ୍ୟା ବୁଲବୁଲ୍ ଓଡ଼ିଶା ସୀମାରେ ଘଷି ହୋଇ ଯାଇଥିଲା ପଶ୍ଚିମବଙ୍ଗ ଓ ବାଂଲାଦେଶକୁ। କେନ୍ଦ୍ରାପଡା, ଜଗତସିଂହପୁର, ଭଦ୍ରକ, ବାଲେଶ୍ବର ଉପକୂଳରୁ ରାମ୍ପି ବିଦାରି ପକାଇଲା। ଯନ୍ତ୍ରଣା କମିଲାଣି, ହେଲେ କ୍ଷତ ଶୁଖିନି।

ତରିକା ବଦଳିଲା
ଆଜି ଯାଏ ସେ ଶାସନ କରୁଥିଲେ। ଏବେ ବି କରୁଛନ୍ତି। କିନ୍ତୁ ଶାସନ କରିବାର ଦୃଷ୍ଟିଭଙ୍ଗୀ ବଦଳିଛି। ଆମେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କଥା କହୁଛୁ। ସରକାରର ଏହି ମାନସିକତା ପରିବର୍ତନ ସହିତ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରୁ ଜନ୍ମ ନେଇଛି ‘ମୋ ସରକାର’ କାର୍ଯ୍ୟକ୍ରମ। ଲୋକଙ୍କ ପାଖରେ ବ୍ୟବସ୍ଥାକୁ ଉତ୍ତରଦାୟୀ କରିବାପାଇଁ ଗାନ୍ଧୀ ଜୟନ୍ତୀରୁ ଥାନା ଓ ହସ୍ପିଟାଲ୍‌କୁ ‘ମୋ ସରକାର’ କାର୍ଯ୍ୟକ୍ରମରେ ସାମିଲ କରାଗଲା। ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଥାନାକୁ ଆସୁଥିବା ଅଭିଯୋଗକାରୀଙ୍କୁ ସିଧାସଳଖ ଫୋନ୍ କରି ଭଲମନ୍ଦ ବୁଝିଥିଲେ। ପର୍ଯ୍ୟାୟକ୍ରମେ ବିଭିନ୍ନ ବିଭାଗକୁ ‘ମୋ ସରକାର’ରେ ସାମିଲ କରାଯାଉଛି। ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନଙ୍କ ଫୋନ୍ ଯେ କୌଣସି ସମୟରେ ଅଭିଯୋଗକାରୀଙ୍କ ପାଖକୁ ଯାଉଛି। ସରକାରୀ ବାବୁମାନଙ୍କ ପଦୋନ୍ନତିକୁ ‘ମୋ ସରକାର’ ସହ ଯୋଡ଼ି ଦିଆଯାଇଛି। ପ୍ରଶାସନରେ ଡର ପଶିଛି, କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। କିନ୍ତୁ ଲୋକଙ୍କ ନଜର ରହିଛି ପ୍ରଶାସନିକ ଛତ୍ରଛାୟା ତଳେ ଥିବା ଦୁର୍ନୀତିଗ୍ରସ୍ତଙ୍କ ଉପରେ। କେବେ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେଉଛି ନା ଅନ୍ୟ ଯୋଜନା ଭଳି ଏହି ଯୋଜନା ବି କିଛି ଦିନ ପରେ ମିଳେଇଯିବ, ଏ ସଂଶୟ ଏଯାଏ ଦୂର ହୋଇପାରିନାହିଁ।

କେନ୍ଦ୍ର-ରାଜ୍ୟ ସମ୍ପର୍କ
କେନ୍ଦ୍ର-ରାଜ୍ୟ ସମ୍ପର୍କ ବର୍ଷତମାମ ଚର୍ଚ୍ଚାରେ ରହିଲା। ନିର୍ବାଚନ ପୂର୍ବରୁ ଗୋଟିଏ ପ୍ରକାର ଓ ନିର୍ବାଚନ ପରେ ଅନ୍ୟ ପ୍ରକାର। ବର୍ଷର ପ୍ରଥମାର୍ଦ୍ଧରେ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଅହି-ନକୁଳ ସମ୍ପର୍କ ଥିଲା। ପ୍ରତିଟି କଥାରେ ପରସ୍ପର ବିରୋଧରେ ଆରୋପ ପ୍ରତ୍ୟାରୋପ ଚାଲିଥିଲା। ଏମିତି ସମ୍ପର୍କ ତିକ୍ତ ଥିଲା ଯେ ଶତ୍ରୁତା ସୀମା ଲଂଘନ କଲା। ବିଭିନ୍ନ କ୍ଷେତ୍ରରେ କେନ୍ଦ୍ରୀୟ ଯୋଜନାକୁ ରାଜ୍ୟ ରୋକ୍‌ଠୋକ୍ ପ୍ରତ୍ୟାଖ୍ୟାନ କଲା। ରାଜ୍ୟର ବିଭିନ୍ନ ଦାବିକୁ ବିଭିନ୍ନ ଆଳ ଦେଖାଇ କେନ୍ଦ୍ର ବି କାଟିଲା। କିନ୍ତୁ ନିର୍ବାଚନ ପରେ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଲା। ପରସ୍ପରର ନିକଟତର ହୋଇଗଲେ କେନ୍ଦ୍ର-ରାଜ୍ୟ। କେହି କାହାକୁ ବିରୋଧ କରିବା ମୁଡ୍‌ରେ ଆଉ ନାହାନ୍ତି। ସମ୍ପର୍କ ଏମିତି ଭଲ ହୋଇଗଲା ଯେ ମହାନଦୀ, ପୋଲାଭରମ୍ ପରି ଓଡ଼ିଶାର ସ୍ବାର୍ଥ ସମ୍ବଳିତ ପ୍ରସଙ୍ଗ ଅପ୍ରାସଙ୍ଗିକ ହୋଇଗଲା। ବିଜେଡି ରାଜ୍ୟସଭାର ଗୋଟିଏ ଆସନ ବିଜେପିକୁ ଦେଇଦେଲା। ସଂସଦରେ ବିଭିନ୍ନ ପ୍ରସଙ୍ଗରେ ବିଜେଡି ଅଯାଚିତ ସମର୍ଥନ ଦେଲା। ‌ପିଏମ୍‌ କିଷାନ ଓ ଆୟୁଷ୍ମାନ ଭାରତ ପରି ଯୋଜନାକୁ ଏବେ ରାଜ୍ୟରେ ଭିନ୍ନ ଢଙ୍ଗରେ ଲାଗୁ କରିବାକୁ ସରକାର ଅଣ୍ଟା ଭିଡ଼ିଲେଣି। ଏ ନେଇ ଉଭୟ ଦଳ ସମାଲୋଚିତ ହେଉଛନ୍ତି ସତ। କିନ୍ତୁ ସମ୍ପର୍କ ଧୀରେ ଧୀରେ ଦୃଢ଼ ହେବାରେ ଲାଗିଛି।

ସମ୍ବନ୍ଧିତ ଖବର