‘ଫନି’: କେଉଁ ବିଭାଗର କେତେ କ୍ଷତି

ଭୁବନେଶ୍ବର : ଫନି ବିପର୍ଯ୍ୟୟ ଜନିତ କ୍ଷୟକ୍ଷତି ଆକଳନ ଅନୁଯାୟୀ ସବାଧିକ କ୍ଷତି ସହିଛି ଶକ୍ତି ବିଭାଗ। ଓପିଟିସିଏଲ୍‌ ଅଧୀନ ୨୨୦ କେଭି/୧୩୨ କେଭି ଟାୱାର ଓ ଲାଇନ କ୍ଷତିଗ୍ରସ୍ତ ହେବା ଯୋଗୁଁ ୯୧ କୋଟି ଟଙ୍କାର କ୍ଷତି ହୋଇଛି। ୨୬ଟି ପାୱାର ଟ୍ରାନ୍ସଫର୍ମର ଭାଙ୍ଗିଯିବା ଫଳରେ ୧୭ କୋଟି ୭୭ ଳକ୍ଷ ୩୬ ହଜାର ଟଙ୍କାର କ୍ଷତି ହୋଇଥିବା ବେଳେ ୬୦୭୮ଟି ୧୧ କେଭି ଭାଙ୍ଗିପଡ଼ିବାରୁ କ୍ଷତି ହୋଇଛି ୫୩୫ କୋଟି ୬୫ ଲକ୍ଷ ଟଙ୍କା। ୧୨ ହଜାର ୪୨ଟି ଡିଷ୍ଟ୍ରବ୍ୟୁସନ୍‌ ‌ଟ୍ରାନ୍ସଫର୍ମର ୧୨୦ କୋଟି ୪୨ ଲକ୍ଷ, ୧୧ କେଭି ପର୍ଯ୍ୟନ୍ତ ୨ ଲକ୍ଷ ୨ ହଜାର ୬୯୦ଟି ବତୀଖୁଣ୍ଟ କ୍ଷତିଗ୍ରସ୍ତ ହେବା ଫଳରେ ୮୧ କୋଟି ୭ ଲକ୍ଷ ଟଙ୍କାର କ୍ଷତି ହୋଇଥିବା ବେଳେ ୩୩ କେଭି ପର୍ଯ୍ୟନ୍ତ ୧୬ ହଜାର ୭୧୫ଟି ଖୁଣ୍ଟ ଭାଙ୍ଗିପଡ଼ିବା ଯୋଗୁଁ ୬ କୋଟି ୬୮ ଲକ୍ଷ ଟଙ୍କାର କ୍ଷୟକ୍ଷତି ହୋଇଛି। ସେହିପରି ଭିସିବି, ଇନ୍‌ସୁଲେଟର, ସ୍ବିଚ୍‌, ବିଜୁଳି ପ୍ରତିରୋଧକ ସହିତ ଶ୍ରମ ବାବଦ କ୍ଷୟକ୍ଷତି ହୋଇଛି ପ୍ରାୟ ୨୮୨.୬୬ କୋଟି। ଏ ସମସ୍ତ ବାବଦରେ ଶକ୍ତି ବିଭାଗର ୧୧୫୯ କୋଟି ୭୭ ଲକ୍ଷ ୭ ହଜାର ଟଙ୍କାର କ୍ଷୟକ୍ଷତି ହୋଇଛି।

