ଚାଷୀ ମୁଣ୍ଡରେ ଚଡ଼କ : ସାତସପନ ପାଲଟିବ ସାକ୍ଷୀଗୋପାଳର ନଡ଼ିଆ, ପାଣିରେ ଲୋଟିଛି ଧାନ, ବିରି, ମୁଗ, କଦଳୀ

(ସାକ୍ଷୀଗୋପାଳରୁ କେଶବ ପାଣିଙ୍କ ରିପୋର୍ଟ), ରାଜ୍ୟବାସୀଙ୍କ ଲାଗି ସାତସପନ ହେବାକୁ ଯାଉଛି ସାକ୍ଷୀଗୋପାଳର ନଡ଼ିଆ। ୧୯୯୯ ମହାବାତ୍ୟାରେ ପୁରୀ ଜିଲ୍ଲା ସାକ୍ଷୀଗୋପାଳର ହଜାର ହଜାର ନଡ଼ିଆ ଗଛ ମାଟିରେ ଲୋଟିଥିଲା। ଆଉ ଯାହା କିଛି ବଞ୍ଚି ଯାଇଥିଲା ତାହା ‘ଫନି’ ମାଡ଼ରେ ଧରାଶାୟୀ ହୋଇପଡ଼ିଛି। କେଉଁଠି ନଡ଼ିଆ ଗଛ ମୂଳରୁ ଉପୁଡ଼ି ପଡ଼ିଛି ତ ଆଉ କେଉଁଠି ଅଧାରୁ ଭାଙ୍ଗିପଡ଼ିଛି। ଏହାରି ଭିତରେ ଭୁବନେଶ୍ବର-ପୁରୀ ରାସ୍ତାର ବୀରପୁରୁଷୋତ୍ତମପୁର ନିକଟରେ ଏକ ଭିନ୍ନ ଦୃଶ୍ୟ ବି ଦେଖିବାକୁ ମିଳୁଛି। ନଡ଼ିଆ ଗଛ ଗଣ୍ଡିର କୌଣସି କ୍ଷତି ହୋଇନି। ତେବେ ପ୍ରାୟ ୨୦୦ ନଡ଼ିଆ ଗଛର ଶୀର୍ଷ ଅଂଶ ନାହିଁ। ପତ୍ରଠାରୁ ଆରମ୍ଭ କରି ବାଉଁଙ୍ଗା, ନଡ଼ିଆ, ଗୋଟମା ସବୁ କିଛି ତଳେ ପଡ଼ିଯାଇଛି।

ପୁରୀ ଜିଲ୍ଲା କଣାସ ଓ ସତ୍ୟବାଦୀ ବ୍ଲକରୁ ଗ୍ରାଉଣ୍ଡ ଜିରୋ ଅନୁଧ୍ୟାନ କରିବା ସମୟରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ପାଇଥିଲା ‘ସମ୍ବାଦ’ ଟିମ୍‌। ବାତ୍ୟାରେ ସତ୍ୟବାଦୀ ଓ ସାକ୍ଷୀଗୋପାଳରେ କେତେ ନଡ଼ିଆ ଗଛ ଭାଙ୍ଗିଛି ତାହା ଏବେ ସୁଦ୍ଧା ଆକଳନ କରାଯାଇ ନାହିଁ। ନଡ଼ିଆ ପାଇଁ ଖ୍ୟାତି ଅର୍ଜନ କରିଥିବା ଏହି ଦୁଇ ବ୍ଲକର ଲୋକେ ଆଜି ନିଜ ଉଜୁଡ଼ା ସଂସାର ସଜାଡ଼ିବାରେ ଲାଗିପଡ଼ିଛନ୍ତି। ଭଙ୍ଗା ନଡ଼ିଆ ଗଛ କାଟିବା ତ ଦୂରର କଥା, ପଡ଼ିରହିଥିବା ନଡ଼ିଆ ଗୋଟାଇବାକୁ କେହି ଯାଉନାହାନ୍ତି। ସେମିତି ଏଣେତେଣେ ପଡ଼ିରହିଛି ନଡ଼ିଆ, ପଇଡ଼।

