କେନ୍ଦ୍ରାପଡ଼ାରେ ‘ଫନି’ ଆତଙ୍କ : ମୁକାବିଲା‌ ପା‌ଇଁ ପ୍ରଶାସନ ସଜାଗ, ଏନଡିଆରଏଫ୍‌ର ୩ଟି ଟିମ୍ ମୁତୟନ, ଲକ୍ଷେ ଲୋକଙ୍କୁ ସ୍ଥାନାନ୍ତର ପ୍ରକ୍ରିୟା ଜାରି

କେନ୍ଦ୍ରାପଡ଼ା : ସାମୁଦ୍ରିକ ଝଡ଼ ‘ଫନି’ କେନ୍ଦ୍ରାପଡ଼ା ଜିଲ୍ଲାରେ ପ୍ରଭୂତ କ୍ଷତି କରିବ ବୋଲି ଆଶଙ୍କା କରି ଜିଲ୍ଲାବାସୀ ଆତଙ୍କିତ ହୋଇ ପଡ଼ିଛନ୍ତି। ଜିଲ୍ଲା ପ୍ରଶାସନ ପକ୍ଷରୁ ଘନଘନ ବୈଠକରେ ‘ଫନି’ର ମୁକାବିଲା ପାଇଁ ସମୀକ୍ଷା କରାଯାଉଛି। ମୁଖ୍ୟମନ୍ତ୍ରୀ ଫୋନ୍‌ ଯୋଗେ ବାସ୍ତବ ସ୍ଥିତି ସମ୍ପର୍କରେ ପଚାରି ବୁଝିଛନ୍ତି। ଏହି ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ କେତେ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି ସେ ନେଇ ଭିଡିଓ କନଫରେନ୍ସିଂରେ କେନ୍ଦ୍ରାପଡ଼ା ଜିଲ୍ଲା ଦାୟିତ୍ବରେ ଥିବା ନୋଡାଲ ଅଫିସର ଜଳସମ୍ପଦ ବିଭାଗ ଶାସନ ସଚିବ ପି.କେ. ଜେନାଙ୍କୁ ପଚାରି ବୁଝିଛନ୍ତି। ବରିଷ୍ଠ ପୁଲିସ୍‌ ଅଧିକାରୀ ଅରୁଣ ବୋଥ୍ରା ମଧ୍ୟ କେନ୍ଦ୍ରାପଡ଼ାରେ ପହଞ୍ଚିଛନ୍ତି। ମହାକାଳପଡ଼ା ଓ ରାଜନଗର ବ୍ଳକରେ ଥିବା ୭୬ ହଜାର ୩୬୧ ମତ୍ସ୍ୟଜୀବୀ ପରିବାରର ସୁରକ୍ଷାକୁ ପ୍ରାଥମିକତା ଦିଆଯାଇଛି। ୧୧୬ ବାତ୍ୟା ଆଶ୍ରୟସ୍ଥଳୀ ଓ ୧୫ଶହ ଡଙ୍ଗା ପ୍ରସ୍ତୁତ ରଖାଯାଇଥିବା ସୂଚନା ମିଳିଛି।

ଆଜି ସନ୍ଧ୍ୟା ସୁଦ୍ଧା ମହାକାଳପଡ଼ା, ରାଜନଗର ଓ ପଟ୍ଟାମୁଣ୍ତାଇ ବ୍ଲକ୍ ଅଞ୍ଚଳରୁ ୧୨ଶହ ପରିବାରଙ୍କୁ ସ୍ଥାନାନ୍ତର କରାଯାଇଛି। ବର୍ଷା ପବନ ବେଗ ବୃଦ୍ଧି ଦେଖି ୧ ଲକ୍ଷ ଲୋକଙ୍କୁ ନିରାପଦ ସ୍ଥାନରେ ଆଶ୍ରୟରେ ପହଞ୍ଚାଇବାର ବ୍ୟବସ୍ଥା ହୋଇଛି ବୋଲି ଜଳସମ୍ପଦ ବିଭାଗ ଶାସନ ସଚିବ ଶ୍ରୀ ଜେନା ସୂଚନା ଦେଇଛନ୍ତି। ଜମ୍ବୁ, ବତୀଘର, ସୁନିତି, ନିପାଣିଆ ଆଦି ଅଞ୍ଚଳରେ ପବନ ୧୪୦ରୁ ୧୬୦ କିଲୋମିଟର ବେଗରେ ବହିବା ନେଇ ଅନୁମାନ କରାଯାଉଛି। ଏହା ବ୍ୟତୀତ ଘଡ଼ଘଡ଼ି ସହ ୨୫୦ ମିମି ବର୍ଷା, ଏପରିକି ସ୍ଥାନେ ସ୍ଥାନେ ୩ଶହ ମିମି ବର୍ଷା ହେବାର ଆଶଙ୍କା ରହିଛି। ଆଜିଠାରୁ କେତେକ ସ୍ଥାନରେ ବର୍ଷା ମଧ୍ୟ ଆରମ୍ଭ ହୋଇଯାଇଛି। ରାଜନଗରର ବଗପାଟିଆ, ମଗରକୁଣ୍ତାରେ ୭୧, ବରାହୀରେ ୨ ଓ ଅନ୍ୟ ଏକ ସ୍ଥାନରୁ ୫ଟି ପରିବାରକୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର ପାଇଁ ପଦକ୍ଷେପ ନିଆଯାଇଛି। ରିଲିଫ ବଣ୍ଟାରେ ହେରଫେର ଅଥବା ଖିଲାପ କଲେ ସଂପୃକ୍ତ ଅଧିକାରୀଙ୍କ ବିରୋଧରେ ଥାନାରେ ମାମଲା ଦାଏର୍ କରାଯିବ ଓ ସେମାନଙ୍କୁ ଗିରଫ କରାଯିବ ବୋଲି ସଚିବ ଶ୍ରୀ ଜେନା ଚେତାବନୀ ଦେଇଛନ୍ତି। ଆଜି ଜିଲ୍ଲାପାଳ ଦାଶରଥୀ ଶତପଥୀଙ୍କ ଉପସ୍ଥିତିରେ ସଚିବ ରିଲିଫ୍ କାର୍ଯ୍ୟକ୍ରମକୁ ନିଜେ ତଦାରଖ କରିଛନ୍ତି । ଜିଲ୍ଲାରେ ସମ୍ଭାବ୍ୟ ବାତ୍ୟା ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁଷ୍ଠିତ ବୈଠକରେ ଜିଲ୍ଲାର ରାଜନଗର, ମହାକାଳପଡା ଭଳି ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳର ଶହେଟି ଗ୍ରାମର ୫୦ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବ। ସେମାନଙ୍କୁ ସେଠାରେ ଶୁଖିଲା ଖାଦ୍ୟ ଦିଆଯିବ, ଖାଦ୍ୟ ଯୋଗାଣ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚୂଡା, ଗୁଡ ପ୍ରଭୃତି ମହଜୁଦ ରଖାଯିବା ବିଷୟରେ ଆଲୋଚନା କରାଯାଇଥିଲା।

ବୈଠକରେ ରାଜ୍ୟ ସରକାରଙ୍କ ଦ୍ବାରା ନିଯୁକ୍ତିପ୍ରାପ୍ତ ଅନ୍ୟତମ ନୋଡାଲ ଅଧିକାରୀ ତଥା ଇଷ୍ଟେଟ ନିର୍ଦ୍ଦେଶାଳୟର ଅତିରିକ୍ତ ଶାସନ ସଚିବ ହେମନ୍ତ କୁମାର ପାଢୀ, ଜିଲ୍ଲାପାଳ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଜିଲ୍ଲାରେ ଉଦ୍ଧାର କାର୍ଯ୍ୟ ନିମନ୍ତେ ୩ଟି ଏନଡିଆରଏଫ୍‌ ଟିମ, ୨ଟି ଓଡ୍ରାଫ ଟିମ ଓ ଅଗ୍ନିଶମ ବିଭାଗକୁ ପ୍ରସ୍ତୁତ ରଖାଯାଇଛି ବୋଲି ଶ୍ରୀ ଜେନା ସୂଚନା ଦେଇଥିଲେ।

ସମ୍ବନ୍ଧିତ ଖବର