ପୂର୍ତ୍ତ ବିଭାଗର ଆକଳନ ଅନୁଯାୟୀ ମୋଟ କ୍ଷୟକ୍ଷତି ରାଶି ୮୬୮.୨୬ କୋଟି ଟଙ୍କା। ଏଥିମଧ୍ୟରେ କ୍ଷତିଗ୍ରସ୍ତ ୫୩୯୩.୩୫ କି.ମି. ବ୍ୟାପୀ ପିଡବ୍ଲ୍ୟୁଡି ରାସ୍ତା ବାବଦରେ ୨୫୯.୭୩ କୋଟି, ୩୭୭ଟି କଲ୍‌ଭର୍ଟ ବାବଦରେ ୨୨.୩୮ କୋଟି, ୧୧୬୧୨ଟି ଆବାସିକ ଗୃହ କ୍ଷୟକ୍ଷତି ବାବଦରେ ୩୧୫.୯୦ କୋଟି, ୧୮୦୧ଟି ଅଣ ଆବାସିକ ଗୃହ ନିମନ୍ତେ ୨୧୯.୭୦ କୋଟି, ଗଛ, ବିଜୁଳି ଖୁଣ୍ଟ ପଡ଼ି ଅବରୋଧ ହୋଇଥିବା ୫୮୩ଟି ରାସ୍ତାର ବାବଦରେ ୧୨.୨୩ କୋଟି ଟଙ୍କାର କ୍ଷୟକ୍ଷତି ହୋଇଛି।

ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର କ୍ଷୟକ୍ଷତି ଆକଳନ ବୟାନ କରୁଛି ଯେ ମୋଟ ୪୯୮.୨୨ କୋଟି ଟଙ୍କାର କ୍ଷତି ହୋଇଛି। ୭୫୦.୪୪ କି.ମି. ସହରାଞ୍ଚଳ ରାସ୍ତା ନଷ୍ଟ ହୋଇ ୧୬୨.୭୫ କୋଟି, ୨୯୧.୧୨୪ କି.ମି. ଡ୍ରେନ୍‌ ନଷ୍ଟ ହେବା ଦ୍ବାରା ୨୯.୬୪ କୋଟି, ୨୫୮ଟି ସହରାଞ୍ଚଳ ଜଳ ଯୋଗାଣ ପ୍ରକଳ୍ପ କ୍ଷତି ସହିବା ଯୋଗୁଁ ୯୮ କୋଟି, ଅନ୍ୟାନ୍ୟ ଭିତ୍ତିଭୂମି ବାବଦରେ ୧୩୬.୪୫ କୋଟି ଟଙ୍କାର କ୍ଷୟକ୍ଷତି ସହିଛି ବିଭାଗ। ଗ୍ରାମ୍ୟ ଉନ୍ନୟନ ବିଭାଗର କ୍ଷୟକ୍ଷତି ୪୩୫.୭୭ କୋଟି ଟଙ୍କା। ଏଥିମଧ୍ୟରୁ ୧୩୩୪ଟି ଶିକ୍ଷାନୁଷ୍ଠାନ ବାବଦରେ କ୍ଷତି ହୋଇଛି ୧୪୧.୫୦ କୋଟି, ଗ୍ରାମ୍ୟ ରାସ୍ତା ଓ ଅନ୍ୟାନ୍ୟ ବାବଦରେ ୨୦୭.୧୪ କୋଟି ଟଙ୍କାର କ୍ଷୟକ୍ଷତି ହୋଇଛି।

