ବାତ୍ୟା ଛଡ଼ାଇନେଲା ରୋଜଗାର, ଚିନ୍ତାରେ ଚାଷୀ

ପୁରୀ : ପ୍ରଳୟଙ୍କରୀ ବାତ୍ୟା ‘ଫନି’ର ୪ ମାସ ପରେ ବି ୭୦ ପ୍ରତିଶତ ବିପନ୍ନଙ୍କୁ ମିଳିନି ସରକାରୀ ସହାୟତା। ବାତ୍ୟାରେ କାହାର ଦୋକାନ ଘର ଭାଙ୍ଗି ଯାଇଛି ତ କାହାର ଚାଷବାସ ପୁଣି କାହାର ନଡ଼ିଆ, ଆମ୍ବ ବଗିଚା। ସବୁଠୁ ବେଶି କ୍ଷତିଗ୍ରସ୍ତ ହୋଇଛନ୍ତି ମଧ୍ୟବିତ୍ତ ଓ ନିମ୍ନବିତ୍ତ ପରିବାର। ଉଜୁଡ଼ା ବାଡ଼ିବଗିଚା ଏବଂ ଫଳନ୍ତି ଗଛକୁ ହରାଇ ଲୋକେ ଏବେ ବି ମୁଣ୍ଡରେ ହାତ ଦେଇ ବସିଛନ୍ତି। କାରଣ ନଡ଼ିଆ, ଆମ୍ବ ଭଳି ଫଳନ୍ତି ବଗିଚା ସୃଷ୍ଟି ହେଲା ବେଳକୁ ଅତି କମ୍‌ରେ ୧୦ ବର୍ଷ ଲାଗିଯିବ। ତଥାପି ହାଇବ୍ରିଡ୍‌ ଜାତୀୟ ଗଛ ଲଗାଇ ପୁଣି ଥରେ ବାଡ଼ିବଗିଚାର ସବୁଜିମା ଫେରାଇ ଆଣିବାକୁ ଲକ୍ଷ୍ୟ ରଖିଛନ୍ତି ବିପନ୍ନ। ହେଲେ ସରକାରୀ ସହାୟତା ପ୍ରଦାନରେ ବିଳମ୍ବ ଏଥିରେ ଅନ୍ତରାୟ ସାଜିଛି। ଉଦ୍ୟାନ କୃଷି ବିଭାଗ ୫୦ ପ୍ରତିଶତ କ୍ଷତିଗ୍ରସ୍ତଙ୍କୁ ସହାୟତା ପ୍ରଦାନ କରି ସାରିଥିବା କହୁଥିଲେ ମଧ୍ୟ ଏଥିରୁ ଅଧା ବ୍ୟାଙ୍କରେ ଅଟକି ରହିଛି।

ପୁରୀ ଜିଲ୍ଲାରେ ଅଧିକାଂଶ ମଧ୍ୟବିତ୍ତ ଓ ନିମ୍ନବିତ୍ତ ପରିବାର ନଡ଼ିଆ, ଗୁଆ ଚାଷରୁ ପରିବାର ପ୍ରତିପୋଷଣ କରୁଥିଲେ। କିନ୍ତୁ ବାତ୍ୟା ‘ଫନି’ ଏମାନଙ୍କ ରୋଜଗାରକୁ ଛଡ଼ାଇ ନେଇଛି। ବାତ୍ୟାରେ ହଜାର ହଜାର ନଡ଼ିଆ, ଗୁଆ, ଆମ୍ବ, ପଣସ ଗଛ ଧରାଶାୟୀ ହୋଇଥିବା ବେଳେ ରାଜ୍ୟ ସରକାର ନଡ଼ିଆ, ଆମ୍ବ, ପଣସ, ଗୁଆ ଆଦି ଗଛ ପିଛା ସହାୟତା ଦେବାକୁ ଘୋଷଣା କରିଥିଲେ। ନଡ଼ିଆ ଗଛ ପିଛା ୫୦୦ ଟଙ୍କା, ଆମ୍ବ, ପଣସ, ଗୁଆ ଆଦି ଫଳନ୍ତି ଗଛ ଥିବା ବାଡ଼ିବଗିଚା ହେକ୍ଟର ପିଛା ୧୮ହଜାର ଟଙ୍କା ସହାୟତା ରାଶି ଘୋଷଣା କରାଯାଇଥିଲା। ସେହିପରି ପନିପରିବା ବାବଦକୁ ହେକ୍ଟର ପିଛା ୧୩ ହଜାର ୫୦୦ ଟଙ୍କା ସହାୟତା ରାଶି ଘୋଷଣା କରାଯାଇଥିଲା।

