ଭୁବନେଶ୍ବର : 'ଫନି' ବାତ୍ୟାରେ ପୁରୀ ଜିଲ୍ଲାରେ ସର୍ବାଧିକ ଲୋକଙ୍କ ପ୍ରାଣହାନି ଘଟିଛି। ସ୍ବତନ୍ତ୍ର ରିଲିଫ କମିସନରଙ୍କ ରିପୋର୍ଟ ଅନୁଯାୟୀ ବାତ୍ୟା ଯୋଗୁଁ ପୁରୀ ଜିଲ୍ଲାରେ ୩୯ ଜଣ ଲୋକଙ୍କ ମୃତ୍ୟୁ ହୋଇଛି। ଏହାସହିତ ୬ଟି ଜିଲ୍ଲାରେ ମୃତ୍ୟୁ ସଂଖ୍ୟା ୬୪ରେ ପହଞ୍ଚିଥିବା ସରକାର ସ୍ବୀକାର କରିଛନ୍ତି। ସେଥିରୁ କେନ୍ଦ୍ରାପଡ଼ା ଜିଲ୍ଲାରେ ୩ ଜଣ, ମୟୂରଭଞ୍ଜରେ ୪ ଜଣ, ଯାଜପୁରରେ ୩ ଜଣ, କଟକରେ ୬ ଜଣ ଓ ଖୋର୍ଦ୍ଧାରେ ୯ ଜଣଙ୍କର ପ୍ରାଣହାନି ଘଟିଛି।
ଏସଆରସିଙ୍କ ରିପୋର୍ଟ ଅନୁଯାୟୀ, ଗତ ୩ ତାରିଖ ଦିନ ବାତ୍ୟା ପବନ ସହ ବର୍ଷା ଯୋଗୁଁ ଘର କାନ୍ଥ ପଡ଼ି ପୁରୀ ଜିଲ୍ଲାରେ ୧୮ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଆଜବେଷ୍ଟସ ଓ ଛାତ ଗଳି ପଡ଼ିବାରୁ ୫ ଜଣଙ୍କର ପ୍ରାଣହାନି ଘଟିଛି। ସେହିପରି ଗଛ ଓ ବିଦ୍ୟୁତ ଖୁଣ୍ଟ ପଡ଼ି ୯ ଜଣ ପ୍ରାଣ ହରାଇଛନ୍ତି। ତେବେ ୭ ଜଣଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ଖୋର୍ଦ୍ଧା ଜିଲ୍ଲାରେ ଗଛ ପଡ଼ି ୪ ଜଣଙ୍କର ପ୍ରାଣହାନି ଘଟିଥିବା ବେଳେ କାନ୍ଥପଡ଼ି ୩ ଜଣ, ଆଜବେଷ୍ଟସ ଖସିପଡ଼ିବାରୁ ଜଣେ ଓ ଆଉ ଜଣଙ୍କର ମୃତ୍ୟ କାରଣ ଜଣାପଡ଼ିନି। କଟକ ଜିଲ୍ଲାରେ କାନ୍ଥପଡ଼ି ୪ ଜଣ ଓ ଆଉ ୨ ଜଣଙ୍କ ମୃତ୍ୟୁର କାରଣ ଆସିବା ବାକି ଅଛି। କେନ୍ଦ୍ରାପଡ଼ାରେ ମୋଟ ୩ ଜଣ ଲୋକଙ୍କ ପ୍ରାଣହାନି ଘଟିଥିବା ବେଳେ ଯାଜପୁରରେ ଗଛ ଓ ବିଦ୍ୟୁତ ଖୁଣ୍ଟ ପଡ଼ି ୩ ଜଣଙ୍କର ମୃତ୍ୟୁ ହୋଇଛି। ସେହିପରି ମୟୂରଭଞ୍ଜ ଜିଲ୍ଲାରେ ଗଛ ଓ ବିଦ୍ୟୁତ ଖୁଣ୍ଟ ପଡ଼ି ମୋଟ ୪ ଜଣଙ୍କର ମୃତ୍ୟୁ ହୋଇଥିବା ସରକାର ଜଣାଇଛନ୍ତି।
ବାତ୍ୟାଯୋଗୁଁ କେବଳ ପୁରୀ ଜିଲ୍ଲାରେ ୧ ଲକ୍ଷ ୮୯ ହଜାର ୯୫ଟି ଘର ଭାଙ୍ଗି ଯାଇଥିବାବେଳେ ବାତ୍ୟା ମାଡ଼ରେ ୧୬୦ ଜଣ ବ୍ୟକ୍ତି ଆହତ ହୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ସରକାରୀ ତଥ୍ୟ ଅନୁଯାୟୀ 'ଫନି' ପ୍ରଭାବିତ ୧୪ଟି ଜିଲ୍ଲାରେ ମୋଟ ୧ କୋଟି ୬୫ ଲକ୍ଷ ୩୦ ହଜାର ୯୦୦ ଲୋକ ପ୍ରଭାବିତ ହୋଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/05/AKS_7853-2.jpg)