ସାଲେପୁର ଫନି କେଳେଙ୍କାରୀ : ତଦନ୍ତ ପାଇଁ ଯାଇ ଅଧିକାରୀ ହଟହଟା, ସହାୟତା ପାଇଁ ଲୋକଙ୍କ ଜିଦ୍‌

କଟକ : ସାଲେପୁର ବ୍ଲକ୍‌ର କଟରପା ପଞ୍ଚାୟତରେ ‘ଫନି ସହାୟତା ପ୍ରଦାନରେ ହୋଇଥିବା କେଳେଙ୍କାରୀ ଅଭିଯୋଗର ତଦନ୍ତ ପାଇଁ ଯାଇ ଦୁଇ ଅଧିକାରୀ ହଟହଟା ହୋଇ ଫେରିଛନ୍ତି। ଗୋଟିଏ ଦୁଇଟି ଘର ବୁଲି ତଦନ୍ତ ଆରମ୍ଭ କରିବା ମାତ୍ରେ ସେଠାରେ ଲୋକଙ୍କ ବିରୋଧର ସମ୍ମୁଖୀନ ହୋଇଛନ୍ତି। ଲୋକଙ୍କ କହିବା କଥା ହେଲା ସେମାନେ ସମସ୍ତେ ‘ଫନିରେ କ୍ଷତିଗ୍ରସ୍ତ ହୋଇଛନ୍ତି। ସହାୟତା ପାଇ ନାହାନ୍ତି। ତେଣୁ ସମସ୍ତଙ୍କୁ ସହାୟତା ମିଳୁ। ଏପଟେ ଅଧିକାରୀମାନେ କହିଛନ୍ତି ଯେ କେବଳ ଅଭିଯୋଗ ଅନୁସାରେ ସେମାନେ ତଦନ୍ତ କରିବେ। ଯେଉଁମାନେ କ୍ଷତିଗ୍ରସ୍ତ ନହୋଇ ‘ଫନି ଟଙ୍କା ହାତେଇଛନ୍ତି ସେମାନଙ୍କର ତଦନ୍ତ ହେବ। କିନ୍ତୁ ଏକଥାକୁ ନ ବୁଝି ଗ୍ରାମବାସୀ ପ୍ରତିବାଦ କରିଥିଲେ। ଏପରିକି ଅଧିକାରୀଙ୍କ ଗାଡି ସମ୍ମୁଖରେ ଜଣେ ବୃଦ୍ଧା ବସି ରହିଥିଲେ। ଖବରପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ସହ ଦୁଇ ଅଧିକା‌ରୀଙ୍କୁ ଫାଣ୍ଡିକୁ ନେଇ ଆସିଥିଲେ। ଏଭଳି ସ୍ଥିତିରେ ‌ଅଧା ତଦନ୍ତ କରି ଫେରି ଯାଇଥିଲେ ଦୁଇ ଅଧିକାରୀ।

ସାଲେପୁର ବ୍ଲକ୍‌ କଟରପା ପଂଚାୟତରେ କେଉଁଠି ସ୍ବାମୀକୁ ସଂପୂର୍ଣ୍ଣ ଘରଭଙ୍ଗା ସହାୟତା ମିଳିଥିବା ବେଳେ ସ୍ତ୍ରୀକୁ ମିଳିଛି ଆଂଶିକ ସହାୟତା। କେଉଁଠି ସ୍ତ୍ରୀକୁ ସଂପୂର୍ଣ୍ଣ ଘର ଭଙ୍ଗା ସହାୟତା ମିଳିଥିବା ବେଳେ ସ୍ବାମୀକୁ ମିଳିଛି ଆଂଶିକ କ୍ଷତିପୂରଣ ରାଶି। ଜଣେ ହିତାଧିକାରୀ ଦୁଇ ଦୁଇ ଥର ସହାୟତା ପାଇଥିବା ବେଳେ ଗୋଟିଏ ପରିବାରର ପୁଅ, ବୋହୂ, ଶାଶୂ, ଶ୍ବଶୁର ଓ ୩ଜଣ ମୃତ ବ୍ୟକ୍ତିଙ୍କ ନାମ ମଧ୍ୟ ରହିଛି କ୍ଷତିଗ୍ରସ୍ତ ତାଲିକାରେ। ଏ ସଂପର୍କରେ ‘ସମ୍ବାଦ’ରେ ଗତ ୬ତାରିଖ ଦିନ ଖବର ପ୍ରକାଶ ପାଇବା ପରେ ଏନେଇ ଖୋଳତାଡ ଆରମ୍ଭ ହୋଇଥିଲା। ପ୍ରଥମେ ଘଟଣାର ତଦନ୍ତ ପାଇଁ ସାଲେପୁର ତହସିଲଦାରଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। କିନ୍ତୁ ନିଜ ବିଭାଗର ତଦନ୍ତ ନିଜେ କିପରି ତହସିଲଦାର କରିବେ, ତାହାକୁ ନେଇ ପ୍ରଶ୍ନ ଉଠିବା ପରେ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।

ଆଜି ଆଠଗଡର ଡେପୁଟୀ କଲେକ୍ଟର ଶିବାଶିଷ ପରିଡା, ଡମପଡାର ଅତିରିକ୍ତ ତହସିଲଦାର ଚିନ୍ତାମଣି ସିଂ ସାଲେପୁରର କଟରପା ପଂଚାୟତରେ ପହଞ୍ଚି ଥିଲେ। ଦୁଇ, ତିନୋଟି ଅଭିଯୋଗର ଯାଂଚ କରିବା ପରେ ଆରମ୍ଭ ହୋଇଥିଲା ଉତ୍ତେଜନା। ‘ଫନି ବାତ୍ୟାରେ କ୍ଷତିଗ୍ରସ୍ତ ହୋଇଥିଲେ ବି ସେମାନଙ୍କ ନାମ କ୍ଷତିଗ୍ରସ୍ତ ତାଲିକାରେ ନଥିବାରୁ ହିତାଧିକାରୀମାନେ ସେମାନଙ୍କ ଘର ଯାଂଚ କରାଯାଉ ବୋଲି ଦାବି କରିଥିଲେ। ଯାହାକୁ ନେଇ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା। ଅନ୍ୟପଟେ ଆସନ୍ତାକାଲି ପୁଣି ତଦନ୍ତ ପାଇଁ ଅଧିକାରୀମାନେ ଆସିବେ ବୋଲି ଜଣାପଡିଛି।

ସୂଚନାଯୋଗ୍ୟ ଯେ ୩ବର୍ଷ ତଳୁ ମୃତ୍ୟୁ ବରଣ କରିଥିବା ଜଣେ ହିତାଧିକାରୀଙ୍କ ନାମ ମଧ୍ୟ ତାଲିକାରେ ରହିଥିଲା। ଯାହାକୁ ନେଇ ମୃତକଙ୍କ ସ୍ତ୍ରୀ ମଧ୍ୟ ଆପତ୍ତି ଉଠାଇଥିଲେ। ଏହି କେଳେଙ୍କାରୀକୁ ନେଇ ବିଜେପି ପକ୍ଷରୁ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟରେ ଧାରଣା ତଥା ଅନଶନ ହେବ ବୋଲି ମାହାଙ୍ଗା ବିଜେପି ଯୁବନେତା ସାରଦା ପ୍ରଧାନ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର