ଭୁବନେଶ୍ବର : ଭାରତ ଛାଡ଼ିଲା ‘ଫନି’। ତିନି ଦିନ ଧରି ଓଡ଼ିଶା ସମେତ ଆନ୍ଧ୍ରପ୍ରଦେଶ ଓ ପଶ୍ଚିମବଙ୍ଗରେ ତାଣ୍ଡବ ସୃଷ୍ଟି କରିବା ପରେ ଆଜି ପୂର୍ବାହ୍ନରେ ଭାରତ ଛାଡ଼ିଛି। ପୂର୍ବାହ୍ନ ୧୧ଟା ବେଳକୁ ବାଂଲାଦେଶରେ ପହଞ୍ଚିଥିବା ଜଣାପଡ଼ିଛି। ସେଠାରେ ଘଣ୍ଟାପ୍ରତି ୫୦ରୁ ୬୦ କିମି ବେଗରେ ପବନ ହେଉଛି। ସେଭଳି କୌଣସି କ୍ଷତି ହୋଇନାହିଁ। ବରଂ ସ୍ଥିତି ସ୍ବାଭାବିକ ରହିଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।

Advertisment

ଓଡ଼ିଶାରେ ବାତ୍ୟାର ପ୍ରଭାବ ଅଧିକ ରହିଥିଲା। ପୁରୀ, ଖୋର୍ଧା ଓ କଟକ ଜିଲ୍ଲା ସର୍ବାଧିକ ପ୍ରଭାବିତ ହୋଇଛି। ବାତ୍ୟା ସ୍ଥଳଭାଗ ଛୁଇଁଲା ବେ‌ଳେ ଘଣ୍ଟାପ୍ରତି ପବନର ବେଗ ୧୫୦ରୁ ୧୮୦ କିମି ମଧ୍ୟରେ ରହିଥିଲା। ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦେଶକ ଏଚ୍‌ ଆର ବିଶ୍ବାସଙ୍କ କହିବା କଥା ହେଉଛି ଯେ, ବାତ୍ୟା ପୁରୀ ଉପକୂଳରେ ସ୍ଥଳଭାଗ ଛୁଇଁଥିଲା। ସେତେବେଳେ ପବନ ବେଗ ଘଣ୍ଟାପ୍ରତି ୧୫୦ କିମି ରହିଥିଲା। ଭୁବନେଶ୍ବରରେ ଅନୁରୂପ ଭାବେ ପବନର ବେଗ ଘଣ୍ଟାପ୍ରତି ୧୨୦ରୁ ୧୪୦ କିମି ରହୁଥିଲା। ସ୍ଥଳ ବିଶେଷରେ ୧୫୦ କିମି ଛୁଇଁଥିଲା। ପ୍ରାୟ ୩ ଘଣ୍ଟା ଧରି ବର୍ଷା‌ର ପ୍ରଭାବ ଅଧିକ ରହିଥିଲା। ଅପରାହ୍ନ ବେଳକୁ ପୁରୀ ଓ ଭୁବ‌ନେଶ୍ବରରେ ସ୍ଥିତି ସ୍ବାଭାବିକ ଅବସ୍ଥାକୁ ଫେରିଥିଲା।

ତେବେ ‘ଫନି’ ସମୟରେ ପବନର ବେଗ ଯେତିକି ଥିଲା ବର୍ଷା ମଧ୍ୟ ସେହି ଅନୁଯାୟୀ ହୋଇଥିଲା। ବାତ୍ୟା ସମୟରେ ଗୋଟିଏ ଦୁଇଟି ସ୍ଥାନରେ ୨୦୦ ମିମିରୁ ଅଧିକ ବର୍ଷା ହେବ ବୋଲି ଆକଳନ କରାଯାଇଥିଲା। ତେବେ ସକାଳ ୮ଟାରୁ ସନ୍ଧ୍ୟା ୫ଟା ମଧ୍ୟରେ ଥିବା ‘ଫନି’ର ପ୍ରଭାବରେ କୌଣସି ସ୍ଥାନରେ ୨୦୦ ମିମିରୁ ଅଧିକ ବର୍ଷା ହୋଇନି। ଏହି ସମୟ ମଧ୍ୟରେ ଗୋପାଳପୁରରେ ସର୍ବାଧିକ ୧୮୦ ମିମି ବର୍ଷା ହୋଇଛି। ଭୁବନେଶ୍ବରରେ ୧୫୫ ମିମି ବର୍ଷା ହୋଇଥିବା ବେଳେ କଟକରେ ୧୨୮, ପୁରୀରେ ପ୍ରାୟ ୧୧୫ ମିମି ବର୍ଷା ହୋଇଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ରେକର୍ଡ କରାଯାଇଛି। ଏହାବ୍ୟତୀତ ଅନୁଗୁଳ, କେନ୍ଦୁଝର, ବାଲେଶ୍ବର, ମୟୂରଭଞ୍ଜ, ଗଜପତି ପ୍ରଭୃତି ଜିଲ୍ଲାରେ ପ୍ରବଳ ବର୍ଷା ହୋଇଛି। ଉକ୍ତ ସହରଗୁଡ଼ିକରେ ୩୦ ମିମିରୁ ଅଧିକ ବର୍ଷା ହୋଇଥିବା ପାଣିପାଗ ବିଭାଗ କହିଛି।