ପଞ୍ଚାୟତିରାଜ ବିଭାଗର ସମୁଦାୟ କ୍ଷୟକ୍ଷତି ପରିମାଣ ହେଉଛି ୪୭୫.୯୮ କୋଟି ଟଙ୍କା। ଏଥି ମଧ୍ୟରେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି ପ୍ରାଥମିକ ସ୍କୁଲଗୃହ। ୭୧୦୫ଟି ସ୍କୁଲଗୃହ ନଷ୍ଟ ହେବା ଯୋଗୁଁ ୩୮୦ କୋଟି ୯୩ ଲକ୍ଷ ଟଙ୍କା, ୨୩୯୭ଟି ଗ୍ରାମ ପଞ୍ଚାୟତ, ପଞ୍ଚାୟତ ସମିତି ଓ ଗୋଷ୍ଠୀ କେନ୍ଦ୍ର ଗୃହ ବରବାଦ ହୋଇ ସେ ବାବଦରେ କ୍ଷତି ହୋଇଛି ୬୯.୮୯ କୋଟି। ଏହାଛଡ଼ା କୃଷି ବିଭାଗର କ୍ଷୟକ୍ଷତି ୧୭୫.୬୯ କୋଟି, ଉଚ୍ଚଶିକ୍ଷା ବିଭାଗର ୨୯୬ କୋଟି, ସ୍ବାସ୍ଥ୍ୟ ବିଭାଗର ୧୬୩.୨୩ କୋଟି, ଜଙ୍ଗଲ ଓ ପରିବେଶ ବିଭାଗର ୫୩୭.୮୦ କୋଟି, ପର୍ଯ୍ୟଟନ ବିଭାଗର ୫୨୪.୦୨ କୋଟି, ଗୃହ ବିଭାଗର ୧୧୩.୭୬ କୋଟି, ଶିଳ୍ପ ବିଭାଗର ୧୫୨.୬୯ କୋଟି, ଜଳ ସମ୍ପଦ ବିଭାଗର ୩୭୦.୯୦ କୋଟି, ରାଜସ୍ବ ବିଭାଗର ୨୫୫.୯୪ କୋଟି ଟଙ୍କା ସହିତ ବିଭିନ୍ନ ବିଭାଗର କ୍ଷୟକ୍ଷତି ରାଶି ଆକଳନ କରାଯାଇଛି। କେବଳ ସେତିକି ନୁହେଁ, ୭୭୦ଟି ବହୁମୁଖୀ ବାତ୍ୟାଶ୍ରୟସ୍ଥଳ କ୍ଷତିଗ୍ରସ୍ତ ହେବା ଦ୍ବାରା ୫୦ କୋଟି ଟଙ୍କାର କ୍ଷତି ହୋଇଥିବା ବେଳେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଭାବିତ ହେବା ଫଳରେ ସେ ବାବଦରେ ୫ କୋଟି ୧୦ ଲକ୍ଷ ଟଙ୍କାର କ୍ଷୟକ୍ଷତି ହୋଇଛି। ସର୍ବସାଧାରଣ ସଂପତ୍ତି ବାବଦରେ ମୋଟ କ୍ଷୟକ୍ଷତି ରାଶି ହେଉଛି ୬୬୪୩ କୋଟି ୬୩ ଲକ୍ଷ ୪୧ ହଜାର ଟଙ୍କା।

ରିଲିଫ ବାବଦ ତଥ୍ୟ ବୟାନ କରୁଛି ଯେ ମୃତ ବ୍ୟକ୍ତିଙ୍କ ପାଇଁ ୨.୫୬ କୋଟି ପ୍ରଦାନ କରାଯାଇଛି। ଅସ୍ଥାୟୀ ବାସସ୍ଥାନ, ଆଶ୍ରୟ, ଲୁଗାପଟା, ବାସନ କୁସନ, ସ୍ଥାନାନ୍ତର ଓ ଅନ୍ୟାନ୍ୟ ବାବଦ ଖର୍ଚ(୨୫.୨୧ କୋଟି), ଜରୁରୀକାଳୀନ ଜଳଯୋଗାଣ, ପରିମଳ, ମରି ପଡ଼ିଥିବା ପଶୁପକ୍ଷୀଗୁଡ଼ିକର ଶବ ପରିଚାଳନା, କୃଷି ଉପକରଣ ରିହାତି, ମତ୍ସ୍ୟଜୀବୀଙ୍କୁ ସହାୟତା, ୧୪୮୦ କୋଟି ୮୩ ଲକ୍ଷ ଟଙ୍କାର ଘରଭଙ୍ଗା ସହାୟତା ଆଦି ନିମନ୍ତେ ମୋଟ ୨୬୯୨.୬୩ କୋଟି ଟଙ୍କା ବ୍ୟୟ ଅଟକଳ କରିଛନ୍ତି ରାଜ୍ୟ ସରକାର। ଉଭୟ ସର୍ବସାଧାରଣ ସମ୍ପତି ନଷ୍ଟ ଓ ରିଲିଫ ସହାୟତା ମିଶାଇ ମୋଟ ୯୩୩୬ କୋଟି ୨୭ ଲକ୍ଷ ୨୩ ହଜାର ଟଙ୍କାର କ୍ଷୟକ୍ଷତି ଅକଳନ କରାଯାଇଛି।

ସମ୍ବନ୍ଧିତ ଖବର