ଜିଲ୍ଲା ଉଦ୍ୟାନ କୃଷି ଉପନିର୍ଦେଶକ ନବକିଶୋର ତାଡ଼ଙ୍କ ସୂଚନା ମୁତାବକ, ବାତ୍ୟା ଯୋଗୁଁ ପୁରୀ ଜିଲ୍ଲାରେ ପ୍ରାୟ ୯ ଲକ୍ଷ ନଡ଼ିଆ ଗଛ କ୍ଷତିଗ୍ରସ୍ତ ହୋଇଥିଲା। ସେହିପରି ପ୍ରାୟ ୭୫ ହଜାର ହେକ୍ଟର ବାଡ଼ିବଗିଚାରେ ଆମ୍ବ, ପଣସ ଆଦି ଫଳଗଛ ନଷ୍ଟ ହୋଇଥିବା ବେଳେ ପନିପରିବା ଓ ଅନ୍ୟାନ୍ୟ ଚାଷବାସ ବି କ୍ଷତିଗ୍ରସ୍ତ ହୋଇଥିଲା। କେବଳ ସଦର ବ୍ଲକରେ ୧ ଲକ୍ଷ ୮୫ ହଜାର ନଡ଼ିଆ ଗଛ ଓ ୧୩୬୩ ହେକ୍ଟର ଫଳବଗିଚା ନଷ୍ଟ ହୋଇଥିଲା। ପ୍ରାୟ ୯୦ ହଜାର ଲୋକ ଏ ନେଇ କ୍ଷତି ସହିଥିଲେ। ଜିଲ୍ଲାରେ କେବଳ ନଡ଼ିଆ ଗଛ କ୍ଷୟକ୍ଷତି ବାବଦକୁ ପ୍ରାୟ ୪୫ କୋଟି ଟଙ୍କା ସହାୟତା ଦିଆଯିବ। ଏହା ମଧ୍ୟରେ ୪୦ ହଜାର ୫୦୦ ଲୋକଙ୍କୁ ସହାୟତା ଦିଆଯାଇସାରିଲାଣି। ଯାହାର ପରିମାଣ ୧୬ କୋଟି ଟଙ୍କା ହେବ। ସମସ୍ତ ଟଙ୍କା ବ୍ୟାଙ୍କକୁ ପଠାଇ ଦିଆଯାଇଛି। କିନ୍ତୁ ବ୍ୟାଙ୍କରେ ତ୍ରୁଟି ଯୋଗୁ ସବୁ ଲୋକଙ୍କଠାରେ ସହାୟତା ରାଶି ପହଞ୍ଚି ପାରିନି। ପଞ୍ଚାୟତୱାରି ସହାୟତା ରାଶି ଦିଆଯାଉଥିବା ବେଳେ ପର୍ଯ୍ୟାୟକ୍ରମେ ଏହା ସମସ୍ତ କ୍ଷତିଗ୍ରସ୍ତଙ୍କ ପାଖରେ ପହଞ୍ଚିବ ବୋଲି ଶ୍ରୀ ତାଡ଼ କହିଛନ୍ତି। ସଦର ବ୍ଳକର ୪/୫ଟି ପଞ୍ଚାୟତରେ ସହାୟତା ରାଶି ଦିଆଯାଇଥିବା ସେ କହିଥିଲେ। କିନ୍ତୁ ସଦର ବ୍ଲକ ପ୍ରତାପରାମଚନ୍ଦ୍ରପୁର ପଞ୍ଚାୟତ ଓ ଏହାର ଆଖପାଖ ପଞ୍ଚାୟତରେ ସ୍ଥିତି ଅନୁଧ୍ୟାନ କରାଯିବା ବେଳେ ଏହି ପଞ୍ଚାୟତରେ ଜଣକ ପାଖରେ ବି ସହାୟତା ରାଶି ପହଞ୍ଚି ପାରିନଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର