ପୁରୀ/ଅସ୍ତରଙ୍ଗ : ଭୀଷଣ ସାମୁଦ୍ରିକ ଘୂର୍ଣ୍ଣିବାତ୍ୟା 'ଫନି'କୁ ନେଇ ଲୋକଙ୍କ କ୍ଷତ ଆଜି ବି ତାଜା ରହିଛି। ଚାଷ ଯାଇଛି, ଘର ଠିଆ ହୋଇନାହିଁ। ବିପର୍ଯ୍ୟୟ ଅର୍ଥ କେନ୍ଦ୍ର ଦେଇସାରିଲେଣି, ଅଥଚ ଲୋକଙ୍କ ପର୍ଯ୍ୟନ୍ତ ପହଞ୍ଚିପାରୁନାହିଁ। ଏଯାଏ ସରକାର ଘୋଷଣା କରିଥିବା କ୍ଷତିପୂରଣ ଲୋକେ ପାଇନାହାନ୍ତି। ଏହାକୁ ନେଇ ଗାଁ ଗାଁରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ମିଥ୍ୟା ପ୍ରତିଶ୍ରୁତି ଦେଇଥିବା ଶାସକ ଦଳକୁ ଗାଳି ଦେଉଛନ୍ତି, ପ୍ରଶାସନକୁ ବି। କାରଣ ଲୋକଙ୍କ ଦୁର୍ଦଶାକୁ ପଛକୁ ଠେଲିଦେଇ ବିପର୍ଯ୍ୟୟ ସମୟରେ ଆସିଥିବା ଅର୍ଥକୁ ଗିଳିଦେବା ପାଇଁ କେବଳ ଉଦ୍ୟମ ହୋଇଛି ତା ନୁହେଁ, ବିପର୍ଯ୍ୟୟ ପରେ ମିଳିଥିବା ଅର୍ଥର ସ୍ଥିତି ବି ସମାନ। ଫନିକୁ ନେଇ ଗୋଟିଏ ପରେ ଗୋଟିଏ ଦୁର୍ନୀତିର ଗୁମର ଖୋଲିବା ଆରମ୍ଭ ହେଲାଣି। ପୁରୀ ଜିଲ୍ଲାରେ ଘରଭଂଗା ସହାୟତାରେ ହୋଇଥିବା ଅନିୟମିତତା ପଦାକୁ ଆସିବା ପରେ ଏବେ ଫନି ଦୁର୍ନୀତିର ଆଉ ଏକ ଫର୍ଦ ଉନ୍ମୋଚିତ ହୋଇଛି।

Advertisment

ବିପର୍ଯ୍ୟୟ ବେଳେ ଖର୍ଚ୍ଚ ହେଉଥିବା ଜରୁରୀ ପାଣ୍ଠିର ଅଡିଟ ବ୍ୟବସ୍ଥା ନଥିବାରୁ ଏହି ସୁଯୋଗରେ ଅଧିକାରୀମାନେ ମନଇଚ୍ଛା ଏ ବାବଦ ଅର୍ଥକୁ ଆତ୍ମସାତ କରିବାକୁ ଉଦ୍ୟମ କରିଛନ୍ତି। ଫନିରେ ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳକୁ ସ୍ଥାନାନ୍ତର ହୋଇଥିବା ବିପନ୍ନମାନଙ୍କୁ ରନ୍ଧା ଖାଦ୍ୟ ବଣ୍ଟନରେ କୋଟି କୋଟି ଟଙ୍କା ଲୁଟ ହୋଇଥିବା ଅଭିଯୋଗ ହୋଇଛି। ଦିନେ ଦୁଇ ଦିନ ପାଇଁ ରନ୍ଧା ଖାଦ୍ୟ ଦେଇ ୮ ଦିନ ଓ ୧୦ ଦିନର ବିଲ୍ କରାଯାଇଛି। ତିନି ଶହ ଲୋକ ରହିବାର ସାମର୍ଥ୍ୟ ନଥିବା‌ ବାତ୍ୟା ଆଶ୍ରୟସ୍ଥଳରେ ଓ ଶୂନ୍ୟରୁ ଲୋକଙ୍କୁ ଟାଣିଆଣି ସେମାନଙ୍କ ନାମରେ ରନ୍ଧା ଖାଦ୍ୟ ଦେବା ନାମରେ ଅର୍ଥ ଲୁଟ୍ କରାଯାଇଛି। ବାତ୍ୟାରେ ସବୁଠାରୁ କମ୍ ପ୍ରଭାବିତ ହୋଇଥିଲା ଅସ୍ତରଙ୍ଗ ବ୍ଲକ। ସେଠାରେ ୮ ଦିନ ରନ୍ଧା ଖାଦ୍ୟ ବଣ୍ଟନ କରାଯାଇ ୬୮ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଥିବା ଦର୍ଶାଯାଇଛି। ଏହି ତଥ୍ୟ ସମ୍ବାଦରେ ପ୍ରକାଶ ପରେ ଏବେ ଜିଲ୍ଲାର ଅନ୍ୟ ବ୍ଲକରେ ମଧ୍ୟ ଏଭଳି ଚଞ୍ଚକତା କରାଯାଇଥିବା ଅଭିଯୋଗ ଆସିଲାଣି। ବିଶ୍ବସ୍ତ ସୂତ୍ରରୁ ମିଳୁଥିବା ତଥ୍ୟ ମୁତାବକ, ଜିଲ୍ଲାରେ ରନ୍ଧା ଖାଦ୍ୟ ବଣ୍ଟନରେ ୧୧ବ୍ଲକ ଓ ୪ ସହରାଞ୍ଚଳରେ ପ୍ରାୟ ୨୦ କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ କରାଯାଇଥିବା ଜଣାପଡିଛି। ଜିଲ୍ଲାରେ ୩ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯାଇ ୮ରୁ ୧୫ ଦିନ ଧରି ରନ୍ଧା ଖାଦ୍ୟ ଦିଆଯାଉଥିବାର ହିସାବ ନଜରକୁ ଆସିଛି।

ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ ଅନୁସାରେ ଅସ୍ତରଙ୍ଗରେ ଦୁଇ ଦିନ ରନ୍ଧା ଖାଦ୍ୟ ଦିଆଯାଇନଥିବା ବେଳେ ବିଲ୍‌ରେ ୮ ଦିନ ଦର୍ଶାଯାଇଛି। ପୁରୀ ଜିଲ୍ଲାର ସବୁଠୁ କମ ପ୍ରଭାବିତ ବ୍ଲକ ଅସ୍ତରଙ୍ଗ ବ୍ଳକ୍‌ରେ ସ୍ଥାନାନ୍ତର ହୋଇଥିବା ୧୫ହଜାର ୨୦୮ ଜଣ ବିପନ୍ନଙ୍କୁ ରନ୍ଧା ଖାଦ୍ୟ ଦେବାରେ ୬୮ଲକ୍ଷ ୬ ହଜାର ୪ଶହ ଟଙ୍କା ଖର୍ଚ୍ଚ ହେବା ଘଟଣା ସ୍ଥାନୀୟ ଲୋକଙ୍କୁ ବି ଆଚମ୍ବିତ କରୁଛି।

ଏ ପ୍ରକାର ହିସାବ ଏବେ ସାମ୍ନାକୁ ଆସିବା ପରେ ଜିଲ୍ଲା ନିମାପଡା ବ୍ଲକରେ ମଧ୍ୟ ଏହାର ଖୋଳତାଡ଼ ଆରମ୍ଭ ହୋଇଛି। ବ୍ରହ୍ମଗିରି, କୃ୍ଷ୍ଣପ୍ରସାଦ ଓ ବ୍ରହ୍ମଗିରିରେ ସଚେତନ ନାଗରିକ ସୂଚନା ଅଧିକାର ଆଇନରେ ଏ ନେଇ ତଥ୍ୟ ମାଗିଛନ୍ତି। ପୁରୀ ସହର, ସଦରରେ ମଧ୍ୟ ସମାନ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି।

ଉଲ୍ଲେଖଯୋଗ୍ୟ ଯେ ଫନି ଘରଭଂଗା ସହାୟତା ପ୍ରଦାନ ଘଟଣା ଏବେ ଦାଣ୍ଡରେ ପଡି ହାଟରେ ଗଡୁଛି। ବ୍ରହ୍ମଗିରି, କୃଷ୍ଣପ୍ରସାଦ, ସତ୍ୟବାଦୀ, କଣାସ, ନିମାପଡାରେ କାଗଜପତ୍ରରେ ଘର ଭାଙ୍ଗି ଟଙ୍କା ନେଇଛନ୍ତି। ଏଥିରେ ବ୍ଲକ ଅଧ୍ୟକ୍ଷଙ୍କ ଠାରୁ ଆରମ୍ଭ କରି ଥିଲାବାଲାଙ୍କ ପର୍ଯ୍ୟନ୍ତ ସମସ୍ତେ ସ୍ଥାନ ପାଇଛନ୍ତି। ଏହି ପ୍ରସଙ୍ଗଟି ଏବେ ଗମ୍ଭୀର ରୂପ ଧାରଣ କରିବାକୁ ଯାଉଛି। କାରଣ ଥିଲାବାଲା ବା ରାଜନେତା ସରକାରୀ ଅର୍ଥ ସିନା ଲୁଟ୍ କରିଦେଇଛନ୍ତି, ଏବେ ବି ଗାଁ ଗଣ୍ଡାରେ କ୍ଷତିଗ୍ରସ୍ତ ଲୋକ ସରକାରଙ୍କ ଟଙ୍କାକୁ ଅପେକ୍ଷା କରି ରହିଛନ୍ତି। ଲୋକ ପ୍ରତିନିଧି ଓ ଜିଲ୍ଲା ପ୍ରଶାସନ ମଧ୍ୟରେ ଟକରାଟକରି ସ୍ଥିତି ସୃଷ୍ଟି ହୋଇଥିବା ପରିପ୍ରେକ୍ଷୀରେ ପ୍ରକୃତ ହିତାଧିକାରୀଙ୍କ ସ୍ଥିତି ବେହାଲ। ଏହା ପୂର୍ବରୁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ଗାଁ ଗଣ୍ଡାରେ ଯେଉଁ ଚାରା ଯୋଗାଣ ହୋଇଥିଲା, ସେଥିରେ ବି କେଳେଙ୍କାରୀ ଅଭିଯୋଗ ଉଠିଥିଲା।