କେବଳ ନଡ଼ିଆ ନୁହେଁ, ବାତ୍ୟା ଭାଙ୍ଗିଦେଇଛି ଚାଷୀର ମେରୁଦଣ୍ଡ। ବର୍ଷ ଯାକର ପରିଶ୍ରମ ମାଟିରେ ମିଶିଯାଇଛି। ଧାନ, କଦଳୀ, ମୁଗ, ବିରି, ଆଖୁ ସବୁ କିଛି ମାଟିରେ ଲୋଟିପଡ଼ି‌ଛି। ଯାହାକୁ ‌ନେଇ ଚାଷୀ ବର୍ଷ ସାରା ଚଳିବ ବୋଲି ଆଶା ବାନ୍ଧିଥିଲା ତାହା ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଜମିକୁ ଚାହିଁପାରୁନି ଚାଷୀ। ପିପିଲି, ଡେଲାଙ୍ଗ, କଣାସ, ସତ୍ୟବାଦୀ ବ୍ଲକର ଯୁଆଡ଼େ ଚାହିଁଲେ ପାଣିରେ ଭାସୁଛି ଧାନଗଛ। କେଉଁଠି କଟାଯାଇଥିବା ପାଚିଲା ଧାନ ଜମିରେ ପଡ଼ିରହିଛି ତ ଆଉ କେଉଁଠି ଆଣ୍ଠୁଏ ପାଣିରେ ଛିଡ଼ା‌ ହୋଇଛି। କେତେକ ସ୍ଥାନରେ ଛିଡ଼ା ହୋଇଥିବା ଧାନ ଗଛରେ ଧାନ ନାହିଁ। କଣାସ ବ୍ଲକର ଅଣ୍ଡାରସିଂହପୁରଠାରେ ଯେଉଁ ଚିତ୍ର ଦେଖିବାକୁ ମିଳିଲା ତାହା କେହି ବି ବିଶ୍ବାସ କରିପାରିବେ ନାହିଁ। ଏହି ଗାଁରେ ଲୋକଙ୍କ ଘର ତ ମାଟିରେ ମିଶିଯାଇଛି। ତେବେ ଘରକୁ ଲାଗି ବାଡ଼ିରେ ଜମା ହୋଇଥିବା ଧାନ ବିଡ଼ା ନଷ୍ଟ ହୋଇଯାଇଛି। ଧାନ ଗଦା ଅଣ୍ଟାଏ ପାଣିରେ ବୁଡ଼ି ରହିଛି। ଯାହାକୁ ଅମଳ କରିବା କୌଣସି ପ୍ରକାରେ ସମ୍ଭବ ନୁହେଁ। ସେହିପରି ଏହି ଅଞ୍ଚଳର ବି‌ଜିପୁର, ଜଗନ୍ନାଥପୁର, ନରୁଆପୁର, ଖଣ୍ଡାହାଟ, ନବଡ଼ା, କୋଟକଣା ଆଦି ଗାଁରେ ବି ସମାନ ଚିତ୍ର ଦେଖିବାକୁ ପାଇଥିଲୁ। କେତେକ ସ୍ଥାନରେ ଲୋକେ ଭିଜା ଧାନକୁ ଗାଁ ଦାଣ୍ଡରେ ଶୁଖାଉଥିବା ଦେଖିବାକୁ ମିଳିଥିଲା। କ୍ଷୟକ୍ଷତି ସମ୍ପର୍କରେ ପଚାରିବାରୁ ଚାଷୀମାନେ କାନ୍ଦିକାନ୍ଦି ସେମାନଙ୍କ ଝାଳବୁହା ସୁନାର ଫସଲ କଥା ବଖାଣିଥିଲେ।

ଏହି ଅଞ୍ଚଳରେ କଦଳୀ ଚାଷ ବି ଛା‌ରଖାର ହୋଇଛି। ସ୍ଥିତି ପରଖିବା ସମୟରେ ସତ୍ୟବାଦୀ ବ୍ଲକର ବିଭିନ୍ନ ଅଞ୍ଚଳରେ କଦଳୀ ଚାଷର ପ୍ରକୃତ ସ୍ଥିତି ଦେଖିବାକୁ ପାଇଥିଲୁ। ଶହ ଶହ କଦଳୀ କାନ୍ଦି ମାଟିରେ ଲୋଟି ପଡ଼ିଥିବାର ଦୃଶ୍ୟ ବାତ୍ୟାର ପ୍ରକୋପକୁ ବଖାଣୁଥିଲା। ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ଯେଉଁ ଚାଷୀ କଦଳୀ ଗଛ ଲଗାଇଥିଲା ସେ ଏବେ ମୁଣ୍ଡରେ ହାତ ‌ଦେଇ ବସିଛନ୍ତି। ନା କଦଳୀ କାନ୍ଦି କାଟିପାରୁଛନ୍ତି ନା ବିକ୍ରି କରି ହେଉଛି। ସେମିତି ପାଣିରେ ପଡ଼ିରହିଛି ଲକ୍ଷାଧିକ ଟଙ୍କାର କଦଳୀ। ମୁଗ ଓ ବିରି ଚାଷ କଥା ନ କହିବା ଭଲ। କେଉଁ ଜମିରେ ମୁଗ, ବିରି ଚାଷ ହୋଇଥିଲା ତାହା ଚିହ୍ନିବା ସମ୍ଭବ ହେଉ ନଥିବା ଚାଷୀମାନେ କହିଥିଲେ।

ଥୁଣ୍ଟା ନୂଆ ଜଗନ୍ନାଥ ସଡ଼କ

ଖୋର୍ଧା ଜିଲ୍ଲା ରାମେଶ୍ବରଠାରୁ ପୁରୀ ଜିଲ୍ଲା ଚନ୍ଦନପୁରକୁ ସଂଯୋଗ କରିଛି ନୂତନ ଜଗନ୍ନାଥ ସଡ଼କ। ଏହି ସଡ଼କର ଉଭୟ ପାର୍ଶ୍ବରେ ସବୁଜିମା ଭରା ଗଛ ସବୁବେଳେ ବାଟୋଇଙ୍କୁ କିଛି ସମୟ ଅଟକାଇ ଦେଉଥିଲା। ମୋବାଇଲ୍‌ର ସେଲ୍‌ଫି ନେବାକୁ ବାଧ୍ୟ କରୁଥିଲା। ତେବେ ବାତ୍ୟାରେ ସବୁ କିଛି ନଷ୍ଟ ହୋଇଯାଇଛି। ଏହି ରାସ୍ତାରେ ଆଉ ସବୁଜିମା ନାହିଁ। ରାସ୍ତାପାର୍ଶ୍ବରେ ଥିବା ୩୦ରୁ ୪୦ ବ‌ର୍ଷ ତ‌ଳର ବଡ଼ ବଡ଼ ଗଛ ଅଧାରୁ ଭାଙ୍ଗି ପଡ଼ିଛି। କେତେକ ଗଛ ଉପୁଡ଼ି ପଡ଼ିଛି। ଜଙ୍କିଆଠାରୁ ଚନ୍ଦନପୁର ପର୍ଯ୍ୟନ୍ତ ପ୍ରାୟ ୨୫ କିମି ନୂଆ ଜଗନ୍ନାଥ ସଡ଼କ ରାସ୍ତାରେ ସମାନ ଦୃଶ୍ୟ ଦେଖିବାକୁ ମିଳିଥିଲା। ଯେଉଁ ଗଛ ବାତ୍ୟା ମାଡ଼ରେ ଛିଡ଼ା ହୋଇଛି ତାହା ଆଗକୁ ବଞ୍ଚିବ କି ନାହିଁ ତାହା କହିବା ଅସମ୍ଭବ। କେବଳ ଗଛ ନୁହେଁ ରାସ୍ତାପାର୍ଶ୍ବ ଗାଁର ଚିତ୍ର ନ କହିବା ଭଲ। ଗାଁରେ ଚାଳ ଓ ଆଜବେଷ୍ଟସ୍‌ ଘରଗୁଡ଼ିକ ମାଟିରେ ମିଶିଯାଇଛି। ଶୁକଳ ଗାଁରେ ପହଞ୍ଚିଲା ବେଳକୁ ସେଠାରେ ଥିବା ବାତ୍ୟା ଆଶ୍ରୟସ୍ଥଳୀରେ ୩୦୦ରୁ ଅଧିକ ଲୋକ ଆଶ୍ରୟ ନେଇଥିଲେ। ସେମାନଙ୍କ ରହିବା ଓ ଖାଇବା ଲାଗି ସ୍ଥାନୀୟ ସରପଞ୍ଚ ବ୍ୟବସ୍ଥା କରିଥିବା ଲୋକେ କହିଥିଲେ। ସରପଞ୍ଚଙ୍କ ସ୍ବାମୀ ସେଠାରେ ଉପସ୍ଥିତ ରହି ସମସ୍ତ କାର୍ଯ୍ୟର ଦେଖାଶୁଣା କରୁଥିଲେ। ପ୍ରଶାସନ ପକ୍ଷରୁ ଲୋକଙ୍କ ଥଇଥାନ ଓ ରିଲିଫ୍‌ ଯୋଗାଣ କରିବାକୁ ସେ ଦାବି କରିଥିଲେ।

ସମ୍ବନ୍ଧିତ ଖବର