‘ଫନି’ ନାମକରଣ ହେଲା କେମିତି

୧୧୮ ବର୍ଷରେ ଦ୍ବିତୀୟ

ନୂଆଦିଲ୍ଲୀ : ବଙ୍ଗୋପ ସାଗରରେ ଉଠିଥିବା ସାମୁଦ୍ରିକ ଝଡ଼ ‘ଫନି’ ଭୟାନକ ରୂପ ନେଇଥିବା ବେଳେ ଏହାର ମୁକାବିଲା ପାଇଁ ଏବେ ଓଡ଼ିଶା, ଆନ୍ଧ୍ର ପ୍ରଦେଶ ଏବଂ ତାମିଲନାଡ଼ୁରେ ଯୁଦ୍ଧକାଳୀନ ପ୍ରୟାସ ଚାଲିଛି। ଫନି ପୂର୍ବରୁ ତିତଲି, ଫାଇଲିନ, ନିଲୋଫର ଆଦି ବାତ୍ୟା ଚର୍ଚ୍ଚାରେ ରହିଥିଲା। ତେବେ ଚଳିତ ବାତ୍ୟା ଫନିର ନାମକରଣ କିଭଳି କରାଯାଇଛି ଏବଂ ଏହାର ଅର୍ଥ କ’ଣ ଏବେ ତାହା ମଧ୍ୟ ଚର୍ଚ୍ଚାରେ ରହିଛି। ଏହି ବାତ୍ୟାକୁ ଫନି ନାମ ବାଂଲାଦେଶର ପରାମର୍ଶକ୍ରମେ ବିଶ୍ବ ପାଣିପାଗ ସଂଗଠନ (ଡବ୍ଲୁଏମ୍‌ଓ) ପ୍ରଦାନ କରିଛି। ବିଭିନ୍ନ ବାତ୍ୟାର ନାମକରଣ ପାଇଁ ଡବ୍ଲୁଏମ୍‌ଓ କେତେକ ନିର୍ଦ୍ଧାରିତ କୌଶଳ ଅବଲମ୍ବନ କରିଥାନ୍ତି ଏବଂ ଏ ବାବଦରେ ସଂପୃକ୍ତ ରାଷ୍ଟ୍ରମାନଙ୍କ ଦ୍ବାରା ଦିଆଯାଇଥିବା ତାଲିକାରୁ ଗୋଟିଏ ଚୟନ କରାଯାଇଥାଏ। ଉତ୍ତର ଭାରତ ମହାସାଗରରେ ଉଠିଥିବା ଏହି ଗ୍ରୀଷ୍ମ ମଣ୍ଡଳୀୟ ବାତ୍ୟା ପାଇଁ ଭାରତ, ଶ୍ରୀଲଙ୍କା, ବାଂଲାଦେଶ, ମାଳଦ୍ବୀପ, ମ୍ୟାମାର୍‌, ଓମାନ, ପାକିସ୍ତାନ ଏବଂ ଥାଇଲାଣ୍ଡ୍‌ଠାରୁ ଆଂଚଳିକ ବାତ୍ୟା ପର୍ଯ୍ୟବେକ୍ଷଣ କମିଟି ଦ୍ବାରା ନାମ ତାଲିକା ମଗାଯାଇିଲା। ଚଳିତ ବାତ୍ୟା ପାଇଁ ୮ଟି ରାଷ୍ଟ୍ର ୬୪ଟି ନାମ ପ୍ରଦାନ କରିଥିଲେ, କିନ୍ତୁ ବିଶ୍ବ ପାଣିପାଗ ସଂଗଠନ ବାଂଲାଦେଶର ‘ଫନି’ ନାମକୁ ଗ୍ରହଣ କରିଥିଲା। ଏହାକୁ କେତେକ ରାଷ୍ଟ୍ରରେ ‘ଫୋନି’ ବୋଲି ମଧ୍ୟ ଉଚ୍ଚାରଣ କରାଯାଉଛି। ଏହାର ଅର୍ଥ ହେଉଛି ସର୍ପ ଫେଣା। ବାଂଲାଦେଶ ପ୍ରଦତ୍ତ ଏହି ନାମ ଅନ୍ୟ ନାମଗୁଡ଼ିକ ଅପେକ୍ଷା ଅଧିକ ଗ୍ରହଣୀୟ ଏବଂ ବାତ୍ୟାକୁ ଅହରହ ନଜର ରଖିବା ଦିଗରେ ସୁବିଧାଜନକ ହେବାରୁ ଏହି ନାମକୁ ଗ୍ରହଣ କରାଯାଇଥିଲା।

୧୧୮ ବର୍ଷରେ ଦ୍ବିତୀୟ

ଏପ୍ରିଲ-ମେ ମାସରେ ସ୍ଥଳ ଭାଗ ଛୁଇଁବାରେ ଗତ ଶହେ ବର୍ଷରେ ‘ଫନି’ ହେବ ଦ୍ବିତୀୟ ଭୟଙ୍କର ସାମୁଦ୍ରିକ ଝଡ଼। କେନ୍ଦ୍ର ଭୂ-ବିଜ୍ଞାନ ବିଭାଗ ସଚିବ ମାଧବନ ରାଜୀବନଙ୍କ ସୂଚନା ଅନୁସାରେ ୧୮୯୧ରୁ ୨୦୧୭ ମଧ୍ୟରେ ବଙ୍ଗୋପ ସାଗର‌େରେ ୧୪ ଥର ସାମୁଦ୍ରିକ ଝଡ଼ ସୃଷ୍ଟି ହୋଇଛି। ସେଥିମଧ୍ୟରୁ କେବଳ ୨୦୦୮ ମେ ୨ ତାରିଖରେ ସାମୁଦ୍ରିକ ଝଡ଼ ‘ନରଗିସ’ ମିଆନମାରରେ ମାଡ଼ ହୋଇଥିଲା। ଏଥିରେ ଦକ୍ଷିଣ ମିଆନମାର ଧ୍ବସ୍ତବିଧ୍ବସ୍ତ ହୋଇଥିଲା। ‌ଏହି ଭୟଙ୍କର ଝଡ଼ରେ ୧ ଲକ୍ଷ ୪୦ ହଜାର ଲୋକ ପ୍ରାଣ ହରାଇଥିବା କୁହାଯାଉଛି। ଏହାପରେ ‘ଫନି’ ହେବ ଏଭଳି ଦ୍ବିତୀୟ ଭୟଙ୍କର ସାମୁଦ୍ରିକ ଝଡ଼। ସମୁଦ୍ର ଉପର ଭାଗରେ ଅତ୍ୟଧିକ ଉତ୍ତାପ ଯୋଗୁଁ ଏହି ସମୟରେ ଏଭଳି ସାମୁଦ୍ରିକ ଝଡ଼ ସୃଷ୍ଟି ହୁଏ ବୋଲି ‌େବୖଜ୍ଞାନିକମାନେ କହୁଛନ୍ତି। ଏହି ଦୃଷ୍ଟିରୁ ମାର୍ଚ ୨୦୧୯ ଥିଲା ଗତ ୧୪୦ ବର୍ଷରେ ସବୁଠାରୁ ଉତ୍ତପ୍ତ।

ଓଡ଼ିଶା ବାତ୍ୟା ଇତିହାସ

ମହାବାତ୍ୟା: ୧୯୯୯ ମସିହା୨୯ ଅକ୍ଟୋବର, ପବନ ବେଗ ଘଣ୍ଟା ପ୍ରତି ୩୦୦ କିଲୋମିଟର
ଫାଇଲିନ: ୨୦୧୩ ଅକ୍ଟୋବର ୪ ତାରିଖ, ପବନର ବେଗ ଘଣ୍ଟା ୨୧୫ କିଲୋମିଟର
ହୁଡହୁଡ: ୨୦୧୪ ଅକ୍ଟୋବର ୧୨ ତାରିଖ, ପବନର ବେଗ ଘଣ୍ଟା ପ୍ରତି ୧୯୫ କିଲୋମିଟର
ତିତ୍‌ଲି: ୨୦୧୮ ଅକ୍ଟୋବର ମାସ ୧୦ ତାରିଖ, ପବନର ବେଗ ଘଣ୍ଟା ପ୍ରତି ୧୪୦ରୁ ୧୬୫ କିଲୋମିଟର

‘ସମ୍ବାଦ’ର ହେଲ୍‌ପଲାଇନ୍ ନମ୍ବର

ଭୁବନେଶ୍ବର : ବାତ୍ୟା ‘ଫନି’ ପ୍ରଭାବରେ ରାଜ୍ୟର କୌଣସି ସ୍ଥାନରେ ଯଦି କେହି କୌଣସି ଅସୁବିଧାରେ ପଡ଼ନ୍ତି ତେବେ ସେମାନେ ‘ସମ୍ବାଦ’ର ହେଲ୍‌ପଲାଇନ୍ ନମ୍ବର ୯୪୩୭୦୯୭୫୧୦ରେ ଯୋଗାଯୋଗ କରିପାରିବେ। ସେମାନଙ୍କୁ କିପରି ଉଦ୍ଧାର କରାଯିବ ଏବଂ ସରକାରୀ ସୁବିଧା ସୁଯୋଗ ଯୋଗାଇ ଦିଆଯିବ ସେନେଇ ‘ସମ୍ବାଦ’ ପକ୍ଷରୁ ପର‌ାମର୍ଶ ଦିଆଯିବ।

ସମ୍ବନ୍ଧିତ ଖବର